pakka

ସାମୁହିକ ଅଭ୍ୟାସ ମାଧ୍ୟମରେ ବିପର୍ଯ୍ୟୟ ପ୍ରସ୍ତୁତି ନିମିତ୍ତ ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ

bbehera

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ବିଗତ ବର୍ଷ ମାନଙ୍କ ପରି ଏ ବର୍ଷ ମଧ୍ୟ ସୁବର୍ଣ୍ଣପୁର ଜିଲ୍ଲାରେ ବିପର୍ଯ୍ୟୟ ପ୍ରସ୍ତୁତି ନିମିତ୍ତ ସାମୁହିକ ଅଭ୍ୟାସ ବା ମକଡ୍ରିଲ ଚଳିତ ମାସ ୧୯ ତାରିଖ ରେ ଅନୁଷ୍ଠିତ ହେବ । ସାମୁହିକ ଅଭ୍ୟାସ ଦ୍ୱାରା କମ୍ୟୁନିଟିକୁ ବିପର୍ଯ୍ୟୟରୁ ରକ୍ଷା କରିବା ଏହାର ଲକ୍ଷ୍ୟ ଅଟେ । ସାଧାରଣ ଜନତାଙ୍କ ମଧ୍ୟରେ ସଚେତନତା ଜାଗରଣ କରିବା, ବିଭିନ୍ନ ସରକାରୀ ବିଭାଗ ନିଜର କର୍ତ୍ତବ୍ୟ ଅନୁପାଳନ କରିବା, ଯୋଗାଯୋଗ ବ୍ୟବସ୍ଥାର ସୁଦୃଢ଼ିକରଣ କରିବା ତଥା ସାଧାରଣ ଜନତାଙ୍କୁ ସ୍ଥାନାନ୍ତରଣ, ଆଶ୍ରୟ ସ୍ଥଳୀ ପରିଚାଳନା, ସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ଏବଂ ପ୍ରାଥମିକ ଚିକିତ୍ସା ଆଦି ବିଷୟରେ ସୁପରିଚିତ କରାଇବା ସାମୁହିକ ଅଭ୍ୟାସର ମୂଳ ଉଦ୍ଦେଶ୍ୟ ଅଟେ । ଜୁନ ମାସ ୧୯ ତାରିଖରେ ହେବାକୁ ଥିବା ସାମୁହିକ ଅଭ୍ୟାସକୁ କିପରି ସୂଚାରୁ ରୂପେ ସମ୍ପାଦନ କରାଯାଇପାରିବ ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସମନ୍ୱୟ ବୈଠକ ଜିଲ୍ଲାପାଳଙ୍କ ସମ୍ବିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀମତୀ ଅବୋଲି ସୁନୀଲ ନରୱାଣେ ଉକ୍ତ ବୈଠକରେ ସଭାପତିତ୍ୱ କରିଥିଲେ । ଉକ୍ତ ବୈଠକରେ ଜିଲ୍ଲା ସ୍ତରୀୟ ଅଧିକାରୀ ବୃନ୍ଦ, ବ୍ଲକସ୍ତରୀୟ ଅଧିକାରୀ ବୃନ୍ଦ, ନୋଡାଲ ଏନ୍‌ଜିଓ ବୃନ୍ଦ, ବନ୍ୟା ଆଶ୍ରୟସ୍ଥଳୀ ପରିଚାଳନା କମିଟି ସଭାପତି ଓ ସମ୍ପାଦକ ବୃନ୍ଦ, ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି, ରେଡ଼କ୍ରସର ଉପସଭାପତି, ଜିଲ୍ଲା ସଂଯୋଜକ, ୟୁଥ ରେଡକ୍ରସମାନେ ଉପସ୍ଥିତ ଥିଲେ । ଜିଲ୍ଲାର ସମସ୍ତ ୦୬ (ଛଅ) ଗୋଟି ବନ୍ୟା ଆଶ୍ରୟସ୍ଥଳୀରେ ଏହି ସାମୁହିକ ଅଭ୍ୟାସ କରାଯିବ । ଏହା ପୂର୍ବରୁ ଆସନ୍ତା, ୧୮ ତାରିଖ ଦିନ ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ଜିଲ୍ଲାସ୍ତରୀୟ ଟେବୁଲ ଟପ୍‌ ଏକ୍ସରସାଇଜ ଓ ଅପରାହ୍ନ ୦୪ ଘଣ୍ଟା ସମୟରେ ସମସ୍ତ ବ୍ଲକ ସଦର ମହକୁମାରେ ଟେବୁଲ ଟପ ଏକ୍ସରସାଇଜ ଅନୁଷ୍ଠିତ ହେବ । ବନ୍ୟାର ସୂଚନା ଆସିଲେ ସରକାରୀ ବିଭାଗୀୟ ଅଧିକାରୀମାନେ କି କି ପଦକ୍ଷେପ ନେବେ ତାର ଏକ ପୂର୍ବାଭିନୟ କରାଯିବ । ସମସ୍ତ ଅଧିକାରୀମାନେ ବନ୍ୟା ବିପର୍ଯ୍ୟୟର ସୁପରିଚାଳନା ନିମନ୍ତେ ବନ୍ୟା ପୂର୍ବରୁ, ବନ୍ୟା ସମୟରେ ଓ ବନ୍ୟା ପରବର୍ତ୍ତୀ ସମୟରେ କ’ଣ କ’ଣ କାର୍ଯ୍ୟ କରିବେ ତା’ର ଏକ ପାୱାର ପଏଣ୍ଟ ଉପସ୍ଥାପନା କରାଯିବ । ୧୯ ତାରିଖରେ ସମସ୍ତ ୦୬ ଗୋଟି ବନ୍ୟା ଆଶ୍ରୟସ୍ଥଳୀରେ ସାମୁହିକ ଅଭ୍ୟାସ କରାଯିବା ପୂର୍ବରୁ ପରିଚାଳନା କମିଟି ତା’ର ପ୍ରସ୍ତୁତି ଆରମ୍ଭ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ପରିଚାଳନା କମିଟି ଏକ ବୈଠକ ମାଧ୍ୟମରେ ଟାସ୍କ ଫୋର୍ସ ଭଲ୍ୟୁଣ୍ଟର ଏବଂ ଅନ୍ୟାନ୍ୟ ସଦସ୍ୟଙ୍କୁ ଦାୟିତ୍ୱ ବଣ୍ଟନ କରିବା ସହ ଓ ଏସ୍‌ଡିଏମ୍‌ଓ ତରଫରୁ ଦିଆଯାଇଥିବା ସମସ୍ତ ଯନ୍ତପାତି ବା ଉପକରଣ ଗୁଡିକର ଯାଞ୍ଚ କରାଇବାକୁ କୁହାଯାଇଥିଲା । ଉଭୟ ଟେବୁଲ ଟପ୍‌ ଏକ୍ସରସାଇଜ ଓ ମକଡ୍ରିଲ ପର୍ଯ୍ୟବେକ୍ଷଣ ପାଇଁ ଜିଲ୍ଲାସ୍ତରର ଅଧିକାରୀଙ୍କୁ ଚୟନ କରାଯାଇଥିଲା । ସାମୁହିକ ଅଭ୍ୟାସ ବା ମକଡ୍ରିଲର ସଫଳ ପରିଚାଳନା ପାଇଁ ସମସ୍ତେ ସହଯୋଗ କରିବା ପାଇଁ ଜିଲ୍ଲାପାଳ ସମସ୍ତଙ୍କୁ ଅନୁରୋଧ କରିଥିଲେ ।

Leave A Reply

Your email address will not be published.

4 × four =