ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପଦାର୍ଥ ବିଜ୍ଞାନ ବିଭାଗର ଏକଦିବସୀୟ ଜାତୀୟ ୱେବିନାର୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗ ପକ୍ଷରୁ ୨ ଜୁଲାଇ, ୨୦୨୧ ଦିନ ଏକଦିବସୀୟ ଜାତୀୟ ୱେବିନାର୍‌ ଅନୁଷ୍ଠିତ ହୋଇଯାଇଛି । ସୁନ୍ଦର ବିଶ୍ୱ ଓ ଆମର କ୍ଷୁଦ୍ର ଧାରଣା ଶୀର୍ଷକ ଏହି ୱେବିନାର୍‌ରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର୍‌ ଉମାବଲ୍ଲଭ ମହାପାତ୍ର ଓ କୁଳସଚିବ ପ୍ରଫେସର୍‌ ଦୁର୍ଗା ପ୍ରସନ୍ନ ମହାପାତ୍ର ଉଦ୍‌ଘାଟନୀ ଉଦ୍‌ବୋଧନ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ୱେବିନାର୍‌ର ଆରମ୍ଭରେ ଶ୍ରୀରାଜବଲ୍ଲଭ ପଣ୍ଡା ମଙ୍ଗଳାଚରଣ କରିବା ପରେ ଆବାହକ ତଥା ପଦାର୍ଥ ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ଡ଼. ଜଗଜିତ୍‌ କମିଳା ୱେବିନାର୍‌ର ଲକ୍ଷ୍ୟ ଓ ପ୍ରାସଙ୍ଗିକତା ଉପରେ ଆଲୋକପାତ କରିଥିଲେ । ଉକ୍ତ ୱେବିନାର୍‌ର ଆଲୋଚ୍ୟ ବିଷୟ ଆଧାରରେ ଉକ୍ରଳ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରାଧ୍ୟାପକ ପ୍ରଫେସର୍‌ ଲମ୍ବୋଦର ପ୍ରସାଦ ସିଂହ ସୁନ୍ଦର ବିଶ୍ୱ ଏବଂ ଆଇ.ଆଇ.ଏସ୍‌.ଇ.ଆର୍‌., କଲିକତାର ପ୍ରଫେସର୍‌ ପ୍ରଦୀପ କୁମାର ମହାନ୍ତି ବିଭିନ୍ନ ବୈଜ୍ଞାନିକ ପରିଭାଷା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ୱେବିନାର୍‌ ଶେଷରେ ଅତିଥି ବକ୍ତାମାନେ ଛାତ୍ରଛାତ୍ରୀମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ । ଜାତୀୟ ୱେବିନାର୍‌ ଅବସରରେ ଏକ ଅନ୍‌ଲାଇନ୍‌ କୁଇଜ୍‌ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତାରେ ଦିନେଶ କୁମାର ପାତ୍ର ପ୍ରଥମ, ଅତୀଶ କୁମାର ଦାଶ ଦ୍ୱିତୀୟ, ସନାପଲା ପ୍ରତ୍ୟୁଶା ଓ ଶିବ ପ୍ରସାଦ ଗଡତିଆ ଯୁଗ୍ମ ଭାବରେ ତୃତୀୟ ସ୍ଥାନ ଅଧିକାର କରିବା ସହ ସୁମିତ କୁମାର ସାହୁ, ଅମନ୍‌ କୁମ୍ଭାର, ସୋନାଲି ସାହୁ, ଋତୁପର୍ଣ୍ଣା ନାୟକ ସାନ୍ତ୍ୱନାମୂଳକ ପୁରସ୍କାର ପ୍ରାପ୍ତ କରିଥିଲେ । ସହ-ଆବାହକ ଡ. ଜିତେନ୍ଦ୍ର କୁମାର ପ୍ରଧାନ ପ୍ରଶ୍ନୋତ୍ତର କାର୍ୟ୍ୟକ୍ରମ ପରିଚାଳନା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ୱେବିନାର୍‌ ଆୟୋଜନରେ ବିଶ୍ୱବିଦ୍ୟାଳୟର ପିଜି କାଉନ୍‌ସିଲ୍‌ ଚେୟାର୍‌ମେନ୍‌ ଦିପ୍ତୀମଞ୍ଜରୀ ମେହେର, ପରୀକ୍ଷା ନିୟନ୍ତ୍ରକ ପ୍ରଫେସର୍‌ ଅକ୍ଷୟ କୁମାର ମିଶ୍ର ଓ ଉପକୁଳସଚିବ ପ୍ରଫେସର୍‌ ବିଶ୍ୱଜିତ ବେହେରା ମାର୍ଗଦର୍ଶନ କରିଥିଲେ ଏବଂ ଡିଇଓ ସୁବ୍ରତ ଦାଶ ଯାନ୍ତ୍ରିକ ସହଯୋଗ ପ୍ରଦାନ କରିଥିଲେ । ଏହି ୱେବିନାର୍‌ ଗୁଗଲ୍‌ ମିଟ୍‌ ମାଧ୍ୟମରେ ଅନୁଷ୍ଠିତ ହେବା ସହ ୟୁଟ୍ୟୁବ୍‌ରେ ମଧ୍ୟ ସିଧାପ୍ରସାରଣ କରାଯାଇଥିଲା ଯେଉଁଥିରେ ୧୩୦୦ରୁ ଅଧିକ ଛାତ୍ରଛାତ୍ରୀ, ଅଧ୍ୟାପକ-ଅଧ୍ୟାପିକା ଓ ବିଜ୍ଞାନପ୍ରେମୀ ବୁଦ୍ଧିଜୀବୀ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.