pakka

ବସୁଧା ଯୋଜନାରେ ଅବ୍ୟବସ୍ଥା : ଜଲ୍‌ପାଙ୍କେଲ୍‌ରେ ଜଳ ଦୂଷିତ, ସାଧାରଣରେ ଅସନ୍ତୋଷ

bbehera

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ମାଲପଡା ପଞ୍ଚାୟତ ଅନ୍ତର୍ଗତ ଜଲ୍‌ପାଙ୍କେଲ୍‌ ଗ୍ରାମରେ ଥିବା ବସୁଧା ଯୋଜନାରେ ତିଆରି ହୋଇଥିବା ପାଣି ଟାଙ୍କିର ଅବ୍ୟବସ୍ଥା କହିଲେ ନସରେ । ଏହି ଗାଁରେ ପ୍ରାୟ ଦୁଇରୁ ତିନି ହଜାର ଲୋକ ବସବାସ କରନ୍ତି । ଲୋକଙ୍କ ପିଇବା ପାଣିର ସୁବିଧା ପାଇଁ ସରକାରଙ୍କ ବସୁଧା ଯୋଜନାରୁ ୨୦୧୮- ୨୦୧୯ରେ ଆରମ୍ଭ ହୋଇଥିଲା ଜଳ ଯୋଗାଣ ବ୍ୟବସ୍ଥା । କିନ୍ତୁ ଏବେ ଏଥିରେ ନାହିିଁ ନଥିବା ଅବ୍ୟବସ୍ଥା ଦେଖିବାକୁ ମିଳିଛି । ବିଭିନ୍ନ ରୋଗକୁ ନେଇ ଭୟ ଲାଗି ରହିଥିବା ବେଳେ ଗାଁ ଲୋକେ ଦୂଷିତ ପାଣି ଦେଖି ପିଇବା ପାଇଁ ଭୟ କରୁଛନ୍ତି । ପାଣିର ମାନ ନିୟମିତ ପରୀକ୍ଷା ମଧ୍ୟ କରାଯାଉନାହିଁ । ଯେତେବେଳେ ଗୋଳିଆ ପାଣି ଆସୁଥିବା ଅଭିଯୋଗ ଆସିଲେ, ବିଭାଗ ପକ୍ଷରୁ ବ୍ଲିଚିଙ୍ଗ ପାଉଡର ବ୍ୟବହାର କରି ବିଭାଗୀୟ ଅଧିକାରୀ କାମ ସାରି ଦେଉଥିବା ଅଭିଯୋଗ ହେଉଛି । ରକ୍ଷଣାବେକ୍ଷଣ ପାଇଁ ଲକ୍ଷ ଲକ୍ଷ ଟଙ୍କା ଆସୁଛି ସତ, କିଂତୁ ତାହା ସଠିକ ଭାବେ କାର୍ଯ୍ୟକାରୀ ହେଉନାହିଁ ବୋଲି ଅଂଚଳବାସୀ ଅଭିଯୋଗ କରିଛନ୍ତି । ସରକାରୀ ବାବୁମାନେ ନିଜ ରୁମ୍‌ରେ ଅତ୍ୟାଧୁନିକ ଇଲେକ୍ଟ୍ରୋନିକ୍ସ ଫିଲ୍‌ଟର୍‌ର ପାଣି ପିଉଥିବା ବେଳେ ସାଧାରଣ ଅଞ୍ଚଳବାସୀଙ୍କ ଅସୁବିଧା ଜାଣି ପାରୁନଥିବେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଏବେ ବସୁଧା ଯୋଜନାର ଭିତ୍ତିଭୂମିକୁ ଦେଖିଲେ ଜଣାପଡ଼ୁଛି ଏହି ଅଞ୍ଚଳର ଲୋକଙ୍କ ପାଇଁ ପ୍ରଶାସନ କେତେ ତତ୍ପର ଓ ବସୁଧା ଯୋଜନାରେ ଜଳ ଯୋଗାଣ କିପରି ଚାଲିଛି । ଏଠାରେ ଜଳ ଯୋଗାଣରେ ଅବ୍ୟବସ୍ଥାର ସୀମା ନାହିିଁ । ମୁକୁଳା ପଡିଥିବା ପାଣି ଟାଙ୍କିରୁ ଗାଁକୁ ଜଳ ଯୋଗାଣ ହେଉଥିବା ମୁଖ୍ୟ ପାଇପ୍‌ର ଟାଙ୍କି, ସେଥିରେ ପୁଣି ମଦ ପ୍ୟାକେଟ, ଅନାବନା ଗଛ, ବର୍ଜ୍ୟବସ୍ତୁ, ଭଙ୍ଗା ବୋତଲ, ଜରି ପ୍ୟାକେଟ ପରିପୂର୍ଣ୍ଣ ହୋଇଥିବା ବେଳେ ତଥାପି ଚାଲିଛି ଜଳ ଯୋଗାଣ । ଲୋକେ ଦୂଷିତ ଜଳ ପିଇ ବିଭିନ୍ନ ପ୍ରକାର ଜଳଜନିତ ରୋଗ, ମାରାତ୍ମକ ବ୍ୟାଧିରେ ପଡୁଥିବା ବେଳେ ଆଗକୁ ବି ଏହି ସମସ୍ୟା ଆହୁରି ଜଟିଳ ଆକାର ଧାରଣ କରିବ ବୋଲି ବୁଦ୍ଧିଜୀବୀମାନେ ମତ ଦେଉଛନ୍ତି । ଜଳ ଯୋଗାଣର ଅବ୍ୟବସ୍ଥାକୁ ନେଇ ବିଭାଗୀୟ ଅଧିକାରୀଙ୍କୁ ଜଲ୍‌ପାଙ୍କେଲ୍‌ ଗ୍ରାମବାସୀ ଅନେକ ଥର ଅଭିଯୋଗ କରିଥିଲେ ମଧ୍ୟ ନିଦାବିଷ୍ଣୁ ସାଜିଛି ପ୍ରଶାସନ । ଏ ବିଷୟରେ ଆର୍‌ଡବ୍ଲୁଏସ୍‌ଏସ୍‌ ଦ୍ଵିତୀୟ କନିଷ୍ଠ ଯନ୍ତ୍ରୀ ଶ୍ୟାମ କୁମାରଙ୍କୁ ପଚାରିବାରୁ ଉକ୍ତ ପ୍ରୋଜେକ୍ଟକୁ ପଞ୍ଚାୟତକୁ ହସ୍ତାନ୍ତର କରାଯାଇଛି ବୋଲି ସେ କହିଥିଲେ । ଅନ୍ୟପଟେ ମାଲପଡ଼ା ପଞ୍ଚାୟତ ସରପଞ୍ଚ ଗୋପାଲ ମେହେରଙ୍କ ଘର ପାଣି ଟାଙ୍କିରୁ ମାତ୍ର ୧୦୦ ମିଟର ଦୂରରେ ରହିଥିବା ବେଳେ ଏ ବିଷୟରେ ସରପଞ୍ଚଙ୍କୁ ପଚରା ଯିବାରୁ ସେ ଏ ବିଷୟରେ ଜାଣି ନାହାନ୍ତି ବୋଲି କହିଛନ୍ତି । ପରିସ୍ଥିତି ଅନୁଧ୍ୟାନ କଲା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିଜ ମତ ରଖିଛନ୍ତି । ଏଠି କହିବ କାହାକୁ, ଶୁଣିବ କିଏ ? ସାଧାରଣ ଲୋକ କରିବେ କ’ଣ ? ଦୀର୍ଘ ଦିନ ହେଲା ଲୋକଙ୍କ ଘରକୁ ଯୋଗାଣ ହେଉଥିବା ଦୂଷିତ ପାଣିକୁ ନେଇ ଗ୍ରାମବାସୀ ଏବେ ଆତଙ୍କିତ ।

jay balangir
Leave A Reply

Your email address will not be published.

1 × 4 =

error: Content is protected !!