jayashree

ନଭେମ୍ବର ୨୩ରେ ଖଜୁରୀପଡ଼ାରେ ଜିଲ୍ଲା ସ୍ତରୀୟ ଜନ ଶୁଣାଣୀ ଶିବିର : ବାଲିଗୁଡ଼ାରେ ବ୍ଲକ ସ୍ତରୀୟ ଶିବିର ସ୍ଥଗିତ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) : ଜନସାଧାରଣଙ୍କ ବିଭିନ୍ନ ସମସ୍ୟାର ଶୁଣାଣି କରିବା ସହ ତାହାର ତ୍ୱରିତ ସମାଧାନ ଏବଂ ସରକାରୀ ସେବାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଲକ୍ଷ୍ୟରେ ଆସନ୍ତା ନଭେମ୍ବର ୨୩ ତାରିଖ ସୋମବାର କନ୍ଧମାଳ ଜିଲ୍ଲାରେ ଜିଲ୍ଲା ଓ ପଞ୍ଚାୟତସ୍ତରୀୟ ଜନଶୁଣାଣୀ ଶିବିର ଅନୁଷ୍ଠିତ ହେବ । ଜିଲ୍ଲା ପ୍ରଶାସନ ଓ ଜନଶୁଣାଣୀ ପ୍ରକୋଷ୍ଠ, କନ୍ଧମାଳ ପକ୍ଷରୁ ଏହି ଶିବିର ଆୟୋଜନ କରାଯାଉଛି । ପ୍ରଶାସନ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ଜିଲ୍ଲାସ୍ତରୀୟ ଜନଶୁଣାଣୀ ଶିବିର ଖଜୁରୀପଡ଼ା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆୟୋଜିତ ହେବ । ଏଥିରେ କନ୍ଧମାଳ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗଦେଇ ଜନସାଧାରଣଙ୍କ ଅଭିଯୋଗ ଓ ସମସ୍ୟା ଶୁଣିବେ । ଜମିଜମା, ରାସ୍ତାଘାଟ, ପାନୀୟଜଳ, ଶିକ୍ଷା, ସ୍ୱାସ୍ଥ୍ୟ, ଭତ୍ତା ଓ ଅନ୍ୟାନ୍ୟ ଜନସ୍ୱାର୍ଥ ସମ୍ବଳିତ ସମସ୍ୟା ନେଇ ଲୋକେ ନିଜର ଅଭିଯୋଗ ଜଣାଇପାରିବେ । ସେହିପରି ଫୁଲବାଣୀ ବ୍ଲକ ଅନ୍ତର୍ଗତ ଦଡ଼କି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଏବଂ ଫିରିଙ୍ଗିଆ ବ୍ଲକର ଲୁଇଶିଙ୍ଗି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ପଞ୍ଚାୟତସ୍ତରୀୟ ଜନଶୁଣାଣୀ ଶିବିର ଅନୁଷ୍ଠିତ ହେବ। ଏହି ଶିବିରଗୁଡ଼ିକରେ ସମ୍ପୃକ୍ତ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ଥାନା ଅଧିକାରୀଙ୍କ ସମେତ ଅନ୍ୟାନ୍ୟ ବ୍ଲକସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହି ଲୋକଙ୍କ ସମସ୍ୟା ଶୁଣିବେ ଏବଂ ସମ୍ପୃକ୍ତ ବିଭାଗର ଅଧିକାରୀଙ୍କ ଜରିଆରେ ସମାଧାନ ପାଇଁ ପଦକ୍ଷେପ ନିଆଯିବ । ଅନ୍ୟପକ୍ଷରେ କାର୍ତ୍ତିକ ମାସର ଶେଷ ସୋମବାର ହୋଇଥିବାରୁ ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ବିଭିନ୍ନ ବ୍ଲକରେ ହେବାକୁ ଥିବା ଗ୍ରାମ ପଞ୍ଚାୟତସ୍ତରୀୟ ଜନଶୁଣାଣୀ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି । ଏହି ନିଷ୍ପତ୍ତି ଫଳରେ ବାଲିଗୁଡ଼ା ଉପଖଣ୍ଡରେ ନଭେମ୍ବର ୨୩ରେ ପଞ୍ଚାୟତସ୍ତରୀୟ ଶିବିର ହେବ ନାହିଁ। ଜନସାଧାରଣଙ୍କ ଅଭିଯୋଗର ସମାଧାନ ଏବଂ ପ୍ରଶାସନିକ ସେବାରେ ସ୍ୱଚ୍ଛତା ଆଣିବା ଦିଗରେ ଏହି ଜନଶୁଣାଣୀ ଶିବିର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହୋଇଥିବାରୁ ସମ୍ପୃକ୍ତ ଅଞ୍ଚଳର ଜନସାଧାରଣ ନିଜ ନିଜର ଅଭିଯୋଗ ଓ ଆବଶ୍ୟକୀୟ କାଗଜପତ୍ର ସହ ନିର୍ଦ୍ଧାରିତ ସ୍ଥାନରେ ଉପସ୍ଥିତ ରହିବାକୁ ପ୍ରଶାସନ ପକ୍ଷରୁ ଆହ୍ୱାନ କରାଯାଇଛି ।

Leave A Reply

Your email address will not be published.