
କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) : ସମ୍ଭାବ୍ୟ ବାତ୍ୟାକୁ ନେଇ ସାରା ରାଜ୍ୟରେ ଚିନ୍ତା ଓ ଆଶଙ୍କା ଦେଖାଦେଇଥିବା ବେଳେ କନ୍ଧମାଳ ଜିଲ୍ଲାରେ ବିପଦଗ୍ରସ୍ତ ଲୋକଙ୍କ ପାଖରେ ପହଞ୍ଚିଛି ବିଜୁ ଜନତା ଦଳ । ଦଳର ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ କନ୍ଧମାଳ ଜିଲ୍ଲାର ବାତ୍ୟା ମୁକାବିଲା ଓ ଜନସାଧାରଣଙ୍କ ସୁରକ୍ଷା ସମ୍ପର୍କିତ କାର୍ଯ୍ୟର ତଦାରଖ ଦାୟିତ୍ୱ ନେଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା ଜିଲ୍ଲା ବିଜେଡି ସଭାପତି ଓ ଜିଲ୍ଲା ପ୍ରଭାରୀ ପଦ୍ମନାଭ ବେହେରା । ଶୁକ୍ରବାର ଶ୍ରୀ ବେହେରାଙ୍କ ନେତୃତ୍ୱରେ ଦଳୀୟ କାର୍ଯ୍ୟକର୍ତ୍ତାମାନେ ଘୁ. ଉଦୟଗିରି ଓ ରାଇକିଆ ବ୍ଲକର ବିଭିନ୍ନ ଅଞ୍ଚଳ ଗସ୍ତ କରି ବାତ୍ୟା ଆଶ୍ରୟସ୍ଥଳୀଗୁଡ଼ିକର ସ୍ଥିତି ଅନୁଧ୍ୟାନ କରିଥିଲେ । ଏଥିସହ ପୂର୍ବରୁ ଭୂସ୍ଖଳନ ଯୋଗୁଁ ପ୍ରଭାବିତ ହୋଇଥିବା ଅଞ୍ଚଳକୁ ମଧ୍ୟ ଯାଇ ସ୍ଥାନୀୟ ଲୋକଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ସମସ୍ୟା ଓ ଆବଶ୍ୟକତା ସମ୍ପର୍କରେ ପଚାରି ବୁଝିଥିଲେ । ବିଶେଷକରି ଆଶ୍ରୟସ୍ଥଳୀରେ ରହୁଥିବା ଲୋକଙ୍କୁ ମିଳୁଥିବା ଖାଦ୍ୟ, ପାନୀୟ ଜଳ, ବିଦ୍ୟୁତ୍ ସଂଯୋଗ, ଶୌଚାଳୟ ଏବଂ ସ୍ୱାସ୍ଥ୍ୟସେବା ଭଳି ଅତ୍ୟାବଶ୍ୟକ ସୁବିଧାର ସ୍ଥିତି ନିଜେ ବୁଲି ଦେଖିଥିଲେ ଶ୍ରୀ ବେହେରା । ବିପଦ ସମୟରେ ଆଶ୍ରୟ ନେଇଥିବା ଲୋକଙ୍କୁ ଯେପରି କୌଣସି ପ୍ରକାର ଅସୁବିଧା ନହୁଏ, ସେଥିପ୍ରତି ସତର୍କ ରହିବା ସହ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ସେ ଦଳୀୟ କର୍ମୀ ଓ କାର୍ଯ୍ୟକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ । ବାତ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକଙ୍କ ଜୀବନ ଓ ଜୀବିକାର ସୁରକ୍ଷା ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ । ତେଣୁ ଦଳୀୟ ଭେଦଭାବ ନରଖି ଆବଶ୍ୟକ ସ୍ଥଳେ ପ୍ରତ୍ୟେକ ବିପନ୍ନ ପରିବାରକୁ ସହଯୋଗ କରିବା ସହ ପ୍ରଶାସନ ସହ ସମନ୍ୱୟ ରକ୍ଷା କରି ଲୋକଙ୍କ ପାଖରେ ପହଞ୍ଚିବାକୁ ଶ୍ରୀ ବେହେରା ଗୁରୁତ୍ୱାରୋପ କରିଥିଲେ । ଉଲ୍ଲେଖଯୋଗ୍ୟ, ପୂର୍ବରୁ କନ୍ଧମାଳ ଜିଲ୍ଲାର କେତେକ ଅଞ୍ଚଳ ଭୂସ୍ଖଳନ ଓ ପ୍ରବଳ ବର୍ଷା ଯୋଗୁଁ ପ୍ରଭାବିତ ହୋଇଥିବାରୁ ଆଗାମୀ ବିପର୍ଯ୍ୟୟକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆଶଙ୍କା ରହିଛି । ଏଭଳି ସ୍ଥିତିରେ ଜନସାଧାରଣଙ୍କ ନିକଟରେ ପହଞ୍ଚି ସେମାନଙ୍କ ମନୋବଳ ବଢ଼ାଇବା ସହ ଆବଶ୍ୟକ ସହଯୋଗ ଯୋଗାଇଦେବା ଉପରେ ବିଜେଡି ପକ୍ଷରୁ ଗୁରୁତ୍ୱ ଦିଆଯାଇଛି ।” ବିପଦରେ ଲୋକଙ୍କ ପାଖରେ, ସବୁବେଳେ ବିଜୁ ଜନତା ଦଳ” । ଏହି ବାର୍ତ୍ତା ସହ ଦଳ ପକ୍ଷରୁ ବିପର୍ଯ୍ୟୟ ସମୟରେ ଜନସାଧାରଣଙ୍କ ପାଖରେ ରହି ସହଯୋଗ ଜାରି ରଖିବାକୁ ପ୍ରତିଶ୍ରୁତିବଦ୍ଧତା ପ୍ରକାଶ କରାଯାଇଛି ।