୨୯ତମ ପୁସ୍ତକ ମେଳା ଆସନ୍ତା ଫେବୃୟାରୀ ୨ରୁ ୧୧ ପର୍ଯ୍ୟନ୍ତ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଦର୍ଶ ପାଠାଗାର ଆୟୋଜିତ ୨୯ତମ ରାଉରକେଲା ପୁସ୍ତକ ମେଳା ଆସନ୍ତା ଫେବୃୟାରୀ ମାସ ୨ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ଭଞ୍ଜଭବନ ପରିସରରେ ଅନୁଷ୍ଠିତ ହେବାକୁ ଯାଉଛି । ଏନେଇ ପାଠାଗାର ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପାଠାଗାରର ସଭାପତି ଚନ୍ଦ୍ରଶେଖର ଶତପଥୀ ସାମ୍ବାଦିକଙ୍କୁ ସୂଚନା ପ୍ରଦାନ କରି କହିଲେ ଯେ ଏହି ପୁସ୍ତକ ମେଳାରେ ଓଡ଼ିଶାର ସମସ୍ତ ପୁସ୍ତକ ପ୍ରକାଶନ ଓ ବିକ୍ରେତାମାନଙ୍କୁ ଯୋଗ ଦେବାକୁ ଆଦର୍ଶ ପାଠାଗାର ଓ ଭଞ୍ଜ ସାଂସ୍କୃତିକ ନ୍ୟାସ ତରଫରୁ ଅନୁରୋଧ କରାଯାଇଛି । ଏହି ମେଳାରେ ୮୦ଟି ଷ୍ଟଲର ବୁକିଙ୍ଗ ସରିଥିବା ବେଳେ ଦିଲ୍ଲୀ, କଲିକତା ସମେତ ଓଡ଼ିଶାର ପ୍ରମୁଖ ପ୍ରକାଶକ ତଥା ପୁସ୍ତକ ବିକ୍ରେତା ୩୮ଟି ଅନୁଷ୍ଠାନ ଏଥିରେ ଯୋଗଦେବେ । ସେହିପରି ଚଳିତ ବର୍ଷ ସମ୍ମାନ ଜନକ ଲକ୍ଷ୍ମୀଧର ନାୟକ ସାରସ୍ଵତ ସ୍ମୃତି ସମ୍ମାନ କବି ବିଜୟ ରାୟଙ୍କୁ ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଛି । ଏହି ସମ୍ବାଦିକ ସମ୍ମିଳନୀରେ ଶ୍ରୀ ଶତପଥିଙ୍କ ବ୍ୟତୀତ କାର୍ଯ୍ୟକାରୀ ସଭାପତି ରାଧାକାନ୍ତ ମିଶ୍ର, ସାଧାରଣ ସମ୍ପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ ଓ ଉପସଭାପତି ବାଉରୀ ବନ୍ଧୁ ସାହୁ ପ୍ରମୁଖ ମଞ୍ଚାସୀନ ଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ଡ. ବସନ୍ତ କୁମାର ଦାସ, ଜ୍ୟୋତିରଞ୍ଜନ ମହାପାତ୍ର, ପ୍ରଦୀପ ପଟ୍ଟନାୟକ, ବିଜୟ ପାତ୍ର, ଟୁକୁଲା ପାଢ଼ୀ, ପଞ୍ଚାନନ ପାତ୍ର, ପ୍ରେମାନନ୍ଦ ସାମଲ, ଲୋକ ସମ୍ପର୍କ ଅଧିକାରୀ କୁଞ୍ଜବିହାରୀ ରାଉତ, କଳ୍ପନା ଶତପଥୀ, ସସ୍ମିତା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ ଏହି ପୁସ୍ତକମେଳା ଗତ ୨୮ ବର୍ଷ ଧରି ଚାଲି ଆସୁ ଥିବାବେଳେ ଚଳିତ ବର୍ଷ ଏହା ୨୯ତମ ବର୍ଷରେ ପଦାର୍ପଣ କରିଛି । ତେବେ ପୂର୍ବ ବର୍ଷମାନଙ୍କରେ ସରକାରୀ ଓ ଆର୍‌ଏସ୍‌ପି ତରଫରୁ ପ୍ରୋତ୍ସାହନ ଯୋଗାଇ ଦେଉଥବା ବେଳେ ଗତ ୫ ବର୍ଷ ହେଲାଣି ଏହା ସମ୍ପୂର୍ଣ୍ଣ ବନ୍ଦ ରହିଛି । ତେବେ ବି ପାଠାଗାର ତା’ର ସାମାଜିକ ପ୍ରତିବଦ୍ଧତାକୁ ରକ୍ଷା କରି ଏହିଭଳି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ କରିଆସୁଛି । ଏନେଇ ସଭାପତି ଶ୍ରୀ ଶତପଥି ତାଙ୍କ ବକ୍ତବ୍ୟରେ ପୁସ୍ତକ ପ୍ରତି ଛାତ୍ରଛାତ୍ରୀ ତଥା ସମସ୍ତଙ୍କୁ ଆକୃଷ୍ଟ କରିବା ପାଇଁ ଏହା ପ୍ରୟାସ ବୋଲି କହିଥିଲେ । ଶେଷରେ ସାଧାରଣ ସମ୍ପାଦକ ଶ୍ରୀ ଖୁଣ୍ଟିଆ ଧନ୍ୟବାଦ ଅର୍ପଣ କରିଥିଲେ । ଆସନ୍ତା ୨ତାରିଖ ଦିନ ଉଦ୍‌ଘାଟକ ଭାବେ ଡାମିଟ୍‌ସର ଅଧ୍ୟକ୍ଷ ଯତୀନ୍ଦ୍ର ନାୟକ ଯୋଗଦେଇ ଥିବାବେଳେ ୩ ତାରିଖରେ ସଙ୍ଗୀତ ପ୍ରତିଯୋଗିତା, ୪ ତାରିଖରେ ଚିତ୍ରାଙ୍କନ ଓ ଏକକ ନୃତ୍ୟ ପ୍ରତିଯୋଗିତା, ୫ ତାରିଖରେ ଉତ୍କଳ ଗୀତିକବି ସମାଜ, ୬ ତାରିଖରେ କଲ୍‌ଚରାଲ୍‌ ଏକାଡେମୀ, ୭ ତାରିଖରେ ଇସ୍ପାତ ସାହିତ୍ୟ ସଂସଦ, ୮ ତାରିଖରେ ଯାଜ୍ଞସେନୀ, ୯ ତାରିଖରେ ଧାମରା ସାହିତ୍ୟ ସଂସଦ, ୧୦ ତାରିଖରେ ସମ୍ବାଦ ସାହିତ୍ୟ ଘରର ସାହିତ୍ୟ ସନ୍ଧ୍ୟା ଓ ୧୧ ତାରିଖ ଦିନ ଉଦ୍‌ଯାପନୀ ଉତ୍ସବରେ କୌତୁକ ପୋଷାକ ପ୍ରତିଯୋଗିତା ଓ ପୁରସ୍କାର ବିତରଣୀ କାର୍ଯ୍ୟକ୍ରମ କରାଯିବ । ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡର ସାଂସଦ ତଥା ପ୍ରତିରକ୍ଷା ସଂସଦୀୟ କମିଟିର ଅଧ୍ୟକ୍ଷ ଜୁଏଲ ଓରାମ ମୁଖ୍ୟ ଅତିଥି ଭାବେ ଯୋଗଦେବେ ବୋଲି ସୂଚନା ଦିଆଯାଇଛି ।

Leave A Reply

Your email address will not be published.

eighteen − 7 =