jayashree

ସୀମାନ୍ତ ଇଲାକାରେ ମକା ଚାଷ ଦୁର୍ଦ୍ଦଶାରେ ଚାଷୀ

ଜୟପାଟଣା, (ଶେଷଦେବ ବେହେରା) : ବର୍ଷ ବର୍ଷ ଧରି ସାମାଜିକ ଓ ଆର୍ଥିକ ପ୍ରତିବନ୍ଧକ ମଧ୍ୟରେ ଜୟପାଟଣା ବ୍ଲକର ବିଭିନ୍ନ ଇଲାକାର ଅଧିବାସୀଙ୍କ ପାଇଁ ଜୀବନ ଜୀବିକାକୁ ନେଇ ପ୍ରଶ୍ନ ଉଠି ସାରିଲାଣି । ପାହାଡ ଉପରେ ଓ ତତ୍ ସଂଲଗ୍ନ ବିଭିନ୍ନ ଆବଡା ଖାବଡା କ୍ଷେତରେ ଉପୁଯାଉଥିବା ଫସଲ ଏବେ ବିଭିନ୍ନ ବାତ୍ୟାର ପ୍ରକୋପରେ କବଳିତ ହେବାକୁ ବସିଲାଣି । କଳାହାଣ୍ଡି ଜିଲ୍ଳା ଜୟପାଟଣା ସୀମାନ୍ତ ଇଲାକାରେ ଆଦିବାସୀଙ୍କ ଦ୍ୱାରା ରକ୍ତ ନିଗାଡି ବହୁଳ ଭାବରେ ଚାଷ କରିଥିବା ମକା ଏବେ କାହାକୁ ବିକ୍ରି କରିବେ ସେହି ଚିନ୍ତାରେ ଚାଷୀଙ୍କ ନିଦ ହଜି ସାରିଲାଣି । କଳାହାଣ୍ଡି ଜିଲ୍ଲାରେ କୌଣସି ମକା ମଣ୍ଡି କାର୍ଯ୍ୟକ୍ଷମ ନଥିବା ବେଳେ ଏବେ ନିଜର ପ୍ରଶାସନିକ ଇଲାକା ଛାଡ଼ି ନବରଙ୍ଗପୁର ଜିଲ୍ଲା ଓ କିଛି ସ୍ଥାନୀୟ ଦଲାଲ ମାନଙ୍କ ଆଶ୍ରୟ ନେବାକୁ ଚାଷୀ ମାନଙ୍କୁ ବାଧ୍ୟ ହେବାକୁ ପଡୁଛି । କୃଷି ବିଭାଗର ସୂଚନାକୁ ଆଧାର କରି ଜୟପାଟଣା ବ୍ଲକରେ ୬୨୫ ଏକର ମାଳ ଜମିରେ ମକା ଚାଷ ହୋଇଥିବା ଜଣାପଡ଼ିଛି । ଏକରକୁ ହାରାହାରି ସର୍ବନିମ୍ନ ୧୫ କ୍ଵିଣ୍ଟାଲ ଭାବରେ ୬୨୫ ଏକର ଜମିରେ ହାରାହାରି ଉତ୍ପାଦନ ୯୩୭୫ କ୍ଵିଣ୍ଟାଲ ହେବାର କଥା । ଅନେକ ଚାଷୀ ଅମଳ ପର୍ବ ସମାପ୍ତ କରି ସାରିଥିଲେ ମଧ୍ୟ ବିକ୍ରି ପାଇଁ କୌଣସି ସରକାରୀ ପ୍ରୋତ୍ସାହନ ନଥିବାରୁ ବାତ୍ୟା ଓ ବର୍ଷା ଯୋଗୁଁ ଫସଲ ନଷ୍ଟ ହେବାର ଆଶଙ୍କା କରି ଦଲାଲ କିମ୍ବା ନବରଙ୍ଗପୁର ଜିଲ୍ଲାର ଦଲାଲ ମାନଙ୍କ ପାଖରେ ଅନେକ ଖର୍ଚ୍ଚାନ୍ତ ହୋଇ ବିକ୍ରି କରୁଥିବାର ଅଭିଯୋଗ ଆସୁଛି । ଗତ ଅର୍ଣ୍ଣବ ସମୟରେ କେତେକ ଚାଷୀ ବହୁଳ ଭାବରେ କ୍ଷତି ସହିଥିଲେ ମଧ୍ୟ ସେମାନଙ୍କ ପାଇଁ ଆଜି ପର୍ଯ୍ୟନ୍ତ କୌଣସି ସହାୟତା ରାଶି ମିଳି ନ ଥିବା ପ୍ରକାଶ କରିଛନ୍ତି । ଏବେ ସୀମାନ୍ତ ଗାଁ ଭାଲୁ ଜୋରରେ ମଦନ ଜାନି, କିଆଫୁଲ ମାଝୀ, ରୁକୁଣା ଜାନି, ଯୁଗଳ ପାତ୍ର, ଜୟସିଂହ ପୂଝାରୀ, ଉମା ପାତ୍ର ଜଗବନ୍ଧୁ ମୁଦୁଲି ପ୍ରମୁଖ କଳାହାଣ୍ଡି ଜିଲ୍ଳା ପ୍ରଶାସନ ଦ୍ୱାରା ଉଚିତ ମୂଲ୍ୟରେ ମକା ମଞ୍ଜି ବିକ୍ରି ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ପାଇଁ ଦାବି ହୋଇଛି ।

Leave A Reply

Your email address will not be published.