
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲାର ପୁଇଁତଲେ ବ୍ଲକ ଅନ୍ତର୍ଗତ ଖଲିଆପାଲିସ୍ଥିତ ଡଃ ବି.ଆର୍. ଆମ୍ବେଦକର ଷ୍ଟାଡିୟମଠାରେ ୟୁଥ୍ କାଉନସିଲ୍ ଫର୍ ଡେଭଲପମେଣ୍ଟ ଅଲ୍ଟରନେଟିଭ୍ସ ପକ୍ଷରୁ ‘ପତଙ୍ଗୀ – ଶିଶୁ ମହୋତ୍ସବ ୨୦୨୬’ ଆୟୋଜିତ ହୋଇଯାଇଛି । ୱାଇସିଡ଼ିଏର ‘ଟୁ ଫିଟ୍ ଅହେଡ୍ ଟୁଗେଦର୍’ କାର୍ଯ୍ୟକ୍ରମ ଅଧୀନରେ ଆୟୋଜିତ ଏହି ମହୋତ୍ସବରେ ପ୍ରାୟ ୫୦୦ ଜଣ ଶିଶୁ ଓ ସେମାନଙ୍କ ଅଭିଭାବକ ଯୋଗଦେଇଥିଲେ । ଶିଶୁମାନଙ୍କ ପ୍ରତିଭାର ବିକାଶ, ସୃଜନଶୀଳତାର ପ୍ରକାଶ, ଶିଶୁ ଅଧିକାର ଓ ସୁରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସହ ଶିଶୁମାନଙ୍କୁ ଏକ ସୁରକ୍ଷିତ ଓ ଆନନ୍ଦମୟ ପରିବେଶ ଯୋଗାଇଦେବା ଏହି ମହୋତ୍ସବର ମୁଖ୍ୟ ଉଦ୍ଦେଶ୍ୟ ଥିଲା । କାର୍ଯ୍ୟକ୍ରମର ଆରମ୍ଭରେ ଶିଶୁମାନଙ୍କ ଦ୍ୱାରା ଏକ ଆକର୍ଷଣୀୟ ସାଂସ୍କୃତିକ ଶୋଭାଯାତ୍ରା ଆୟୋଜିତ ହୋଇଥିଲା । ଏହି ଶୋଭାଯାତ୍ରାରେ ଶିଶୁମାନେ ଉତ୍ସାହ ଓ ଉଦ୍ଦୀପନାର ସହ ଅଂଶଗ୍ରହଣ କରିଥିଲେ । ଚଳିତ ବର୍ଷର ମହୋତ୍ସବର ମୁଖ୍ୟ ବିଷୟବସ୍ତୁ ଥିଲା ‘ଇଣ୍ଟରନେଟ୍, ସୋସିଆଲ୍ ମିଡିଆ ଓ ସାଇବର ସୁରକ୍ଷା’ । ଏହି ଅବସରରେ ଆୟୋଜିତ ଟକ୍ ଶୋ’ରେ ଇଣ୍ଟରନେଟ୍ର ସଠିକ୍ ବ୍ୟବହାର, ଅପବ୍ୟବହାର, ଅତ୍ୟଧିକ ବ୍ୟବହାର ଏବଂ ଏହାର ଶିଶୁମାନଙ୍କ ମାନସିକ ଓ ସାମାଜିକ ଜୀବନ ଉପରେ ପଡୁଥିବା ପ୍ରଭାବ ସମ୍ପର୍କରେ ଆଲୋଚନା କରାଯାଇଥିଲା । ସାଇବର ଅପରାଧରୁ ନିଜକୁ କିପରି ସୁରକ୍ଷିତ ରଖିବେ ଏବଂ ଡିଜିଟାଲ୍ ମାଧ୍ୟମକୁ କିପରି ସଚେତନତାର ସହ ବ୍ୟବହାର କରିବେ, ସେ ସମ୍ପର୍କରେ ଶିଶୁ ଓ ଅଭିଭାବକମାନଙ୍କୁ ଉପଯୋଗୀ ପରାମର୍ଶ ଦିଆଯାଇଥିଲା । ସେହିପରି ଅଭିଭାବକମାନଙ୍କ ପାଇଁ ‘ଉତ୍ତମ ପ୍ୟାରେଣ୍ଟିଂ ଦକ୍ଷତା’ ଉପରେ ଏକ ସ୍ୱତନ୍ତ୍ର ଆଲୋଚନା ଅଧିବେଶନ ଆୟୋଜିତ ହୋଇଥିଲା । ଶିଶୁମାନଙ୍କ ଭାବନାକୁ ବୁଝିବା, ସେମାନଙ୍କ କଥାକୁ ଗୁରୁତ୍ୱ ଦେବା, ସେମାନଙ୍କ ସହ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଗଢ଼ିବା ଏବଂ ଡିଜିଟାଲ୍ ଯୁଗରେ ଅଭିଭାବକମାନଙ୍କ ଦାୟିତ୍ୱ ଓ ପ୍ରତିକ୍ରିୟା କିପରି ହେବା ଉଚିତ, ସେ ନେଇ ଆଲୋଚନା କରାଯାଇଥିଲା । ମହୋତ୍ସବରେ ବିଭିନ୍ନ ମନୋରଞ୍ଜନମୂଳକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଶିଶୁମାନଙ୍କ ମନ ମୋହିଥିଲା। । ବିଭିନ୍ନ ଅଞ୍ଚଳରୁ ଆସିଥିବା ପ୍ରତିଭାବାନ ଶିଶୁମାନେ ମଞ୍ଚରେ ନୃତ୍ୟ, ସଙ୍ଗୀତ ଓ ଅନ୍ୟାନ୍ୟ ସାଂସ୍କୃତିକ ପରିବେଷଣ ମାଧ୍ୟମରେ ନିଜର କଳା ଓ ପ୍ରତିଭା ପ୍ରଦର୍ଶନ କରିଥିଲେ । ବିଶେଷ ଆକର୍ଷଣ ଭାବେ ହାସ୍ୟ ଅଭିନେତା ଯୋଗେଶ ଜୋଜୋଙ୍କ ହାସ୍ୟରସାତ୍ମକ ପରିବେଷଣ ଶିଶୁମାନଙ୍କ ମଧ୍ୟରେ ବେଶ୍ ଆନନ୍ଦ ଓ ଉତ୍ସାହ ସୃଷ୍ଟି କରିଥିଲା । ଶିଶୁମାନଙ୍କ ଜ୍ଞାନ, ଶିକ୍ଷା ଓ ଅନୁଭୂତି ବୃଦ୍ଧି ପାଇଁ ବିଭିନ୍ନ ସଂସ୍ଥା ଓ ବିଭାଗ ପକ୍ଷରୁ ସଚେତନତା ଓ ସୂଚନାଭିତ୍ତିକ ଷ୍ଟଲ୍ ସ୍ଥାପନ କରାଯାଇଥିଲା । ଏହି ଷ୍ଟଲ୍ଗୁଡ଼ିକ ମାଧ୍ୟମରେ ଶିଶୁ ଓ ସମୁଦାୟର ସଦସ୍ୟମାନେ ନୂତନ ଜ୍ଞାନ ଓ ତଥ୍ୟ ହାସଲ କରିବାର ସୁଯୋଗ ପାଇଥିଲେ । ଏହି ମହୋତ୍ସବରେ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ ଓ ପ୍ରତିନିଧିମାନେ ଯୋଗଦେଇଥିଲେ । ସେମାନଙ୍କ ମଧ୍ୟରେ ଶିଶୁ ମଙ୍ଗଳ କମିଟି, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀ ଏବଂ ପୁଲିସ ବିଭାଗର କର୍ମଚାରୀମାନେ ଉପସ୍ଥିତ ରହି ଶିଶୁମାନଙ୍କ ସୁରକ୍ଷା, ଶିକ୍ଷା, ବିକାଶ ଓ ଅଧିକାର ସୁରକ୍ଷା ଦିଗରେ ନିଜ ନିଜର ମତାମତ ଓ ସହଯୋଗ ପ୍ରକାଶ କରିଥିଲେ । ଏହି ଅବସରରେ ୱାଇସିଡ଼ିଏ ପକ୍ଷରୁ କୁହାଯାଇଥିଲା ଯେ, ପ୍ରତ୍ୟେକ ଶିଶୁଙ୍କ ମଧ୍ୟରେ କିଛି ନା କିଛି ପ୍ରତିଭା ଓ ସାମର୍ଥ୍ୟ ରହିଛି । ସେମାନଙ୍କୁ ଉପଯୁକ୍ତ ସୁଯୋଗ, ପ୍ରୋତ୍ସାହନ ଓ ସୁରକ୍ଷିତ ପରିବେଶ ଯୋଗାଇଦେବା ସମାଜର ସାମୂହିକ ଦାୟିତ୍ୱ । ଶିଶୁମାନେ କେବଳ ବିକାଶର ହିତାଧିକାରୀ ନୁହନ୍ତି, ବରଂ ସେମାନେ ସମାଜ ପରିବର୍ତ୍ତନର ସକ୍ରିୟ ଅଂଶୀଦାର । ୱାଇସିଡ଼ିଏର କର୍ମକର୍ତ୍ତା ଓ ସମସ୍ତ କର୍ମଚାରୀଙ୍କ ସମନ୍ୱିତ ପ୍ରୟାସ ଓ ସହଯୋଗରେ ସମଗ୍ର କାର୍ଯ୍ୟକ୍ରମଟି ସୁଚାରୁ ଭାବେ ପରିଚାଳିତ ହୋଇଥିଲା । ଉଲ୍ଲେଖଯୋଗ୍ୟ ଯେ, ୱାଇସିଡ଼ିଏ ୧୯୯୩ ମସିହାରୁ ଶିଶୁ, ମହିଳା, ଯୁବକଯୁବତୀ ଓ ଅବହେଳିତ ସମୁଦାୟର ସଶକ୍ତୀକରଣ, ଶିକ୍ଷା, ଶିଶୁ ସୁରକ୍ଷା ଓ ସାମଗ୍ରିକ ବିକାଶ କ୍ଷେତ୍ରରେ କାର୍ଯ୍ୟ କରିଆସୁଛି । ‘ପତଙ୍ଗୀ’ ମହୋତ୍ସବ ମାଧ୍ୟମରେ ପ୍ରତ୍ୟେକ ଶିଶୁକୁ ସ୍ୱପ୍ନ ଦେଖିବା, ନିଜ ପ୍ରତିଭା ପ୍ରକାଶ କରିବା, ଅଂଶଗ୍ରହଣ କରିବା ଓ ଜୀବନରେ ଆଗକୁ ବଢ଼ିବା ପାଇଁ ଏକ ସୁନ୍ଦର ମଞ୍ଚ ପ୍ରଦାନ କରିବାର ପ୍ରୟାସ କରାଯାଇଛି ।
ଆୟୋଜକ: ୟୁଥ୍ କାଉନସିଲ୍ ଫର୍ ଡେଭଲପମେଣ୍ଟ ଅଲ୍ଟରନେଟିଭ୍ସ (ୱାଇସିଡ଼ିଏ)
କାର୍ଯ୍ୟକ୍ରମ : Two Feet Ahead Together (TFAT)
ବାର୍ତ୍ତା : ପ୍ରତ୍ୟେକ ଶିଶୁର ପ୍ରତିଭାକୁ ସମ୍ମାନ, ପ୍ରତ୍ୟେକ ଶିଶୁର ସୁରକ୍ଷା ଓ ପ୍ରତ୍ୟେକ ଶିଶୁକୁ ଆଗକୁ ବଢ଼ିବାର ସୁଯୋଗ ।