୭ ଦିନ ହେଲା ନଳକୂପ ଅଚଳ : ଶୀତ ଦିନେ ଜଳ କଷ୍ଟ ଭୋଗୁଛନ୍ତି ଗ୍ରାମବାସୀ, ଉପାନ୍ତରେ ଅପହଞ୍ଚ ସରକାରୀ ଯୋଜନା 

ତୁରେକେଲା, (ପିତାମ୍ବର ଦୀପ) : ରାଜ୍ୟ ସରକାର ଉପାନ୍ତ ଆଦିବାସୀ ଅଧ୍ୟୁଷିତ ଅଂଚଳ ତଥା ଗ୍ରାମାଞ୍ଚଳର ଭିତ୍ତିଭୂମି ବିକାଶ ପାଇଁ ଅନେକ ଯୋଜନା କରୁଛନ୍ତି କିନ୍ତୁ ବାସ୍ତବିକ ତାହା ତୃଣମୂଳ ସ୍ଥରରେ ସଫଳ ରୂପାୟନ ହୋଇ ପାରୁନାହିଁ, ତେବେ ସ୍ଥାନୀୟ ପ୍ରଶାସନର ଅବହେଳା ହେଉ କିମ୍ବା ଜିଲ୍ଲା ପ୍ରଶାସନ ଓ ନିର୍ବାଚିତ ଜନ ପ୍ରତିନିଧିଙ୍କ ଅପାରଗତା ହେଉ ଯାହା ପାଇଁ ଦୀର୍ଘ ବର୍ଷ ହେଲା ଅବ୍ୟବସ୍ଥା ଘେରରେ ବସବାସ କରୁଛନ୍ତି ଉପାନ୍ତ ଅଂଚଳବାସୀ । ସୂଚନା ଅନୁସାରେ ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଅଂଚଳବାସୀ ସୀମାନ୍ତ ବର୍ତ୍ତି ଅବହେଳିତ ଅଂଚଳ ହେଲା ରମାଇଗଡ଼ । ପ୍ରାୟ ୩୦୦ ଜନସଂଖ୍ୟାକୁ ନେଇ ଜନବସତି ଉଠି ଥିବା ଏହି ଗାଁରେ ଶୀତଦିନେ ଜଳର କଷ୍ଟ ଦେଖିବାକୁ ମିଳିଛି । ଗ୍ରୀଷ୍ମରେ ଆହୁରି ଜଳକଷ୍ଟ ହେବାର ସମ୍ଭାବନା ଯଥେଷ୍ଟ ବେଶୀ । ଗାଁରେ ଗୋଟେ ନଳକୂପରୁ ପାଣି ପାଉଥିଲେ ଗ୍ରାମବାସୀ କିନ୍ତୁ ଦୀର୍ଘ ୭ ଦିନ ହେଲାଣି ନଳକୂପ ଅଚଳ ହୋଇଯାଇଛି । ଏବେ ନଳକୂପ ଅଚଳ ହେବା ହେତୁ ପିଇବା ପାଣି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଲୋକେ କୁଆଁ, ନାଳର ଦୂଷିତ ପାଣି ପିଇ ବିଭିନ୍ନ ରୋଗାକ୍ରାନ୍ତ ହେବାର ମଧ୍ୟ ସମ୍ଭାବନା ରହୁଛି । ସରପଞ୍ଚ, ନୈବ ସରପଞ୍ଚକୁ କହିଲେ ଆଜି ହେବ କାଲି ହେବ ବୋଲି କହୁଛନ୍ତି କିନ୍ତୁ ଆଜି ଯାଏ କୌଣସି ପ୍ରକାରେ ପାଣିର ବ୍ୟବସ୍ଥା ହୋଇ ପାରିନାହିଁ । ତେବେ ଏହି ନଳକୂପକୁ ମରାମତି କରିବା ପାଇଁ ସାଧାରଣରେ ଦାବୀ ହେଉଛି ।  

Leave A Reply

Your email address will not be published.