ଚାଷୀ ବଞ୍ଚାଅ ଆନ୍ଦୋଳନରେ ସାମିଲ ହେଲେ ହଜାର ହଜାର ଚାଷୀ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଜୟ କିଷାନ ମଜଦୁର ସଂଗ୍ରାମ ପକ୍ଷରୁ ହଜାର ହଜାର ଚାଷୀ ଏକତ୍ରିତ ହୋଇ ଚାଷୀ ବଞ୍ଚାଅ ଅଭିଯାନରେ ସାମିଲ ହୋଇ ବିରାଟ ଶୋଭାଯାତ୍ରା କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସୂଚନା ଅନୁସାରେ କୋମନା ବ୍ଲକ ଅନ୍ତର୍ଗତ କୁରୁମପୁରୀ ଗ୍ରାମ ଜାତୀୟ ରାଜପଥ ୩୫୩ରୁ ବାହାରି ଦୀର୍ଘ ୧୨ କିଲୋମିଟର ଅତିକ୍ରମ କରି ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଂଚି ଥିଲେ । ଜୟ କିଷାନ ମଜଦୁର ସଂଗ୍ରାମ ପରିଷଦର ଆବାହକ ଯଦୁମଣି ପାଣିଗ୍ରାହୀଙ୍କ ନେତୃତ୍ୱରେ ଏକତ୍ରିତ ହୋଇ ହୋଇଥିବା ଚାଷୀଙ୍କ ମାରଣାନୀତିକୁ ବିରୋଧ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଧଷେଇ ପଶିଥିଲେ । କିନ୍ତୁ ସେଠାରେ ଉପସ୍ଥିତ ନୂଆପଡା ପୋଲିସ ସେମାନଙ୍କୁ ଅଟକାଇଥିଲେ । ସୂଚନା ଅନୁସାରେ ସ୍ୱଳ୍ପବୃଷ୍ଟି ଯୋଗୁ ଚାଷଜମି ଫାଟି ସବୁ ଆଁ ହେଲାଣି । ଆଗକୁ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ପାଖେଇ ଆସିଲାଣି । ଚାଷୀଙ୍କ ଆର୍ଥିକ ମାନଦଣ୍ଡ ଭାଙ୍ଗି ଗଲାଣି । ହତାଶ ହୋଇ ଚାଷୀ ଅନ୍ୟ ଉପାୟ ନ ପାଇ ଆନ୍ଦୋଳନର ପନ୍ଥା ଆପଣେଇଛନ୍ତି । ନୂଆପଡା ଜିଲ୍ଲାକୁ ସମ୍ପୂର୍ଣ ମରୁଡି ଘୋଷଣା, ଋଣ ଛାଡ଼, ସାରର କଳା ବଜାରୀକୁ ନେଇ ଚାଷୀ ଆନ୍ଦୋଳନମୁଖୀ ହୋଇଛନ୍ତି । ଯଦି ଆଗାମୀ ଦିନରେ ଏହା ଉପରେ ରାଜ୍ୟ ସରକାର କୌଣସି ପଦକ୍ଷେପ ନ ନିଅନ୍ତି ତେବେ ନବୀନ ନିବାସ ଘେରାଉ ହେବ ବୋଲି ଏକ ଦାବୀପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଉପଜିଲ୍ଲାପାଳ ତରଣୀସେନ୍‌ ନାୟକଙ୍କୁ ପ୍ରଦାନ କରାଯାଇଛି ।

Leave A Reply

Your email address will not be published.