ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଦ୍ୱାରା ଲୋକାର୍ପିତ ହେଲା ହରଭଙ୍ଗା ଜେଏମଏଫସି କୋର୍ଟ

ଅବହେଳିତ ଅଞ୍ଚଳବାସୀଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନରେ ସହାୟକ ହେବ ମୁଖ୍ୟ ବିଚାରପତି
ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲାର ସବୁଠାରୁ ପଛୁଆ ତଥା ଆଦିବାସୀ ହରିଜନ ଅଧ୍ୟୁଷିତ ଅଂଚଳ ଭାବେ ପରିଚିତ ହରଭଙ୍ଗା ବ୍ଲକର ସଦର ମହକୁମା ଚାରିଛକରେ ଶନିବାର ବହୁପ୍ରତିକ୍ଷିତ ନୂତନ ଜେଏମଏଫସି କୋର୍ଟର ଲୋକାର୍ପଣ ହୋଇଯାଇଛି । ଏହି ଅବସରରେ ଆୟୋଜିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଏସ. ମୁରଲିଧରନ ଯୋଗଦେଇ ଏହାକୁ ଶୁଭ ଉଦଘାଟନ କରିଥିଲେ । ଜିଲ୍ଲା ଦୌରାଜଜ ଅରବିନ୍ଦ କୁମାର ଗୁରୁଙ୍କ ଅଧ୍ୟକ୍ଷତାରେ ବ୍ଲକ କାର୍ୟ୍ୟାଳୟ ପରିସରରେ ଆୟୋଜିତ ଏହି ଲୋକାର୍ପଣ ଉତ୍ସବରେ ମୁଖ୍ୟଅତିଥି ଶ୍ରୀଯୁକ୍ତ ମୁରଲିଧରନି ନିଜ ବକ୍ତବ୍ୟରେ ଏହି ନ୍ୟାୟାଳୟ ହରଭଙ୍ଗା ବ୍ଲକର ଅବହେଳିତ ଅଂଚଳର ଲୋକଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି କହିଥିଲେ । ଏହି ପରିପ୍ରେକ୍ଷୀରେ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିବା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ବିଚାରପତି ବିଦ୍ୟୁତ ରଂଜନ ଷଡଙ୍ଗୀ ଓ ସୁଶ୍ରୀ ସାବିତ୍ରୀ ରଥ ଯୋଗଦେଇ ଏହି ନ୍ୟାୟାଳୟ ପ୍ରତିଷ୍ଠା ହେବା ଦ୍ୱାରା ଲୋକଙ୍କୁ ନ୍ୟାୟ ପ୍ରଦାନ ପ୍ରକ୍ରିୟା ତ୍ୱରାନ୍ୱିତ ହେବା ସହିତ ଗରିବ ଲୋକମାନେ ସହଜରେ ଆଇନର ସେବା ପାଇପାରିବେ ବୋଲି ପ୍ରକାଶ କରିଥିଲେ ।

ଉକ୍ତ କାର୍ୟ୍ୟକ୍ରମରେ ହରଭଙ୍ଗା ଓକିଲ ସଂଘର ସଭାପତି ଅକ୍ଷୟ କୁମାର ସାହୁ ନିଜ ଅଭିଭାଷଣରେ ବୌଦ୍ଧଜିଲ୍ଳା ହରଭଙ୍ଗା ବ୍ଲକର ଅବସ୍ଥିତି ଓ ଐତିହ ଉପରେ ଆଲୋକପାତ କରିବା ସହିତ ଏହି ନ୍ୟାୟାଳୟ ପ୍ରତିଷ୍ଠା ଦ୍ୱାରା ହରଭଙ୍ଗା ବ୍ଳକବାସୀ ବିଶେଷ ଉପକୃତ ହୋଇପାରିବେ ତେଣୁ ମାନ୍ୟବର ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତିଙ୍କ ପ୍ରତି ସେ ହାର୍ଦ୍ଧିକ କୃତଜ୍ଞତା ଜ୍ଞାପନ କରିଥିଲେ । ହରଭଙ୍ଗା ଓକିଲ ସଂଘ ପକ୍ଷରୁ ଏହି ଅବସରରେ ଉପସ୍ଥିତ ଅତିଥିମାନଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଉତ୍ସବରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଆରକ୍ଷୀ ଅଧିକ୍ଷକ ଭି. ରଘୁନାଥ ରାଓଙ୍କ ସମେତ ବିଚାର ବିଭାଗର ଅଧିକାରୀ, ଜିଲ୍ଲା ଓକିଲ ସଂଘର କର୍ମକର୍ତ୍ତା ଓ ବରିଷ୍ଠ ଆଇନଜିବୀମାନେ ଉପସ୍ଥିତ ଥିଲେ । ଶେଷରେ ହରଭଙ୍ଗା ଓକିଲ ସଂଘର ଉପସଭାପତି ବିଶ୍ୱଜିତ ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ । ଓକିଲ ସଂଘର ସାଧାରଣ ସମ୍ପାଦକ ରଂଜିତ କୁମାର ପ୍ରଧାନଙ୍କ ସମେତ ଅନ୍ୟ ସଦସ୍ୟମାନେ ସମସ୍ତ କାର୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଉତ୍ସବ ଆୟୋଜନରେ କରୋନା କଟକଣାକୁ ଗୁରୁତ୍ୱ ଦିଆଯାଇଥିଲା ।

Leave A Reply

Your email address will not be published.