
- ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପ୍ରତିବାଦ ସଭା
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସୋରଡା ବ୍ଲକରେ କାର୍ଯ୍ୟରତ ୩୫୨ ଜଣ ମହିଳାକର୍ମୀଙ୍କ ସମୂହ ଇସ୍ତଫା ପ୍ରଦାନ କରିବା ସାଙ୍ଗକୁ ସଭିଁଏ ଏସ୍.ଏଚ୍.ଜି. ମହିଳାକର୍ମୀ ଯଥା- ପ୍ରାଣୀମିତ୍ର, କୃଷିମିତ୍ର, ସିଆରପି କ୍ୟାଡ଼ର୍ ମହିଳା କର୍ମୀମାନେ ସୋମବାର ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପ୍ରତିବାଦ ସଭା କରି ସୋରଡା ବ୍ଲକ୍ ପ୍ରଶାସନରେ ଘଟୁଥିବା ଲାଞ୍ଚ କାରବାର, ଅନିୟମିତତା ଓ ମହିଳାଙ୍କ ପ୍ରତି ହେଉଥିବା ଅଶୋଭନୀୟ ଆଚରଣ ଅଭିଯୋଗ ଉପରେ ମହିଳାନେତ୍ରୀ ମାନେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ନ୍ୟାୟ ପ୍ରଦାନ କରିବା ଦାବିରେ ଜିଲ୍ଲପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ସଚ୍ଚିଦାନନ୍ଦ ନାୟକଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଅଭିଯୋଗ ହୋଇଛି ଯେ, ଏସ୍.ଏଚ୍.ଜି. ମହିଳାକର୍ମୀ ଯଥା- ପ୍ରାଣୀମିତ୍ର, କୃଷିମିତ୍ର, ସିଆରପି କ୍ୟାଡ଼ର୍ ମହିଳା କର୍ମୀମାନଙ୍କୁ ସୋରଡା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଦ୍ଵାରା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନିର୍ଯ୍ୟାତିତା, ଅଶୋଭନୀୟ ଆଚରଣ କରିବା ଉପରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ବିଡ଼ିଓ, ସହକାରୀ ବିଡ଼ିଓ ଏବଂ ଅନ୍ୟାନ୍ୟ ଅଧିକାରୀମାନେ ଅଶ୍ଲୀଳଭାଷାରେ ଗାଳି ଗୁଲଜ କରିବା, ଅସଦ ବ୍ୟବହାର ଓ ଅସଦାଚରଣ ଯୋଗୁଁ ନିଜ ନିଜ ପଦବୀରୁ ବିଡ଼ିଓଙ୍କ ନିକଟରେ ସମୂହ ଇସ୍ତଫା ପ୍ରଦାନ କରିଛନ୍ତି । ସୂଚନା ଥାଉକି, ବିଡ଼ିଓ ,ଏବିଡ଼ିଓ ଏବଂ ବିପିଏମ୍ କିପରି ଅସଦାଚରଣ କରୁଛନ୍ତି, ତାହା ବିସ୍ତୃତ ଭାବେ ଉକ୍ତ ସ୍ମାରକପତ୍ରରେ ଉଲ୍ଲେଖ କରିଛନ୍ତି । ସୂଚନା ଯୋଗ୍ୟ ଯେ’ ବର୍ତ୍ତମାନ୍ ସୋରଡ଼ା ବ୍ଲକ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ବାତ୍ୟା ଏବଂ ବନ୍ୟାରେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କର କାର୍ଯ୍ୟ, ତାଲିକା, ରିଲିଫ ଏବଂ ଥଇଥାନ କାର୍ଯ୍ୟ ଚାଲୁ ରହିଛି । ଏଭଳି ଦୁର୍ଦ୍ଦିନ ସମୟରେ ସେହି ବ୍ଲକର କ୍ଷେତ୍ର କର୍ମଚାରୀ ମାନଙ୍କ ସମୂହ ଇସ୍ତଫା ଯୋଗୁଁ ରିଲିଫ ଏବଂ ଥଇଥାନ କାର୍ଯ୍ୟ ଉପରେ ଯଥେଷ୍ଟ ପ୍ରଭାବ ପଡିବ । ସମ୍ଭାବନାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ଖୁବ୍ ଶୀଘ୍ର ଏକ ସମାଧାନ ରସ୍ତା ବାହାର କରି ଏହି ମହିଳା ମାନଙ୍କ ପ୍ରତି ଆଶୁ ଫୈସଲା କରିବା ନିହାତି ଜରୁରୀ ଅଟେ ବୋଲି ସାଧାରଣରେ ମତପ୍ରକାଶ ପାଇଛି । ବି.ଏମ୍.ଏସ୍. ସିଆର୍ପି ୟୁନିଅନର ଗଞ୍ଜାମ ଜିଲ୍ଲା ସଭାନେତ୍ରୀ ପି. ଗାୟତ୍ରୀ ରେଡ୍ଡୀ ଏହି ମହିଳା କର୍ମୀମାନଙ୍କ ତୁରନ୍ତ ସମାଧାନ କରି ସେମାନଙ୍କୁ ନିଜ ନିଜ କାର୍ଯ୍ୟକ୍ଷେତ୍ରରେ ଖୁବ୍ ଶୀଘ୍ର ନିୟୋଜିତ କରିବାକୁ ଜିଲ୍ଲା ପ୍ରଶାସନ ଠାରେ ଦାବି କରିଛନ୍ତି ।