ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସର୍କିଟ୍ ବେଞ୍ଚ ଓ ଅଦାଲତରେ ଆଞ୍ଚଳିକ ଭାଷାର ବ୍ୟବହାର ପାଇଁ ଲୋକସଭାରେ ସାଂସଦ ପ୍ରଦୀପ ପୁରୋହିତଙ୍କ ଦାବି

ବରଗଡ, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାରେ ଓଡ଼ିଆ ହାଇକୋର୍ଟର ସର୍କିଟ୍ ବେଞ୍ଚ ସ୍ଥାପନ ତଥା ନିମ୍ନ ତଥା ଉଚ୍ଚ ଅଦାଲତରେ ଆଞ୍ଚଳିକ ଭାଷାର ବ୍ୟବହାର କରାଯାଉ । ଓଡ଼ିଶା ହାଇକୋର୍ଟ ତଥା ରାଜ୍ୟର ନିମ୍ନ ଅଦାଲତଗୁଡ଼ିକରେ ଓଡ଼ିଆ ଭାଷାରେ ଜବାବ ସୁଆଲ ବ୍ୟବସ୍ଥା କରିବାକୁ ଆଜି ଲୋକସଭାରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଦାବି କରିଛନ୍ତି । ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ବେଞ୍ଚ ନଥିବାରୁ ସ୍ଥାନୀୟ ଲୋକ କଟକ ଆସି ହଇରାଣ ଓ ଖର୍ଚ୍ଚାନ୍ତ ହେଉଥିବାରୁ ଏହି ଅଞ୍ଚଳର କୌଣସି ସ୍ଥାନରେ ବେଞ୍ଚ ସ୍ଥାପନ କରାଯାଉ ବୋଲି ଦର୍ଶାଇଛନ୍ତି । ସେହିପରି ସାଧାରଣଲୋକଙ୍କୁ ସରଳ ଓ ସହଜ ନ୍ୟାୟିକ ସୁବିଧା ଯୋଗାଇ ଦେବାକୁ ସେ ଓଡ଼ିଆ ଭାଷାର ବ୍ୟବହାର କରିବାକୁ ଦାବି ଉଠାଇଛନ୍ତି । ଏହାର ଜବାବରେ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ କହିଛନ୍ତି ଯେ, ସମ୍ବିଧାନର ଧାରା ୩୪୮ ଅନୁସାରେ, ସୁପ୍ରିମକୋର୍ଟ ତଥା ଦେଶର ହାଇକୋର୍ଟଗୁଡ଼ିକରେ ଇଂରାଜୀ ଭାଷାର ପ୍ରୟୋଗ କରାଯାଉଛି । ତେବେ ୩୪୮ (ଖ) ଧାରା ଅନୁସାରେ, ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ସଂପୃକ୍ତ ରାଜ୍ୟର ରାଜ୍ୟପାଳ ତାଙ୍କ ରାଜ୍ୟରେ ଅଧିକରୁ ଅଧିକ ଆଞ୍ଚଳିକ ଭାଷାର ବ୍ୟବହାର ପାଇଁ ନିର୍ଦ୍ଦେଶ ଦେଇପାରିବେ । ଏହି ଧାରା ଅନୁସାରେ, ୧୯୮୫ ମସିହାରୁ ରାଜସ୍ଥାନ ହାଇକୋର୍ଟରେ, ୧୯୬୯ରୁ ଉତ୍ତର ପ୍ରଦେଶରେ, ୧୯୭୧ରୁ ମଧ୍ୟପ୍ରଦେଶ ଓ ୧୯୭୨ରୁ ବିହାର ହାଇକୋର୍ଟରେ ଜବାବ ସୁଆଲ ବେଳେ ଅଧିକରୁ ଅଧିକ ହିନ୍ଦୀ ଭାଷାର ପ୍ରୟୋଗ କରାଯାଉଥିବା ଆଇନ ମନ୍ତ୍ରୀ ଗୃହରେ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.