jsm

ଟାଉନ ବାଳିକା ବିଦ୍ୟାଳୟର ବାର୍ଷିକୋତ୍ସବ : ନାରୀ ଶିକ୍ଷିତ ନହେଲେ ଏ ଅଂଚଳର ବିକାଶ ଅସମ୍ଭବ, ମତ ରଖିଲେ ନରସିଂହ

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପଛୁଆ କୁହାଯାଉଥିବା ଆମ ଏ ଅଂଚଳ ଶହ ଶହ ବର୍ଷ ତଳେ ଶିକ୍ଷା କ୍ଷେତ୍ରରେ ବେଶ୍‌ ସମୃଦ୍ଧ ଥିଲା । ବିଭିନ୍ନ ଐତିହାସିକ ତାହା ଲିପିବଦ୍ଧ କରି ଯାଇଛନ୍ତି । କାଳକ୍ରମେ ଅଂଚଳରେ ରାଜତନ୍ତ୍ର ପ୍ରତିଷ୍ଠା ହେଲା ପରେ ଅଂଚଳର ଶିକ୍ଷା ଦୀକ୍ଷାର କ୍ଷୟ ଘଟିଲା । ଆଜି ଦେଶ ସ୍ୱାଧୀନ ହୋଇ ୭୫ ବର୍ଷ ବିତିଗଲାଣି, କିନ୍ତୁ ସରକାର ଏପର୍ଯ୍ୟନ୍ତ ବିଦ୍ୟାଳୟମାନଙ୍କରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ଓ କର୍ମଚାରୀ ଯୋଗେଇ ପାରିନାହାନ୍ତି । ସେହି ସରକାର ‘୫-ଟି’ ମାଧ୍ୟମରେ ବିଦ୍ୟାଳୟମାନଙ୍କରେ ଯାହା କିଛି ବାହ୍ୟ ଚାକଚକ୍ୟ କରିବାରେ ସଫଳ ହୋଇଛନ୍ତି, ତାହା ଗୁଣାତ୍ମକ ଶିକ୍ଷା ପାଇଁ ପର୍ଯ୍ୟାପ୍ତ ନୁହେଁ । ତେଣୁ ବଲାଙ୍ଗିରର ଏହି ଅଗାମୀ ପିଢିର ଭବିଷ୍ୟତ ପାଇଁ ଆମକୁ ଦଳ ମତ ନିର୍ବିଶେଷରେ ଏକଜୁଟ ହୋଇ କାମ କରିବାକୁ ହେବ । ଛାତ୍ରଛାତ୍ରୀମାନଙ୍କୁ ଶୃଙ୍ଖଳାକୁ ମୂଳମନ୍ତ୍ର ରୂପେ ଗ୍ରହଣ କରିବାକୁ ହେବ । ତା ସହିତ ନାରୀ ଶିକ୍ଷା ପାଇଁ ଆମକୁ ବିଶେଷ ଗୁରୁତ୍ୱ ପ୍ରଦାନ କରିବାକୁ ହେବ । ତାହେଲେ ଯାଇ ଏ ଅଂଚଳର ସର୍ବାଙ୍ଗୀନ ବିକାଶ ହୋଇପାରିବ ବୋଲି ସ୍ଥାନୀୟ ଟାଉନ ବାଳିକା ବିଦ୍ୟାଳୟର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ନିଜ ବକ୍ତବ୍ୟରେ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ମୋର ପିତା ସ୍ୱର୍ଗତ ଯୁଧିଷ୍ଠିର ମିଶ୍ର, ନରସିଂହ ପ୍ରସାଦ ନନ୍ଦ, କୃଷ୍ଣଚନ୍ଦ୍ର ପଣ୍ଡା, ଶଙ୍କର ପାଣିଗ୍ରାହୀଙ୍କ ଭଳି ଯୋଉଁ ମହାନ ଉଦ୍ୟୋକ୍ତାମାନେ ବହୁ ପରିଶ୍ରମରେ ଏହି ବିଦ୍ୟାଳୟର ମଞ୍ଜି ବୁଣିଥିଲେ, ଏହି ଅବସରରେ ଅମେ ସେମାନଙ୍କୁ ମନେ ପକାଇ ବିଦ୍ୟାଳୟକୁ ଆହୁରି ଅଗକୁ ନେବା ପାଇଁ ପ୍ରୟାସ ଜାରି ରଖିବାକୁ ହେବ । ଯଦି ବିଦ୍ୟାଳୟର ଅଭିବାବକ, ଶିକ୍ଷକ, କର୍ମଚାରୀ ଓ ଛାତ୍ରୀମାନେ ନିଜର କର୍ତ୍ତବ୍ୟ ଓ ଦାୟିତ୍ୱକୁ ଶୃଙ୍ଖଳିତ ଭାବେ ନିର୍ବାହ କରନ୍ତି, ତେବେ ବିଦ୍ୟାଳୟର ନିଶ୍ଚୟ ଉନ୍ନତି ହେବ । ତା’ଛଡା ପ୍ରଧାନ ଶିକ୍ଷକଙ୍କ ଦାବୀ ମୁତାବକ ଆସନ୍ତା ଥର ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟକୁ ‘୫-ଟି’ର ଅଧୀନକୁ ଆଣିବା ନେଇ ସମସ୍ତ ପ୍ରୟାସ କରାଯିବ ବୋଲି ଶ୍ରୀ ମିଶ୍ର କହିଥିଲେ । ଉତ୍ସବ ପ୍ରାରମ୍ଭରେ ଶ୍ରୀ ମିଶ୍ର ପୂଜା ଅର୍ଚ୍ଚନା କରିବା ସହ ନୂତନ ଅଡିଟୋରିଅମକୁ ଉଦଘାଟନ କରିଥିଲେ । ଏଡିଇଓ କେଶବ ମେହେରଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନରେନ୍ଦ୍ର ମିଶ୍ର ଅତିଥି ପରିଚୟ ଓ ବାର୍ଷୀକ ବିରଣୀ ପାଠ କରିବା ସହ ବିଦ୍ୟାଳୟର ବିଭିନ୍ନ ସମସ୍ୟା ଉପରେ ଅତିଥିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ଧୃବ ଚରଣ ବେହେରା ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଛାତ୍ରୀଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ଗୁଣର ବିକାଶ ହିଁ ଶିକ୍ଷାର ମୂଳ ଲକ୍ଷ ହେବା ଆବଶ୍ୟକ ବୋଲି କହିଥିଲେ । ବଲାଙ୍ଗିର ପୌରାଧକ୍ଷା ଲିକା ସହୁ ଅନ୍ୟତମ ସମ୍ମାନୀତ ଅତିଥି ରୁପେ ଯୋଗ ଦେଇ ପ୍ରକୃତ ଶିକ୍ଷା ସମାଜ ଗଠନରେ ସହାୟକ ହୁଏ ବୋଲି ମତ ବ୍ୟକ୍ତ କରିଥିଲେ । ଶେଷରେ ଛାତ୍ରୀ ତଥା ଅଭିଭାବକମାନଙ୍କୁ ବିଭିନ୍ନ କ୍ଷେତ୍ରରେ ପୁରସ୍କୃତ କରାଯାଇ ଉତ୍ସାହିତ କରାଯାଇଥିଲା । ବିଦ୍ୟାଳୟର ପିଇଟି କସ୍ତୁରୀ ରଥ ସଭା ପରିଚାଳନା କରିଥିଲେ ।

yuvodaya
Leave A Reply

Your email address will not be published.