ବାତ୍ୟା ରୂପ ନେଲା ‘ମିଗ୍‌ଜୋମ୍‌’

ଭୁବନେଶ୍ୱର : ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ରବିବାର ଦିନ ସାମୁଦ୍ରିକ ଝଡ଼ ବା ବାତ୍ୟାର ରୂପ ନେଇଛି । ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ପକ୍ଷ୍ୟରୁ ସୂଚନାନୁସାରେ, ରବିବାର ସନ୍ଧ୍ୟା ୭ଟା ୪୫ ସୁଦ୍ଧା ଏହା ପୁଡୁଚେରୀଠାରୁ ପ୍ରାୟ ୨୪୦ କି.ମି ପୂର୍ବ, ଚେନ୍ନାଇଠାରୁ ୨୧୦ କି.ମି ପୂର୍ବ-ଦକ୍ଷିଣ-ପୂର୍ବ, ନେଲ୍ଲୋରଠାରୁ ୩୩୦ କି.ମି ଦକ୍ଷିଣ-ଦକ୍ଷିଣ ପୂର୍ବ ଏବଂ ମଛଲିପଟନମ୍‌ଠାରୁ ୪୫୦ କି.ମି. ଦକ୍ଷିଣ-ଦକ୍ଷିଣ ପୂର୍ବରେ କେନ୍ଦ୍ରୀଭୂତ ହୋଇଛି । ଏହା ଘଣ୍ଟା ପ୍ରତି ୮ କି.ମି ବେଗରେ ଆଗକୁ ବଢ଼ୁଛି । କ୍ରମଶଃ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଆହୁରି ଘନୀଭୂତ ହୋଇ ଆଜି ସକାଳ ସୁଦ୍ଧା ଦକ୍ଷିଣ ଆନ୍ଧ୍ରପ୍ରଦେଶ ଏବଂ ସଂଲଗ୍ନ ଉତ୍ତର ତାମିଲନାଡୁ ଉପକୂଳ ନିକଟ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚିବ । ଏହାପରେ ପ୍ରାୟ ସମାନ୍ତରାଳ ଭାବେ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ନିକଟରେ ଗତି କରି ୫ ତାରିଖ ପୂର୍ବାହ୍ନରେ ନେଲ୍ଲୋର ଓ ମଛଲିପଟନମ୍‌ ମଧ୍ୟରେ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବ । ଏହି ସମୟରେ ଘଣ୍ଟା ପ୍ରତି ସର୍ବାଧିକ ୯୦ରୁ ୧୦୦ କି.ମି ବେଗରେ ପବନ ବହିବ । ଏହାର ପ୍ରଭାବରେ ଓଡ଼ିଶାରେ ୩ଦିନ ଭାରି ବର୍ଷାର ସମ୍ଭାବନା ରହିଥିବାରୁ ଏନେଇ ସତର୍କ କରିଛି ପାଣିପାଗ ବିଭାଗ । ପ୍ରବଳ ବର୍ଷାର ପୂର୍ବାନୁମାନ କରି ସୋମବାର ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲା ପାଇଁ ୟେଲୋ ୱାର୍ନିଂ ଜାରି ହୋଇଛି । ସେହିପରି ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ପୁରୀ, ମାଲକାନଗିରି, କୋରାପୁଟ, ରାୟଗଡ଼ା, ନୟାଗଡ଼, ଖୋର୍ଦ୍ଧା, ଗଜପତି, ଜଗତ୍‌ସିଂହପୁର, କନ୍ଧମାଳ ଓ ଗଞ୍ଜାମ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା (୭ ରୁ ୨୦ ସେମି) ହେବ । ଉପକୂଳ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ, ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା, ମାଲକାନଗିରି, କୋରାପୁଟ ଜିଲ୍ଲାର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବଜ୍ରପାତ ହେବାର ସମ୍ଭାବନା ରହିଛି । ଅନ୍ୟପକ୍ଷରେ ୪ ତାରିଖ ଠାରୁ ୫ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ । ତେଣୁ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଗଭୀର ସମୁଦ୍ର ଭିତରକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି । ଏଥିସହ ୬ ତାରିଖ ପର୍ଯ୍ୟନ୍ତ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ସହ ଓଡ଼ିଶା ଉପକୂଳ ଅଞ୍ଚଳକୁ ସତର୍କତା ଜାରି ହୋଇଛି । ସେହିଭଳି ବାତ୍ୟା କ୍ଷେତରେ ଛିଡ଼ା ହୋଇଥିବା ଫସଲ ଓ ପନିପରିବା, କଚ୍ଚା ରୋଡ୍‌ ଏବଂ କଚ୍ଚା ଘର ଗୁଡ଼ିକୁ କ୍ଷତି ପହଞ୍ଚାଇପାରେ । ତେଣୁ ପାଚିଲା ଧାନ, ମାଣ୍ଡିଆ, ବାଜରା, କପା ଓ ଅନ୍ୟାନ୍ୟ ଫସଲ, ଉଦ୍ୟାନ କୃଷି ଫସଲ ଓ ପନିପରିବା ଅମଳକୁ ସୁରକ୍ଷିତ ସ୍ଥାନରେ ରଖିବା ସହ ଫସଲ ଥିବା ଚାଷ ଜମିରୁ ଅତିରିକ୍ତ ପାଣି ନିଷ୍କାସନ ବ୍ୟବସ୍ଥା କରିବାକୁ ଆଇଏମ୍‌ଡି ପକ୍ଷରୁ ପରାମର୍ଶ ଦିଆଯାଇଛି ।

Leave A Reply

Your email address will not be published.

fifteen − 1 =