
ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ବେଲଗାଁ ଫାଣ୍ଡି ସ୍ଥିତ କୁଶମଖାଲ ପାଣିଟାଙ୍କିଠାରେ ଶୁକ୍ରବାର ସନ୍ଧ୍ୟାରେ ମର୍ମନ୍ତୁକ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ମୃତ ଯୁବକଙ୍କ ନାମ ଦେବୀଲାଲ ମାଝୀ (୪୦) ଓ ନଳିନୀ ମାଝୀ (୪୦) କେନ୍ଧୁପଡା ମୁସ୍କୁଟି ଗ୍ରାମର ବୋଲି ଜଣାପଡିଛି । ଆହତ ବ୍ୟକ୍ତି ହେଲେ ରାମକୃଷ୍ଣ ମାଝୀ (୨୫), ଅଞ୍ଜନ ମାଝୀ ଉଭୟ ରୁପ୍ରା ଓ ମୁସ୍କୁଟିର ବୋଲି ଜଣାପଡିଛି । ପ୍ରକାଶ ଯେ, ସନ୍ଧ୍ୟା ସମୟରେ ସଇଁତଲା ପଟୁ ଏକ କାର ଯୋଗେ ଜଣ ମହିଳା ସହ ୩ ଜଣ ଯୁବକ ସଇଁତଲା ପଟୁ କଳାହାଣ୍ଡି ଜିଲ୍ଲା ମୁସ୍କୁଟି ଓ ରୁପ୍ରା ଅଞ୍ଚଳ ଅଭିମୁଖରେ ଯାଉଥିଲେ । ଏହି ସମୟରେ ବେଲଗାଁ ପଞ୍ଚାୟତ ସ୍ଥିତ କୁଶମଖାଲ ୨୬ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ପାଣିଟାଙ୍କି ଆଡକୁ ଡ୍ରାଇଭର ଜଣକ ଭାରସାମ୍ୟ ହରାଇ ଗାଡି ଓଲଟି ପଡିଥିଲା । ଘଟଣାସ୍ଥଳକୁ ସଇଁତଲା ପୋଲିସ ପହଂଚି ମୃତ ଓ ଗୁରୁତର ବ୍ୟକ୍ତିଙ୍କୁ ଉଦ୍ଧାର କରି ସଇଁତଲା ଡାକ୍ତରଖାନାକୁ ଅଣାଯାଇଥିଲା ।