
ବଲାଙ୍ଗିର, (କେପିଏନ୍ଏସ୍) : ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ପରିବାର କଲ୍ୟାଣ ଅଧିକାରୀଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟ ସେବା ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାର ସାମଗ୍ରିକ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାର କାର୍ଯ୍ୟକାରିତା ଓ ଅଗ୍ରଗତି ସମ୍ପର୍କରେ ବିସ୍ତୃତ ସମୀକ୍ଷା କରାଯାଇଥିଲା । ଏହି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ପରିବାର କଲ୍ୟାଣ ଅଧିକାରୀ ଡା. ପୁଷ୍ପାଞ୍ଜଳି ମିଶ୍ର, ଡିପିଏଚ୍ଓ ଡା. ଯଦୁମଣି ନାୟକ, ଡିଏମ୍ଓ (ଏମ୍ଏସ୍) ତଥା ସୁପରିଣ୍ଟେଣ୍ଡେଣ୍ଟ ଡା. ଲଲିତ ମୋହନ ବିଶି, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ପୁଷ୍ପାଞ୍ଜଳି ନିଶାଙ୍କ, ପ୍ରଶାସନିକ ଅଧିକାରୀ ଇଷ୍ପିତା ପାତ୍ର ଏବଂ ବିତ୍ତୀୟ ଅଧିକାରୀ ଦୟାନିଧି ମାଝୀ ପ୍ରମୁଖ ମଞ୍ଚାସୀନ ଥିଲେ । ବୈଠକ ଅବସରରେ ଜିଲ୍ଲାପାଳ ଜାତୀୟ ସ୍ୱାସ୍ଥ୍ୟ ମିଶନ ଅନ୍ତର୍ଗତ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ, ଟୀକାକରଣ ଏବଂ ପରିବାର କଲ୍ୟାଣ କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କରିଥିଲେ । ଏହା ସହିତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ନିରାପଦ ମାତୃତ୍ୱ ଏବଂ ‘ଟିବି ମୁକ୍ତ ଭାରତ ଅଭିଯାନ’ର ସଫଳ କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱାରୋପ କରିଥିଲେ । ବିଶେଷ କରି ପ୍ରବାସୀ ପ୍ରବଣ ଅଞ୍ଚଳରେ ଗର୍ଭବତୀ ମହିଳା ଓ ଶିଶୁମାନଙ୍କ ସ୍ୱାସ୍ଥ୍ୟ ଉପରେ କଡ଼ା ନଜର ରଖିବା ସହ ସ୍ୱାସ୍ଥ୍ୟ ସମ୍ପର୍କିତ ସଚେତନତା ବୃଦ୍ଧି କରିବା ପାଇଁ ଆଶା ଓ ମେଡିକାଲ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ଅନୁରୂପ ଭାବେ ରେଫ୍ରାଲ୍ ମାମଲାରେ ଗୁରୁତର ରୋଗୀଙ୍କୁ ତ୍ୱରିତ ଓ ଉନ୍ନତ ଚିକିତ୍ସା ନିମନ୍ତେ ଯଥାଶୀଘ୍ର ସ୍ଥାନାନ୍ତର କରିବା ପାଇଁ ମେଡିକାଲ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆବଶ୍ୟକୀୟ ଭିତ୍ତିଭୂମି ଓ ଚିକିତ୍ସା ଉପକରଣର ସ୍ଥିତି ସମ୍ପର୍କରେ ମଧ୍ୟ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦତ୍ତ ବିଭିନ୍ନ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଯୋଜନାର ସଫଳ ରୂପାୟନ ଓ କାର୍ଯ୍ୟକାରିତା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । ଏଥିସହିତ ଜିଲ୍ଲାର ସମସ୍ତ ମେଡିକାଲ ସଂସ୍ଥାର ନୂତନ ଓ ପୁରୁଣା କୋଠାର ଭିତ୍ତିଭୂମି ବିକାଶ, ଅତ୍ୟାବଶ୍ୟକ ଔଷଧର ଉପଲବ୍ଧତା ଏବଂ କାର୍ଯ୍ୟରତ କର୍ମଚାରୀଙ୍କ ସ୍ଥିତି ସମ୍ପର୍କରେ ଜିଲ୍ଲାପାଳ କାର୍ଯ୍ୟନିର୍ବାହୀ ସଂସ୍ଥା ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ପରିବାର କଲ୍ୟାଣ ଅଧିକାରୀଙ୍କ ସହ ସବିଶେଷ ଆଲୋଚନା କରିଥିଲେ । ବଜାରରେ ବିକ୍ରି ହେଉଥିବା ଖାଦ୍ୟ ଓ ଔଷଧର ଗୁଣମାନ ପରୀକ୍ଷା ପାଇଁ ଅଧିକ ସଂଖ୍ୟାରେ ବିଭିନ୍ନ ସ୍ଥାନରେ ଚଢ଼ାଉ ଓ ତଦନ୍ତ କରିବାକୁ ଔଷଧ ଓ ଖାଦ୍ୟ ନିରୀକ୍ଷକମାନଙ୍କୁ ଜିଲ୍ଲାପାଳ କଡ଼ା ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକକୁ ଡିପିଏମ୍ ରାଜେଶ ରାଓ ପଟ୍ଟନାୟକ ପରିଚାଳନା କରିଥିବା ବେଳେ ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ପଦାଧିକାରୀ ଏବଂ ବିଭାଗୀୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।