ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଦକ୍ଷତା ବିକାଶ ଓ ଧନ୍ଦାମୂଳକ ତାଲିମ କାର୍ଯ୍ୟକ୍ରମ ଉଦ୍‌ଯାପିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଗ୍ରାମାଞ୍ଚଳରେ ଥିବା ଯୁବକ ଯୁବତୀ ମାନଙ୍କୁ ରୋଜଗାରକ୍ଷମ କରାଇବା ଉଦ୍ଧେଶ୍ୟରେ ବିଭିନ୍ନ ପ୍ରକାର ଧନ୍ଦାମୂଳକ ତାଲିମ କାର୍ଯ୍ୟକ୍ରମମାନ କରାଯାଉଛି । ଗ୍ରାମାଞ୍ଚଳରେ ଥିବା ଯୁବକ ଯୁବତୀମାନେ ସୁଯୋଗ ଓ ସୁବିଧା ଅଭାବ ଯୋଗୁଁ ଅନେକ ସମୟରେ ନିଜର କର୍ମ କୌଶଳ, ଦକ୍ଷତା ବିକାଶ ନକରିପାରି ରୋଜଗାରକ୍ଷମ ହୋଇପାରନ୍ତି ନାହିଁ । ଫଳରେ ସମାଜର ଗଠନ ନିମନ୍ତେ ଯୁବଶକ୍ତି ଦ୍ଵାରା ଆବଶ୍ୟକ ଜ୍ଞାନକୌଶଳ, ଦକ୍ଷତା ସଠିକ୍ ସମୟରେ ଉପଲବ୍ଧ ହୋଇପାରୁନି । ବିକାଶଶୀଳ ଦେଶ ଅର୍ଥନୀତିର ପ୍ରଗତି ପାଇଁ ଅତ୍ୟାଧୁନିକ ଜ୍ଞାନ କୌଶଳର ଆବଶ୍ୟକତା ରହିଛି । ଭାରତ ବର୍ଷରେ ସବୁଠାରୁ ଅଧିକ ଯୁବସମାଜ ଗ୍ରାମାଞ୍ଚଳରେ ବାସ କରନ୍ତି । ତେଣୁ ଏହି ଯୁବଶକ୍ତିକୁ ଆବଶ୍ୟକ ଥିବା କର୍ମ ଦକ୍ଷତା ତଥା ଜ୍ଞାନ ଯୋଗାଇ ଦେଇ ରୋଜଗାରକ୍ଷମ କରି ଦେଶର ଅର୍ଥନୀତିକୁ ବିକାଶଶୀଳ କରିବା ଲକ୍ଷ୍ୟରେ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଅଭିନବ ଭାବେ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଏହି କ୍ରମରେ ନେହେରୁ ଯୁବ କେନ୍ଦ୍ର ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଆନୁକୂଲ୍ୟ ଓ ଗଞ୍ଜାମ ବ୍ଲକର ଅଗ୍ରଣୀ ଯୁବକ ସଂଘ ଦିଗ୍ ଦର୍ଶନ ୟୁଥ୍ କ୍ଳବ୍ ସହାୟତାରେ ଗଞ୍ଜାମ ସହରର ରିଷ୍ଠ ଶିକ୍ଷାନୁଷ୍ଠାନରେ ତିନି ମାସିଆ ମାଗଣା କମ୍ପ୍ୟୁଟର ଶିକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ବିଭିନ୍ନ ଗ୍ରାମରୁ ତିରିଶରୁ ଅଧିକ ଯୁବକ ଓ ଯୁବତୀ ପ୍ରଶିକ୍ଷଣ ନେଇଥିଲେ । ଉଦ୍‌ଯାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ୧୫ ନମ୍ବର ଜୋନ ଜିଲ୍ଲାପରିଷଦ ସଭ୍ୟ ସନାତନ ବେହେରା, ମୁଖ୍ୟବକ୍ତା ରୂପେ ଯୁବ ସଂଗଠକ ଡି. ଦେବହରି ରେଡ୍ଡୀ, ସମ୍ମାନିତ ଅତିଥି ଭାବେ ରିଷ୍ଠ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ପ୍ରଭାତ ରେଡି, ସନ୍ତୋଷ ରେଡି ପ୍ରମୁଖ ଉପସ୍ଥିତ ରହି ନିଜର ବକ୍ତବ୍ୟ ରଖିବା ସହ ପ୍ରମାଣପତ୍ର ପ୍ରଦାନ କରିଥିଲେ । ଦିଗ୍ ଦର୍ଶନ ୟୁଥ୍ କ୍ଳବ୍ ସଭାପତି ଉମାକାନ୍ତ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟବକ୍ତା ଶ୍ରୀ ରେଡ଼ି ଜ୍ଞାନକୌଶଳ ତଥା ଦକ୍ଷତା ବିକାଶ କରିବା ପାଇଁ ଯୁବକ ଯୁବତୀ ମାନଙ୍କୁ ଗପ ମାଧ୍ୟମରେ ଉତ୍ସାହିତ କରିବା ସହ ଯୁବାବସ୍ଥା ହିଁ ଜ୍ଞାନ ଆହୋରଣ ନିମନ୍ତେ ପ୍ରକୃଷ୍ଠ ସମୟ ବୋଲି ମତ ପ୍ରକାଶ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ବେହେରା ଅର୍ଜନ କରିଥିବା କୌଶଳ ଓ ଦକ୍ଷତା କେବଳ ନିଜ ପାଖରେ ସୀମିତ ନରଖି ସମାଜର ମଙ୍ଗଳ ନିମନ୍ତେ ପ୍ରୟୋଗ କରିବା ଉଚିତ୍ ବୋଲି ବକ୍ତବ୍ୟ ରଖିଥିଲେ । ଶେଷରେ ପ୍ରଶିକ୍ଷଣ ନେଇଥିବା ସମସ୍ତ ଯୁବକ ଯୁବତୀମାନଙ୍କୁ ପ୍ରମାଣ ପତ୍ର ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ସମ୍ପାଦିକା ସୁଶ୍ରୀ ବିଜୟ ଲକ୍ଷ୍ମୀ ମହାଙ୍କୁଡ ଓ ସହ ସମ୍ପାଦକ ସୁଦର୍ଶନ ପାଢ଼ୀ ପରିଚାଳନା ଓ ଉପସଭାପତି ରାକେଶ କୁମାର ନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ

Leave A Reply

Your email address will not be published.