ଆଉ ଏକ ଜମି ଜାଲିଆତି ଅଭିଯୋଗ : ଟାଉନ ପ୍ଲାନିଂରୁ ମିଳିଛି ମଞ୍ଜୁରି, ବିକ୍ରି ହେବ ଜଙ୍ଗଲ ଜମି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରରେ ଅସମ୍ଭବ ସମ୍ଭବ ହୋଇ ପାରୁଛି । କେତେ ବେଳେ ରାତା ରାତି ଜମିର ମାଲିକାନା ସତ୍ୱ ତ ଆଉ କେତେ ବେଳେ ମୃତ ବ୍ୟକ୍ତି ଫେରି ଆସି ଜମି ବିକ୍ରି କରି ପୁଣି ଫେରି ଯାଉଛି । ସରକାରୀ ବାବୁ ଓ ଜମି ମାଫିଆଙ୍କ ଏହି ତନ୍ତ୍ର ପାରଙ୍ଗମତାରେ ଏବେ ଆଉ ଏକ ଫର୍ଦ୍ଦ ଜୋଡି ହୋଇଛି । ବଲାଙ୍ଗିର ଉପକଣ୍ଠରେ ଏକଦା ପତ୍ରା ଜଙ୍ଗଲ ଥିବା ଭୁଖଣ୍ଡ ଏବେ ରୟତି କିସମ୍‌ରେ ପରିବର୍ତ୍ତିତ ହୋଇ ପ୍ଲଟିଂ ମାଧ୍ୟମରେ କୋଟି କୋଟି ଟଙ୍କାରେ ବିକ୍ରି କରାଯିବା ପାଇଁ ପ୍ରସ୍ତୁତି ସରିଛି । ତେବେ ଜମିର ପ୍ରକୃତ ଦସ୍ତାବିଜ ଯାଞ୍ଚ ନକରି ଟାଉନ ପ୍ଲାନିଂ ବିଭାଗ ତରବରିଆ ଭାବେ ପ୍ରଥମ ଆଠଟି ପ୍ଲଟ୍ ପାଇଁ ମଞ୍ଜୁରି ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି । ସୂଚନାରୁ ପ୍ରକାଶ ଯେ, କେଇ ଦଶନ୍ଧି ହେବ ଏହି ଜମିରେ ଲୋକେ ବସବାସ କରି ଆସୁଥିଲେ ସୁଦ୍ଧା ବିଗତ ଦୁଇ ତିନି ବର୍ଷ ହେବ ଜମିକୁ ନେଇ ଦ୍ୱନ୍ଦ ଉପୁଜି ଥିଲା । ହଠାତ୍‌ ଜଣେ ବ୍ୟବସାୟୀ ନିଜେ ଏହି ଜମି କିଣି ଥିବା ଦର୍ଶାଇ ଅଂଚଳବାସୀଙ୍କୁ ଉଚ୍ଛେଦ କରିବା ପାଇଁ ଧମକ ଚମକ ଦେଉଥିବା ଲୋକେ ଅଭିଯୋଗ କରିଥିଲେ । ଅଂଚଳବାସୀଙ୍କ ଜୋରଦାର ବିରୋଧ ଫଳରେ ଉକ୍ତ ବ୍ୟବସାୟୀ ଏଠାରେ କୋଠା ତିଆରି କରି ବିକ୍ରି କରିବା ସ୍ୱପ୍ନ ଭାଙ୍ଗି ଯାଇଥିଲା । ପରବର୍ତ୍ତୀ ସମୟରେ ବ୍ୟବସାୟୀ ଜଣକ ଏହି ଜମିକୁ ପ୍ଲଟିଂ କରି ବିକି ଦେବା ପାଇଁ ମସୁଧା କରିଥିଲେ । ତେବେ ଏହି ଜମିର ଚତୁଃପାର୍ଶ୍ଵରେ ଏବେ ମଧ୍ୟ ଜଙ୍ଗଲ ଜମି ଥିବା ବେଳେ ଜାଲିଆତି କରି କିସମକୁ ଆଟ ମାମୁଲି କରାଯାଇଛି । ଜମି ଜାଲିଆତିର ଏହି ଘଟଣା ଜାଲିଆତିର ଚେରକୁ ୭୦ ଦଶକ ସହ ଯୋଡୁଛି । ଉଚ୍ଚ ସ୍ତରୀୟ ତଦନ୍ତ ହେଲେ ଏହା ସହିତ ଅନେକ ଜାଲିଆତି ସର୍ବସମ୍ମୁଖକୁ ଆସିବ ବୋଲି ଜଣେ ନିଜ ନାମ ଗୋପନ ରଖି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

error: Content is protected !!