ଦଣ୍ଡବତ ହୋଇ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ନ୍ୟାର୍ଯ୍ୟ ଦାବୀ ଜଣାଇଲେ ଡ୍ରାଇଭର ମହାସଂଘ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶା ଡ୍ରାଇଭର ମହାସଂଘର ନିର୍ଦ୍ଧାରଣ କ୍ରମେ ଗଞ୍ଜାମ ଜିଲ୍ଲା ଶାଖା ଡ୍ରାଇଭର ମହାସଂଘ ପକ୍ଷରୁ ଜିଲ୍ଲା ମହକୁମା ଛତ୍ରପୁରସ୍ଥ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଶୁକ୍ରବାର ଶହଶହ ଡ୍ରାଇଭର ଯୋଗଦେଇ ତଳେ ଶୋଇ ଦଣ୍ଡବତ ହୋଇ ନ୍ୟାର୍ଯ୍ୟ ଦାବୀ ଜଣାଇଛନ୍ତି । ଏହି ଅଭିନବ ଉପାୟରେ ବିକ୍ଷୋଭ ଓ ଆନ୍ଦୋଳନ କରିବା ଏକ ନିଆରା ସଦୃଶ ହୋଇଛି । ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲାରେ ଅଧୂନା ୩୧ ହଜାର ୯୨୦ ଜଣ ଡ୍ରାଇଭରଙ୍କ ପଞ୍ଜିକରଣ ହୋଇଥିବା କୁହାଯାଇଛି । ଡ୍ରାଇଭର ମହାସଂଘର ସଦସ୍ୟମାନେ ଦଣ୍ଡୁଆଙ୍କ ଭଳି ରାସ୍ତାରେ ତଳେ ଶୋଇ ଅଭିନବ ଉପାୟରେ ଆନ୍ଦୋଳନ କରିଛନ୍ତି । ଶତାଧିକ ଡ୍ରାଇଭର ଏକ ବିରାଟ ଶୋଭାଯାତ୍ରାରେ ଆସି ଛତ୍ରପୁର ସ୍ଥିତ ଲୱେର ବସଷ୍ଟାଣ୍ଡ ଠାରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ତଳେ ଶୋଇ ରହି ମୁଣ୍ଡିଆ ମାରି ନିଜର ଦାବୀ ପୂରଣ ପାଇଁ ନେହୁରା ହୋଇ ଗୁହାରି କରିଛନ୍ତି । ଦୀର୍ଘଦିନ ଧରି ନିଜର ଦାବୀକୁ ରାଜ୍ୟ ସରକାରଙ୍କ ନିକଟରେ ଉପସ୍ଥାପନ କରିଥିଲେ ସୁଦ୍ଧା ସେହି ଦାବୀକୁ ସରକାର ଶୁଣି ନଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଶୁକ୍ରବାର ଏଭଳି ନିଆରା ଢ଼ଙ୍ଗରେ ଜିଲାପାଳଙ୍କୁ ନିଜର ଦାବୀ ଜଣାଇଛନ୍ତି । ଦୁର୍ଘଟଣାରେ ପ୍ରାଣ ହରାଇଥିବା ଡ୍ରାଇଭରଙ୍କ ପାଇଁ ୨୦ ଲକ୍ଷ ଟଙ୍କାର ବୀମା ରାଶି ଏବଂ ଦୁର୍ଘଟଣାଜନିତ ଅକର୍ମଣ୍ୟ ହେଲେ ସେମାନଙ୍କୁ ୧୦ ଲକ୍ଷ ଟଙ୍କାର ବୀମା ରାଶି ପ୍ରଦାନ କରିବା, ଦୁର୍ଘଟଣା ଜନିତ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ଖର୍ଚ୍ଚ ପ୍ରଦାନ କରିବା, ୫୫ ବର୍ଷ ପରେ ଡ୍ରାଇଭରଙ୍କୁ ପେନ୍‌ସନ୍‌ ଅବା ଭତ୍ତା ପ୍ରଦାନ କରାଯିବା, ଡ୍ରାଇଭରମାନଙ୍କ ସୁରକ୍ଷା ଯୋଗାଇଦେବା ଆଦି ସ୍ୱତନ୍ତ୍ର ଆଇନ ଭଳି ୯ ଦଫା ଦାବୀ ନେଇ ଡ୍ରାଇଭର ମହାସଂଘ ଆନ୍ଦୋଳନକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

Leave A Reply

Your email address will not be published.