ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ପୁଇଁତଲା ବ୍ଲକ୍ ବହଲପଦର ଗ୍ରାମପଞ୍ଚାୟତ ମଙ୍ଗଳାମୁଣ୍ଡା ଗ୍ରାମର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ପୁଇଁତଲା ଥାନାର ଦ୍ୱାରସ୍ଥ ହୋଇଥିବା ଦେଖିବାକୁ ମିଳିଛି । ଗାଁର ପୋଖରୀ ହିଡ଼ରେ ବିଶ୍ୱରାଜ ପଧାନ ପାଇଖାନା ଟାଙ୍କି ତିଆରି କରିଥିବା ବେଳେ ଏହାକୁ ବିରୋଧ କରି ଆସୁଥିଲେ ଗ୍ରାମବାସୀ । ଏପରିକି ଏହି ସମସ୍ୟା ୫-ଟି ଅଧ୍ୟକ୍ଷଙ୍କୁ ମଧ୍ୟ ଅଭିଯୋଗ କରାଯାଇଥିଲା । ତେବେ ଗତ ୩ ତାରିଖ ଦିନ ପୁଇଁତଲା ତହସିଲଦାର ଆସି ଆଠ ଦିନ ଭିତରେ ପୋଖରୀ ହିଡ଼ରୁ ପାଇଖାନା ଟାଙ୍କି ହଟାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ତହସିଲଦାରଙ୍କ ନିର୍ଦ୍ଦେଶକୁ ବେଖାତିର କରି ବିଶ୍ୱରାଜ ଗତ ୫ ତାରିଖ ସକାଳୁ ଏସ୍ଏଚ୍ଜି ମହିଳାମାନଙ୍କୁ ଭୟଭୀତ କରାଇ ଟଣାଓଟରା କରିଥିଲେ । ଏତିକି ବେଳେ ଗ୍ରାମବାସୀ ଲକ୍ଷ୍ମୀପ୍ରସାଦ ପଧାନ ବୁଝାସୁଝା କରିବା ପାଇଁ ଆସିଥିବା ବେଳେ ତାଙ୍କୁ ବିଶ୍ୱରାଜ ଆକ୍ରମଣ କରି ଲହୁଲୁହାଣ କରି ପକାଇଥିବା ଅଭିଯୋଗ ହୋଇଥିଲା । ଏସଂପର୍କରେ ଅଭିଯୋଗ ପାଇ ପୁଇଁତଲା ଥାନା ପୋଲିସ ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ୍ କରି କୋର୍ଟ ଚାଲାଣ କରିଥିଲେ । ଗିରଫ୍ ହୋଇଥିବା ଅଭିଯୁକ୍ତଙ୍କୁ ତୁରନ୍ତ ଜାମିନ୍ ମିଳିଲେ ପୁଣି ଗଣ୍ଡଗୋଳ ହେବାର ସମ୍ଭାବନା ରହିଥିବା ଆଶଙ୍କା ନେଇ ମଙ୍ଗଳାମୁଣ୍ଡା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଅତିକମ୍ରେ ଗିରଫ୍ ଅଭିଯୁକ୍ତ ବିଶ୍ୱରାଜଙ୍କୁ ୯୦ ଦିନ ପର୍ଯ୍ୟନ୍ତ ଜାମିନ୍ ଦିଆ ନଯିବା ଦାବୀ ନେଇ ପୁଇଁତଲା ଥାନାର ଦ୍ୱାରସ୍ଥ ହୋଇଥିବା ଦେଖିବାକୁ ମିଳିଛି । ଏପରିକି ଏସଂପର୍କରେ ମଙ୍ଗଳାମୁଣ୍ଡା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ବଲାଙ୍ଗିର ଜିଲ୍ଲାପାଳ, ଏସ୍ପି, ଏସ୍ଡିପିଓ, ତହସିଲ୍ଦାର୍ଙ୍କୁ ମଧ୍ୟ ଅଭିଯୁକ୍ତଙ୍କୁ ୯୦ ଦିନ ପର୍ଯ୍ୟନ୍ତ ଜାମିନ୍ ଦିଆ ନଯାଉ ବୋଲି ଲିଖିତ ଭାବେ ଜଣାଇଥିବା କୁହାଯାଇଛି ।