jayashree

ପୁରାତନ ଛାତ୍ର ସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ : ସୋନପୁର କଲେଜକୁ ନାକ୍ ଓ ସରକାରୀ ମାନ୍ୟତା ପାଇଁ ସଂକଳ୍ପ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ମହାବିଦ୍ୟାଳୟ ପୁରାତନ ଛାତ୍ର ସଂଘର କାର୍ଯ୍ୟକାରିଣୀ ବୈଠକ ସୋନପୁର ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଡା. ପ୍ରଫୁଲ୍ଲ କୁମାର ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ପୁରାତନ ଛାତ୍ର ସଂଘ କର୍ମକର୍ତ୍ତା ପ୍ରମୁଖଙ୍କ ସହ ମହାବିଦ୍ୟାଳୟର ଅଧ୍ୟକ୍ଷ ରାଧାକାନ୍ତ ନାଏକ ଓ ନବ ନିର୍ବାଚିତ ଛାତ୍ର ସଂସଦ ସଭାପତି ରୋଶନ ଶର୍ମା ଉପସ୍ଥିତ ଥିଲେ । ବୈଠକରେ ପ୍ରଥମେ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡ. ଜୟଦେବ ଡନସେନାଙ୍କ ଉଦ୍ଦେଶ୍ୟରେ ୨ ମିନିଟ୍‌ ଶୋକ ପ୍ରାର୍ଥନା କରାଯାଇଥିଲା । ପରେ ମହାବିଦ୍ୟାଳୟର ବିକାଶମୂଳକ କାର୍ଯ୍ୟ ମନ୍ଥର ଗତିରେ ଚାଲୁଥିବା ନେଇ ସଦସ୍ୟମାନେ ଗଭୀର ଉଦ୍‌ବେଗ ପ୍ରକାଶ କରିଥିଲେ । ଭିତ୍ତିଭୂମି ଉନ୍ନତି, ଶିକ୍ଷାଗତ ମାନ ବୃଦ୍ଧି, ଆଭ୍ୟନ୍ତରୀଣ ଶୃଙ୍ଖଳା ଓ ପ୍ରଶାସନିକ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ତୁରନ୍ତ ଓ ମିଳିତ ପଦକ୍ଷେପ ନେବାକୁ ମତ ପ୍ରକାଶ ପାଇଥିଲା । ବୈଠକରେ ନାକ୍ ମାନ୍ୟତା ପାଇଁ ପ୍ରସ୍ତୁତି, ଭିତ୍ତିଭୂମି ବିକାଶ, ପରୀକ୍ଷା କେନ୍ଦ୍ର ଓ ମୂଲ୍ୟାୟନ କେନ୍ଦ୍ର ପୁନଃ ପ୍ରତିଷ୍ଠା, ସ୍ନାତକୋତ୍ତର ପାଠ୍ୟକ୍ରମ ଆରମ୍ଭ, ଆଭ୍ୟନ୍ତରୀଣ ଶୃଙ୍ଖଳା ଏବଂ +୩ ଶ୍ରେଣୀର ଅନୁବନ୍ଧନ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ହୋଇଥିଲା । ଏହି ଅବସରରେ ପୋର୍ଟାଲ ଖୋଲିବା ମାତ୍ରେ ମହାବିଦ୍ୟାଳୟ ନାକ୍ ମାନ୍ୟତା ପାଇଁ ଆବେଦନ କରିବ ବୋଲି ଅଧ୍ୟକ୍ଷ ପ୍ରତିଶ୍ରୁତି ଦେଇଥିଲେ । ପୁରାତନ ଛାତ୍ର ସଂଘର ପ୍ରତିନିଧିଙ୍କୁ ନେଇ ଏକ ନାକ୍ ପ୍ରସ୍ତୁତି କମିଟି ଗଠନ କରାଯାଇ ସମୟ ସୀମା ମଧ୍ୟରେ ସମସ୍ତ କାର୍ଯ୍ୟ ସମ୍ପନ୍ନ କରାଯିବ ବୋଲି ମଧ୍ୟ ସେ କହିଛନ୍ତି । ଏହା ସହ +୩ ପାଠ୍ୟକ୍ରମର ଆସନ ସଂଖ୍ୟା ଯଥାଶୀଘ୍ର ଦ୍ୱିଗୁଣିତ କରାଯିବ ବୋଲି ଅଧ୍ୟକ୍ଷ ପ୍ରତିଶ୍ରୁତି ଦେଇଛନ୍ତି । ମହାବିଦ୍ୟାଳୟର ପୂର୍ବ ଗୌରବ ଫେରାଇ ଆଣିବା, ପର୍ଯ୍ୟାପ୍ତ ପାଣ୍ଠି ପାଇବା ଓ ସରକାରୀ ମାନ୍ୟତା ହାସଲ ପାଇଁ ନାକ୍ ମାନ୍ୟତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସଦସ୍ୟମାନେ ଗୁରୁତ୍‌ତ୍ୱାରୋପ କରିଥିଲେ । ଆଗାମୀ ୨୦ ଦିନ ପରେ ଛାତ୍ର ସଂଘ, ଛାତ୍ର ସଂସଦ ସଭାପତି, ପୁରାତନ ଛାତ୍ର ଓ ସାଧାରଣ ଜନତାଙ୍କୁ ନେଇ ବୈଠକ କରାଯିବା ସହ ସରକାରୀ ମାନ୍ୟତା ପ୍ରଦାନରେ ବିଳମ୍ବ ଅଭିଯୋଗକୁ ନେଇ ଆବଶ୍ୟକ ହେଲେ ବିଶାଳ ଆନ୍ଦୋଳନ ଓ ବନ୍ଦ ସମେତ ପରବର୍ତ୍ତୀ ସାମୂହିକ କାର୍ଯ୍ୟକ୍ରମ ବିଷୟରେ ନିଷ୍ପତ୍ତି ନିଆଯିବ । ବୈଠକରେ ସଭାପତି ଡା. ପ୍ରଫୁଲ୍ଲ କୁମାର ରଥ, ସମ୍ପାଦକ ଭାରତ ଭୂଷଣ ଦାସ, ସଂଯୋଜକ ସୁଦାମ ଚରଣ ମିଶ୍ର, କୋଷାଧ୍ୟକ୍ଷ ବିଶ୍ୱରଞ୍ଜନ ପୁଝାରୀ, ପରାମର୍ଶଦାତା ଶ୍ରୀତାଂଶୁ ଶେଖର ମିଶ୍ର, କାର୍ଯ୍ୟକାରିଣୀ ସଦସ୍ୟ ସୁଧୀର ପଣ୍ଡା, ଦୀପକ ମହାପାତ୍ର, ନିଶାନ୍ତ ମହାନ୍ତି, ଜ୍ୟୋତିର୍ମୟ ମିଶ୍ରଙ୍କ ସହ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.