ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଜୀବନରେଖା କୁହାଯାଉଥିବା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଅଗ୍ରଗତି, ବିସ୍ଥାପନ, କ୍ଷତିପୂରଣକୁ ନେଇ ସ୍ଥାନୀୟ ସର୍କିଟ ହାଉସ ଠାରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର, ବଲାଙ୍ଗିର ଜିଲ୍ଲାପାଳ ଓ ଜଳସେଚନ ପ୍ରକଳ୍ପର ମୁଖ୍ୟଯନ୍ତ୍ରୀ, ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଲୋଚନାରେ ପ୍ରକଳ୍ପ ଅଞ୍ଚଳର ଲୋକେ ଯେପରି ଠିକ୍ ହିସାବରେ କ୍ଷତିପୂରଣ ପାଇ ଶାନ୍ତିପୂର୍ଣ୍ଣ ଢଙ୍ଗରେ ବିସ୍ଥାପନ ହୋଇପାରିବେ ତଥା ଲୋକଙ୍କ ଯାହା ଆପତ୍ତି ଅଭିଯୋଗ ଥିଲା ବିସ୍ଥାପନ ପୂର୍ବରୁ ସେ ସବୁର ଠିକ୍ ହିସାବରେ ଶୁଣାଣି ହୋଇ ପ୍ରଶାସନ ସେମାନଙ୍କ ପ୍ରାପ୍ୟ ପ୍ରଦାନ ଠିକ୍ ହିସାବରେ କରିବ ସେ ଉପରେ ବଲାଙ୍ଗିର ବିଧାୟକ ଶ୍ରୀ ମିଶ୍ର ଗୁରୁତ୍ୱାରୋପ କରିଥିଲେ । ପ୍ରକଳ୍ପ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଗୁଡିକର ସୂଚନା ଠିକ୍ ସମୟରେ ପ୍ରକଳ୍ପ ଅଧିକାରୀମାନେ ତାଙ୍କୁ ଅବଗତ କରିବାକୁ ଶ୍ରୀ ମିଶ୍ର କହିଥିଲେ । ଜିଲ୍ଲାପାଳ ମଧ୍ୟ ଏ ସଂପର୍କରେ ତୁରନ୍ତ ପ୍ରକଳ୍ପ ଅଧିକାରୀମାନଙ୍କୁ ପ୍ରକଳ୍ପ ସମ୍ବନ୍ଧୀୟ ଯାହା କିଛି କାର୍ଯ୍ୟକ୍ରମ ନିଆଯାଉଛି ଅଧିକାରୀମାନେ ସେ ସବୁ ବିଧାୟକ ଶ୍ରୀ ମିଶ୍ରଙ୍କ ଗୋଚରରେ ଜାଣିବାକୁ ନିର୍ଦ୍ଦେଶ ଦେଇଥିଲେ । ଲୋୟର ସୁକତେଲକୁ ନେଇ ଏହା ପୂର୍ବ ବୈଠକରେ ଯାହା କିଛି ନିଷ୍ପତ୍ତି ନିଆଯାଇଥିଲା ସେ ଉପରେ ଅଧିକାରୀମାନେ ସ୍ୱତନ୍ତ୍ର ଧ୍ୟାନ ଦିଅନ୍ତୁ ବୋଲି ଶ୍ରୀ ମିଶ୍ର ଗୁରୁତ୍ୱାରୋପ କରିବା ସହ ଖୁଣ୍ଟପାଲି, ବଡତେଲେନପାଲି ଓ ତା ଆଖପାଖ ଅଞ୍ଚଳରୁ ଆସୁଥିବା ଅଭିଯୋଗ ଗୁଡିକୁ ହୃଦୟତାର ସହ ଶୁଣି ତାର ସମାଧାନ କରିବାକୁ କହିଥିଲେ । ଏପରି ଅନେକ ଅଞ୍ଚଳ ଅଛି ଯେଉଁ ଅଞ୍ଚଳକି ଆଂଶିକ ଭାବେ ପ୍ରକଳ୍ପ ଦ୍ୱାରା ପ୍ରଭାବିତ ହେଉଛି । ସେ ସବୁର ଠିକ୍ ଭାବରେ ତଦନ୍ତ କରି ଲୋକେ ଯେପରି ଉଚିତ କ୍ଷତିପୂରଣ ପାଇପାରିବେ ତା ଉପରେ ଆଲୋଚନା ହୋଇଥିଲା । ପରେ ପରେ ବଲାଙ୍ଗିର ପୌରାଞ୍ଚଳର ବିଭିନ୍ନ ସମସ୍ୟାକୁ ନେଇ ପୌର ନିର୍ବାହୀ ଅଧିକାରୀ ତଥା ପୌର ଯନ୍ତ୍ରୀମାନଙ୍କୁ ନେଇ ଆଲୋଚନା ଅନୁଷ୍ଠିତ ହୋଇଥିଲା । ଏଥିରେ ବିଶେଷ କରି ସହରରେ ନାଳ ନର୍ଦ୍ଦମା ସମସ୍ୟା, ଭେଡିଂ ଜୋନ, ବିଭିନ୍ନ ୱାର୍ଡର ରାସ୍ତା ସମସ୍ୟା, କଲ୍ୟାଣ ମଣ୍ଡପ, ଏଲଏଣ୍ଡଏସ୍ କ୍ଲବ ଭିତରେ ନିର୍ମାଣ ହେବାକୁ ଥିବା ଅଡିଟରିୟମ ଉପରେ ଆଲୋଚନା ହୋଇଥିଲା । ସହରର ପରିମଳ ବ୍ୟବସ୍ଥାରେ ଶୀଘ୍ର ସୁଧାର ଆଣିବାକୁ ବିଧାୟକ ଶ୍ରୀ ମିଶ୍ର ପୌରଧିକାରୀ ବିପିନ ବିହାରୀ ଦୀପକୁ ନିର୍ଦ୍ଦେଶ ଦେଇଥିଲେ । ଲୋୟର ସୁକତେଲକୁ ନେଇ ହୋଇଥିବା ବୈଠକରେ ବିଧାୟକ ଶ୍ରୀ ମିଶ୍ର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ବ୍ୟତୀତ ଲୋୟର ସୁକତେଲ ଜଳ ସେଚନ ପ୍ରକଳ୍ପର ରିସେଟେଲମେଣ୍ଟ ଓ ରିହେବଲିଟେସନ ବିଭାଗର ପ୍ରକଳ୍ପ ନିର୍ଦ୍ଦେଶକ ମହେନ୍ଦ୍ର ମହାପାତ୍ର, ମୁଖ୍ୟ ଯନ୍ତ୍ରୀ ନିର୍ମାଣ ନିରଞ୍ଜନ ରାଉତ, ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ ଶ୍ରୀକୁମାର ନାଗ ଭୂଷଣ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।