ବରଗଡ଼/ଭୁବନେଶ୍ୱର : ବରଗଡ଼ ଜିଲ୍ଲା ବିଜେପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟୁକୁର୍ଲାଠାରେ ମୁଖ୍ୟ ଚିକିତ୍ସାଳୟ ପରିସରରେ ନବ ନିର୍ମିତ କ୍ୟାନସର୍ ହସ୍ପିଟାଲର କରିବେ ଶୁଭ ଉଦ୍ଘାଟନ । ଏହାସହ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପର ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ । ଏହାବାଦ୍ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ପରେ ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ହୋଇଛି ବ୍ୟାପକ ବନ୍ଦୋବସ୍ତ । ଖବର ଅନୁଯାୟୀ, ମୁଖ୍ୟମନ୍ତ୍ରୀ ସକାଳ ସାଢେ ୧୧ଟାରେ ବିଜେପୁର ବ୍ଲକ କନାପାଲିଠାରେ ଥିବା ହେଲିପ୍ୟାଡରେ ଓହ୍ଲାଇବା ପରେ କାନାପାଲି ପମ୍ପ ହାଉସ ପରିଦର୍ଶନ କରିବେ । ପରେ ଆୟୋଜିତ ଉଦ୍ଘାଟନୀ ସଭାରେ ସାମିଲ ହେବେ । ଏହି ଗ୍ରସ୍ତରେ ମୁଖ୍ୟମନ୍ତ୍ରୀ ବହୁ ପ୍ରତିକ୍ଷୀତ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପର ଶୁଭ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏହି ପ୍ରକଳ୍ପ ବରଗଡ଼ ଜିଲ୍ଲା ପାଇଁ ଆଉ ଏକ ସବୁଜ କ୍ରାନ୍ତି ଆଣିବାକୁ ଯାଉଛି । କାରଣ ଏହା ଦ୍ୱାରା ଜିଲ୍ଲାର ବିଜେପୁର ଓ ସୋହେଲା ବ୍ଲକର ୧୦୦ଟି ଗାଁକୁ ଜଳସେଚନ ହୋଇପାରିବ । ବରପାଲିର ୨୨ଟି ଓ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲିର ୭ଟି ଗାଁର ଚାଷୀ ମଧ୍ୟ ଉପକୃତ ହେବେ । ଏହାର ଟ୍ରାଏଲ ରନ ସରିଥିବା ବେଳେ ବହୁ ଜମିକୁ ପାଣି ମଧ୍ୟ ମାଡ଼ିଛି । ଯାହାକୁ ନେଇ ଚାଷୀ ମହଲରେ ଖୁସିର ଲହରୀ ଖେଳିଯାଇଛି । ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହ ନାଥ ମନ୍ଦିରର ଉନ୍ନତିକରଣ କାର୍ୟ୍ୟର ଉଦ୍ଘାଟନ କରିବେ । ଏହାସହିତ ଅତ୍ୟାଧୁନିକ କ୍ୟାନ୍ସର ହସପିଟାଲର କରିବେ ଲୋକାର୍ପଣ । ପ୍ରାୟ ୧୨୦ କୋଟି ବ୍ୟୟ ଅଟକଳରେ ନିର୍ମିତ ଏହି ୫ ମହଲା ବିଶିଷ୍ଟ କ୍ୟାନ୍ସର ହସପିଟାଲ ନିର୍ମାଣ କାର୍ୟ୍ୟ ସମ୍ପୂର୍ଣ୍ଣ ହୋଇଛି । ଯାହା ପଶ୍ଚିମ ଓଡିଶାର କ୍ୟାନ୍ସର ପୀଡିତମାନେ ଏଠାରେ ଚିକିତ୍ସା ସେବା ପାଇ ପାରିବେ । ମୁଖ୍ୟମନ୍ତ୍ରୀଙ୍କ ବରଗଡ଼ ଜିଲ୍ଲା ଗସ୍ତ ପାଇଁ ବ୍ୟାପକ ପ୍ରସ୍ତୁତି ସହିତ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି ।