oom

ଶ୍ରାବଣୀ ମେଳା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

jsmm
  • ଜୁଲାଇ ୧୩ରୁ ପ୍ରସିଦ୍ଧ ବେଦବ୍ୟାସ ପୀଠରେ ଆରମ୍ଭ ହେବ ଶ୍ରାବଣୀ ମେଳା

ରାଉରକେଲା, (ସସ୍ମିତା ପ୍ରଧାନ) : ଆସନ୍ତା ଜୁଲାଇ ୧୩ରୁ ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ ଶ୍ରାବଣୀ ମେଳା ଅନୁଷ୍ଠିତ ହେବାକୁ ଯାଉଛି । ଏହାର ସଫଳ ଆୟୋଜନ ପାଇଁ ଅତିରିକ୍ତ ଜିଲ୍ଲାପାଳ ତଥା ଆରଏମସି କମିଶନର ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତାରେ ଆଜି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ମେଳାକୁ ଶାନ୍ତିଶୃଙ୍ଖଳାର ସହ ଆୟୋଜନ କରିବା ପାଇଁ ସେ ସମସ୍ତ ବିଭାଗର ସହଯୋଗ କାମନା କରିିଥିଲେ । ଆସନ୍ତା ଜୁଲାଇ ୧୩ ତାରିଖରୁ ଆୟୋଜନ ହେବାକୁ ଥିବା ଏହି ଶ୍ରାବଣୀ ମେଳା ଯଥାକ୍ରମେ ୨୦, ୨୭ ଜୁଲାଇ ଓ ୩ ଅଗଷ୍ଟ ତାରିଖ ରବିବାର ଦିନ ଆରମ୍ଭ ହୋଇ ଆରଦିନ ସୋମବାର ସକାଳ ପର୍ଯ୍ୟନ୍ତ ଜାରି ରହିବ । ଏହି ଅବସରରେ ମେଳାରେ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ ଯଥେଷ୍ଟ ପରିମାଣରେ ପୁଲିସ ମୁତୟନ ସହ ଅଗ୍ନି ନିରାପତ୍ତା ବ୍ୟବସ୍ଥା ସୁନିଶ୍ଚିତ କରିବା, ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ, ଟ୍ରାଫିକ ବ୍ୟବସ୍ଥାର ସୁପରିଚାଳନା, ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ଦ୍ଵାରା ନିୟମିତ ଭାବେ ଷ୍ଟଲ୍ ଗୁଡ଼ିକରେ ଖାଦ୍ୟ ଓ ପାନୀୟର ମାନ ପରୀକ୍ଷଣ କରିବା ଉପରେ ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଗୁରୁତ୍ୱାରୋପ କରିଥିଲେ । ଚଳିତ ବର୍ଷ ଅନ୍ୟ ଜିଲ୍ଲାରେ ଝାଡାବାନ୍ତି ବ୍ୟାପିଥିବାରୁ ପ୍ରଶାସନ ପକ୍ଷରୁ ବିଶେଷ ନଜର ରଖାଯିବାପାଇଁ ବୈଠକରେ ସ୍ଥିର କରାଯାଇଛି । ଖାଦ୍ୟ ନିରାପତ୍ତା ଅଧିକାରୀଙ୍କୁ ଭକ୍ତ ମାନଙ୍କ ପାଇଁ ବିଭିନ୍ନ ବେସରକାରୀ ଅନୁଷ୍ଠାନ ଓ ସଂସ୍ଥା ପକ୍ଷରୁ ଦିଆଯାଉଥିବା ଖାଦ୍ୟର ତଥା ପାନୀୟ ଜଳର ମାନ ଯାଚ କରିବା ପାଇଁ ଦାୟିତ୍ୱ ଦିଆଯାଇଛି । କୌଣସି ସଂସ୍ଥା ଯଦି ଖାଦ୍ୟ ବିତରଣ ପାଇଁ ଇଛୁକ ଅଛନ୍ତି ସେ ବେଦବ୍ୟାସ ଟ୍ରଷ୍ଟକୁ ଜଣାଇବା ଆବଶ୍ୟକ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଥିଲେ । ବହୁ ସଂଖ୍ୟାରେ ଜନସମାଗମକୁ ଲକ୍ଷ୍ୟରେ ରଖି ମନ୍ଦିର ବେଢ଼ା ସହ ନଦୀ ଘାଟ ଗୁଡ଼ିକରେ ପୁରୁଷ ଓ ମହିଳାମାନଙ୍କ ପାଇଁ ଅଲଗା -ଅଲଗା ବ୍ୟାରିକେଡ ବ୍ୟବସ୍ଥା କରିବା ପାଇଁ ସେ ପିଡବ୍ଲୁଡି ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ଏହା ସହ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ପାଇଁ ଟିପିଡବ୍ଳୁଓଡିଏଲ ଏବଂ  ସ୍ଵଚ୍ଛତା ଓ ପରିମଳ ବ୍ୟବସ୍ଥା ପାଇଁ ରାଉରକେଲା ମହାନଗର ନିଗମ ତରଫରୁ ସଫେଇ କର୍ମଚାରୀଙ୍କୁ ନିୟୋଜିତ କରାଯିବ । ପ୍ରାଥମିକ ଚିକିତ୍ସା ନିମନ୍ତେ ଡାକ୍ତରଙ୍କ ସହ ଆମ୍ବୁଲାନ୍ସ ସେବା ଉପଲବ୍ଧ ରହିବ । ଏଥିସହ ମେଳାକୁ ସଫଳ ଭାବେ ପରିଚାଳନା ପାଇଁ ନିମନ୍ତେ  ବେସାମରିକ ସଂଗଠନର ସ୍ଵେଚ୍ଛାସେବୀ ମାନଙ୍କୁ ନିୟୋଜନ କରାଯିବ।  ଲଗାଣ ବର୍ଷା ଯୋଗୁଁ ନଦୀ ଜଳସ୍ତର ବଢିବାର ସମ୍ଭାବନା ରହିଛି ଏଥିପାଇଁ  ଓଡ୍ରାଫ, ଅଗ୍ନିଶମ ବିଭାଗ ଓ ପିଡବ୍ଲୁଡି ବିଭାଗ ପ୍ରସ୍ତୁତ ରହିବାକୁ କୁଲକର୍ଣ୍ଣି ପରାମର୍ଶ ଦେଇଥିଲେ । ଏହି ପ୍ରସ୍ତୁତି ବୈଠକରେ ରାଉରକେଲା ମହାନଗର ନିଗମର ଯୁଗ୍ମ ଆୟୁକ୍ତ ପଲ୍ଲବୀ ନାୟକଙ୍କ ସହ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ତଥା ବେଦବ୍ୟାସ ଟ୍ରଷ୍ଟ ବୋର୍ଡର ସଦସ୍ୟ ପ୍ରମୁଖ ରୂପେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.