jayashree

ନୂଆପଡ଼ା ଜିଲ୍ଲାପାଳଙ୍କ ବିଭିନ୍ନ କ୍ଷେତ୍ର ପରିଦର୍ଶନ ଓ ଜିଲ୍ଲାକୁ ଆଗେଇ ନେବାକୁ ଆହ୍ଵାନ

ନୂଆପଡ଼ା, (ଅଜିତ କୁମାର ବେହେରା) : ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶ କ୍ଷେତ୍ର ପରିଦର୍ଶନରେ ଯାଇ କର୍ଲାକୋଟ ଧାନମଣ୍ଡିରେ ଧାନକ୍ରୟ ବ୍ୟବସ୍ଥା ଦେଖିଥିଲେ । ନବୀନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପରିଚାଳିତ ଏହି ମଣ୍ଡିରେ ୭ ଜଣ କୃଷକ ୭୦୩ ବସ୍ତା ଧାନ ଜମା କରିଥିଲେ । ମଣ୍ଡିରେ ଚାଷୀମାନଙ୍କ ପାଇଁ ପିଇବା ପାଣି, ଶୌଚାଳୟ ସହ ବସିବା ପାଇଁ ଛାୟା ଓ ଚୌକିର ବ୍ୟବସ୍ଥା କରିବା ପାଇଁ ଆର୍‌ଏମ୍‌ସି କର୍ମଚାରୀମାନଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ । ଏହାପରେ କର୍ଲାକୋଟ ସବ ସେଣ୍ଟର ସ୍ଵାସ୍ଥ୍ୟ କେନ୍ଦ୍ର ତଥା ଡେ କେୟାର ସେଣ୍ଟର ପରିଦର୍ଶନ କରିଥିଲେ । ଏହା କୋମନା ବ୍ଲକ ଦ୍ୱାରା ୪୬ ଲକ୍ଷ ଟଙ୍କାରେ ନିର୍ମିତ ହୋଇଛି । ଡିସେମ୍ବର ମାସରେ ଏହା ସମ୍ମ।ନନୀୟ ମୁଖ୍ୟମନ୍ତ୍ରୀଙ୍କ ନୂଆପଡ଼ା ଗସ୍ତ ଅବସରରେ ଉଦ୍‌ଘାଟନ ହେବାକୁ ଥିବାରୁ ଏହାର କାମ ଶୀଘ୍ର ସମ୍ପନ୍ନ କରିବା ପାଇଁ ବିଡିଓଙ୍କୁ ନିର୍ଦେଶ ଦେଇଥିଲେ । ଏହାପରେ ସମାଜ କଲ୍ୟାଣ ବିଭାଗ ଦ୍ୱାରା ପରିଚାଳିତ ଡମ୍‌ଝର ବିଦ୍ୟାଳୟ ପରିଦର୍ଶନ କରି ଏଠାରେ ୮ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ଅତିରିକ୍ତ ଶ୍ରେଣୀ ଗୃହର କାମ ୧ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରିବା ପାଇଁ କହିଥିଲେ । ୯୬ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଡମ୍‌ଝର ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ଗୃହର ଛାତ ପଡି ସାରି ଥିବାରୁ ବାକି କାମ ୨ ମାସ ମଧ୍ୟରେ ସାରିବାକୁ ବିଡିଓ ଓ ଯନ୍ତ୍ରୀଙ୍କୁ ନିର୍ଦେଶ ଦେଇଥିଲେ । ଏହାପରେ ଲର୍କା ମଣ୍ଡି ପରିଦର୍ଶନ କରି ଚାଷୀ ଏବଂ ମିଲରମାନଙ୍କ ସହିତ ଆଲୋଚନା କରି ଆପୋଷ ସହଯୋଗରେ ସୁବ୍ୟବସ୍ଥର ସହିତ ଧାନ ଉଠାଇ ଏହାକୁ ଜିଲ୍ଲାର ଏକ ଆଦର୍ଶ ମଣ୍ଡି କରିବା ପାଇଁ ଆହ୍ୱାନ ଦେଇଥିଲେ । ଏହା ପରେ ବୋଇର ଗାଁ ପଞ୍ଚ।ୟତର ଚିକଲଚୁଆଁ ଗାଁରେ ଜଳ ବଭାଜିକା ପ୍ରକଳ୍ପ ଦ୍ୱାରା ନିର୍ମିତ ୩ ହେକ୍ଟର ବିଶିଷ୍ଟ ଆମ୍ବ ବଗିଚା ବୁଲି ଦେଖିଥିଲେ । ଏହି ଆମ୍ବ ବଗିଚା ଖଗେଶ୍ୱର ମାଝୀ ଏବଂ ତାଙ୍କ ସାଥୀ କୃଷକମାନଙ୍କ ଦ୍ୱାରା ମନରେଗା ଯୋଜନାରେ ୧୨. ୪୪ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ଯେଉଁଠାରେ ୧୨୦୦ ଆମ୍ବ ଗଛ ଲଗାଯାଇଛି । ଏହା ପରେ କେଶରାଜପୁର ସ୍ଥିତ ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରି ବିଦ୍ୟାଳୟ ପରିଚାଳନା କମିଟି ସଭାରେ ଅଧ୍ୟକ୍ଷତା କରିଥିଲେ । ଏଥିରେ ବିଡିଓ, ବ୍ଲକ ଶିକ୍ଷା ଅଧିକାରୀ, ସ୍ଵାସ୍ଥ୍ୟ ଅଧିକାରୀ, ପୂର୍ତ୍ତ ବିଭାଗ ଯନ୍ତ୍ରୀ, ବିଦ୍ୟାଳୟର ଅଧ୍ୟକ୍ଷ ଓ ପରିଚାଳନା କମିଟି ସଦସ୍ୟ ଯୋଗଦାନ କରିଥିଲେ । ଏହାପରେ ବିଦ୍ୟାଳୟ ଅଧ୍ୟକ୍ଷ ଏବଂ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀମାନଙ୍କ ବୈଠକରେ ଉତ୍ତମ ଶିକ୍ଷାଦାନ ସହିତ ଛାତ୍ରଛାତ୍ରୀମାନଙ୍କୁ ସୁନାଗରିକ ହିସାବରେ ଗଢି ତୋଳିବା ସହିତ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି କରିବା ପାଇଁ ସେମାନଙ୍କୁ ଆହ୍ୱାନ ଦେଇଥିଲେ ।

Leave A Reply

Your email address will not be published.