
ନିରପେକ୍ଷତା ସାମ୍ବାଦିକତାର ପରିଚୟ ଅନନ୍ୟ ଓ କାଳଜୟୀ
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ପ୍ରସାଶନ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ “ସାମ୍ବାଦିକତା ଲୋକପ୍ରିୟତା ବନାମ କର୍ତ୍ତବ୍ୟବୋଧ” ବିଷୟବସ୍ତୁକୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଜିଲ୍ଲାପାଳ ଦେବାଶିଷ ସିଂହ ମୁଖ୍ୟ ଅତିଥି ଏବଂ ସମ୍ବଲପୁରର ବରିଷ୍ଠ ସାମ୍ବାଦିକ ଶିବଶଙ୍କର ନନ୍ଦ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ, ଅନିରୁଦ୍ଧ ପ୍ରଧାନ, ଡିଏଫ୍ଓ ବିଶ୍ୱରାଜ ପଣ୍ଡା, ସୋନପୁର ଉପଜିଲ୍ଲାପାଳ ଡ. ସୌମ୍ୟରୂପା ରଥ, ଜିଲ୍ଲା କ୍ରୀଡା ଅଧିକାରୀ ଚିତ୍ତ ରଞ୍ଜନ ମିଶ୍ର ଯୋଗ ଦେଇଥିବା ବେଳେ ସଭାରେ ଗୋରେଖନାଥ ସାହୁ ଅଧ୍ୟକ୍ଷତା କରିଥିଲେ । ବକ୍ତାମାନେ କହିଥିଲେ ଯେ, ସାମ୍ବାଦିକତାର ମୂଳ ଆଧାର ହେଉଛି ସତ୍ୟନିଷ୍ଠା, ନିରପେକ୍ଷତା ଓ ଦାୟିତ୍ୱବୋଧ । ଶସ୍ତା ଲୋକପ୍ରିୟତା ପଛରେ ନ ଧାଇଁ ଜନସ୍ୱାର୍ଥ ସମ୍ବଳିତ ଖବର ପରିବେଷଣ ଉପରେ ସେମାନେ ଗୁରୁତ୍ୱ ଦେଇଥିଲେ । ନିରପେକ୍ଷତା ସାମ୍ବାଦିକତାର ପରିଚୟ ଅନନ୍ୟ ଓ କାଳଜୟୀ ଏବଂ ଆତ୍ମତୃପ୍ତି ମିଳେ ବୋଲି ମୁଖ୍ୟବକ୍ତା କହିଥିଲେ । ଗଣମାଧ୍ୟମ ପ୍ରଶାସନର ଆଖି ଓ କାନ ହେବା ସହ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଏବଂ ସାମାଜିକ ପରିବର୍ତ୍ତନର ଏକ ପ୍ରମୁଖ ମାଧ୍ୟମ ବୋଲି ମତ ପ୍ରକାଶ ପାଇଥିଲା । ଏହି ଅବସରରେ ଜିଲ୍ଲାର ୬ ଗୋଟି ବ୍ଲକ୍ରୁ ଆସିଥିବା ସାମ୍ବାଦିକମାନେ ନିଜ ଅନୁଭୂତି ବାଣ୍ଟିବା ସହ ବିଭିନ୍ନ ପ୍ରଶ୍ନ ପଚାରିଥିଲେ । ଉପସ୍ଥିତ ଅତିଥିମାନେ ସେହି ପ୍ରଶ୍ନ ଗୁଡ଼ିକର ଉତ୍ତର ରଖିଥିଲେ । ଗଣମାଧ୍ୟମର ବର୍ତ୍ତମାନର ସ୍ଥିତି, ସ୍ୱାଧୀନତା ପୂର୍ବର ସାମ୍ବାଦିକଙ୍କ ସଂଘର୍ଷ ଓ ଆହ୍ୱାନ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାର୍ଯ୍ୟାଳୟ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଯୁଗଳ କିଶୋର ମିଶ୍ର ସଂଯୋଜନା କରିଥିଲେ ।