ସିନଖମନଠାରେ ମେଗା ଆଇନ ସଚେତନତା ଓ ପଞ୍ଚାୟତ ଲୋକ ସେବା ଶିବିର ଅନୁଷ୍ଠିତ

  • ବିଭିନ୍ନ ଯୋଜନା ଜରିଆରେ ହିତାଧିକାରୀଙ୍କୁ ସହାୟତା ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ବଲାଙ୍ଗିର ବ୍ଲକ ଅଧିନସ୍ଥ ଶିକାଛିଡା ଗ୍ରାମ ପାଞ୍ଚାୟତ ଅନ୍ତର୍ଗତ ସିନଖମନ ଉଚ୍ଚ ବିଦ୍ୟାଳୟ ପଡିଆରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ବଲାଙ୍ଗିର ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ମେଗା ଆଇନ ସଚେତନତା ଓ ପଞ୍ଚାୟତ ଲୋକ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ବଲାଙ୍ଗିର ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ନ୍ୟାୟାଧୀଶ ଲଲାଟେନ୍ଦୁ ଜେନା ଅତିଥି ଭାବେ ଯୋଗଦେଇ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଯୋଗାଇ ଦିଆଯାଉଥିବା ମାଗଣା ଆଇନ ସହାୟତା ସମ୍ପର୍କରେ ସୂଚନା ଦେବାସହ ବିକଳ୍ପ ସମାଧାନ, ଆପୋଷ ମିଳାମିଶା ଏବଂ ଲୋକ ଅଦାଲତରେ ହେଉଥିବା ବିଭିନ୍ନ ମାମଲାର ସମାଧାନ ଉପରେ ସୂଚନା ହେଇଥିଲେ । ଗ୍ରାମବାସୀମାନେ ସରକାରଙ୍କ ବିଭିନ୍ନ ବିକାଶମୂଳକ ଓ ଜନହିତକର ଲୋକାଭିମୁଖି ଯୋଜନା ଗୁଡିକ ସମ୍ପର୍କରେ ସଚେତନ ହେବା ସହ ଏଗୁଡିକର ସୁଯୋଗ ନେବାପାଇଁ ପରାମର୍ଶ ଦେଇଥିଲେ । ସାମାଜିକ ସଦଭାବନା ପୁରସ୍କାର ସମ୍ପର୍କରେ ସୂଚନା ଦେଇ, ଯଦି କୌଣସି ରାଜସ୍ୱ ଗ୍ରାମରେ କୌଣସି ଫୌଜଦାରି କିମ୍ବା ଦେୱାନୀ ମାମଲା ନଥିବ ତେବେ ସେପରି ଗ୍ରାମ ସାମାଜିକ ସଦଭାବନା ପୁରସ୍କାର ପାଇବା ନିମନ୍ତେ ଯୋଗ୍ୟ ବିବେଚିତ ହେବ, ତେଣୁ ଏ ସମ୍ପର୍କରେ ସଚେତନ ହେବାକୁ ସେ ପରାମର୍ଶ ଦେଇଥିଲେ । ଏହି ଶିବିରରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ମହେନ୍ଦ୍ର କୁମାର ମହାପାତ୍ର ଯୋଗଦେଇ ଗ୍ରାମବାସୀଙ୍କୁ ବିଭିନ୍ନ ବିକାଶମୂଳକ ଓ ଜନହିତକର ଲୋକାଭିମୁଖି ଯୋଜନା ଗୁଡିକ ସମ୍ପର୍କରେ ସଚେତନ କରିବା ଲକ୍ଷ୍ୟରେ ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପଞ୍ଚାୟତ ଲୋକ ସେବା ଶିବିରର ଆୟୋଜନ କରାଯାଉଛି ଏବଂ ଏହାର ସୁଯୋଗ ନେବା ପାଇଁ ସେ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ । ଶିବିରରେ ବଲାଙ୍ଗିର ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ବିନୟ କୁମାର ପାତ୍ର ଯୋଗଦେଇ ଜନସାଧାରଣଙ୍କୁ ସେମାନଙ୍କ ମୌଳିକ, ନ୍ୟାୟିକ ଅଧିକାର ତଥା ସରକାରଙ୍କ ବିଭିନ୍ନ ବିକାଶମୂଳକ ଓ ଜନହିତକର ଲୋକାଭିମୁଖି ଯୋଜନା ଗୁଡିକ ସମ୍ପର୍କରେ ସଚେତନ କରିବା ଉଦ୍ଦେଶ୍ୟରେ ଏହି ଶିବିର ଆୟୋଜନ କରାଯାଇଛି ବୋଲି ପ୍ରକାଶ କରିବା ସହ ମାଗଣା ଆଇନ ସହାୟତା ଓ ସ୍ଥାୟୀ ଲୋକ ଅଦାଲତ ସମ୍ପର୍କରେ ସୂଚନା ଦେଇଥିଲେ । ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁରେଶ କୁମାର ନାଏକ ଏହି ଶିବିରରେ ଯୋଗଦେଇ ମେଗା ଆଇନ ସଚେତନତା ଓ ପଞ୍ଚାୟତ ଲୋକ ସେବା ଶିବିରର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ସିନଖମନ ଠାରେ ଅନୁଷ୍ଠିତ ଏହି ଶିବିରରେ କୃଷି, ଉଦ୍ୟାନ କୃଷି, ମତ୍ସ, ସ୍ୱାସ୍ଥ୍ୟ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସାମାଜିକ ସୁରକ୍ଷା, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ, ସମାଜ ମଙ୍ଗଳ, ଜଙ୍ଗଲ ଓ ପରିବେଶ, ରାଜସ୍ୱ ଏବଂ ବିପର୍ଯ୍ରୟ ପରିଚାଳନା, ଶ୍ରମ, ଶିକ୍ଷା ବିଭାଗ ସହ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ବିଭିନ୍ନ ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ଵାରା ପ୍ରଦର୍ଶନୀର ଆୟୋଜନ କରାଯିବା ସହ ବିଭାଗୀୟ କାର୍ଯ୍ୟାବଳି ସମ୍ପର୍କରେ ଜନସାଧାରଣଙ୍କୁ ସୂଚନା ପ୍ରଦାନ କରାଯାଇଥିଲା । ଏହି ଶିବିରରେ ସାମାଜିକ ସୁରକ୍ଷା ବିଭାଗ ଅନ୍ତର୍ଗତ ବିଭିନ୍ନ ଯୋଜନା ଜରିଆରେ ୬ ଜଣ ହିତାଧିକାରୀଙ୍କୁ ବିଧବା ଭତ୍ତା, ଭିନ୍ନକ୍ଷମଙ୍କୁ ବିବାହ ପ୍ରୋତ୍ସାହନ ଯୋଜନା ଜରିଆରେ ମାୟାବର୍ହା ଗ୍ରାମର ଅଜିତ କୁମାର ପାତ୍ର ଓ ବେଲମତି ସାହୁଙ୍କୁ ୨ ଲକ୍ଷ ୫୦ ହଜାର ଟଙ୍କାର ଚେକ୍‌, ସିନଖମନ ଗ୍ରାମର ତପସ୍ଵିନୀ ନାଏକଙ୍କୁ ହ୍ଵିଲ୍‌ ଚେୟାର ଅତିଥିମାନେ ପ୍ରଦାନ କରିଥିଲେ । ସେହିପରି ୬ ଗୋଟି ସ୍ଵୟଂ ସହାୟକ ଗୋଷ୍ଠୀକୁ ବ୍ୟାଙ୍କ ସହ ସଂଯୋଗୀକରଣ ଏବଂ ୪ ଗୋଟି ସ୍ଵୟଂ ସହାୟକ ଗୋଷ୍ଠୀକୁ ସିଆଇଏଫ ପ୍ରଦାନ କରାଯାଇଥିଲା । ପ୍ରାଣୀ ସମ୍ପଦ ବିଭାଗ ତରଫରୁ ଜଣେ ଚାଷୀଙ୍କୁ ଧଳା ଘୁଷୁରି ଏବଂ ୨ ଜଣ ଚାଷୀଙ୍କୁ ବ୍ରଏଲର କୁକୁଡା ପାଳନ ପାଇଁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା । ଶିବିରରେ ଜିଲ୍ଲାପାଇଁ ଗୌରବ ଆଣିଥିବା ଭିନ୍ନକ୍ଷମ ଛାତ୍ରୀ ପାୟଲ ନାଗଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଅଏଁଳାଚୁଆଁକୁ ପୁରସ୍କୃତ କରାଯାଇଥିଲା । ଶିବିରରେ ବିଭାଗୀୟ ସଚେତନତା ଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବା ସହ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଅଏଁଳାଚୁଆଁ ଓ ସିନଖମନ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସଚେତନତା ଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏହି ଶିବିରରେ ବଲାଙ୍ଗିର ପଞ୍ଚାୟତ ସମିତିର ଅଧ୍ୟକ୍ଷା ସରିତା ବାଗ, ଶିକାଛିଡା ଗ୍ରାମ ପାଞ୍ଚାୟତର ସରପଞ୍ଚ କ୍ଷୀରେନ୍ଦ୍ରୀ ଶତପଥି, ପାଞ୍ଚାୟତ ରାଜ ପ୍ରତିନିଧି, ବଲାଙ୍ଗିର ତହସିଲଦାର ଡ଼. ପୁଷ୍ପାଞ୍ଜଳି ପଣ୍ଡା, ବଲାଙ୍ଗିର ବିଡିଓ ପ୍ରୀତମ କୁମାର ତନ୍ତି, ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ବ୍ଲକସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

18 − 3 =