ସୋନପୁର ନିର୍ବାଚନମଣ୍ଡଳୀ ଉନ୍ନୟନ କମିଟିର ସମୀକ୍ଷା ବୈଠକ

  • ନିର୍ମାଣାଧୀନ କାର୍ଯ୍ୟ ପ୍ରକଳ୍ପ ଗୁଡ଼ିକ ନୂତନ ପିଢିଙ୍କ ଉପଲବ୍ଧ ନିମନ୍ତେ ସୁନିଶ୍ଚିତ କରିବାକୁ ବିଭାଗ ଗୁଡିକୁ ପରାମର୍ଶ
  • କାର୍ଯ୍ୟ ପ୍ରକଳ୍ପ ଗୁଡିକରେ କାର୍ଯ୍ୟର ଗୁଣାତ୍ମକମାନରେ ସାଲିସ କରାଯିବ ନାହିଁ

ସୋନପୁର, (କେପିଏନ୍‌ଏସ୍‌) : ସୋନପୁର ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟିର ସମୀକ୍ଷା ବୈଠକ ମାନ୍ୟବର ମନ୍ତ୍ରୀ, ଅର୍ଥ ଓ ସଂସଦୀୟ ବ୍ୟାପାର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତଥା ବିଧାୟକ ସୋନପୁର ନିର୍ବାଚନ ମଣ୍ଡଳୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୋନପୁର, ତରଭା, ବିନିକା(ଆଂଶିକ) ଏବଂ ଡୁଙ୍ଗୁରିପାଲି ବ୍ଲକ ସହ ସୋନପୁର ମ୍ୟୁନିସିପାଲିଟି, ତରଭା ଏନ୍‌ଏସି, ଅଞ୍ଚଳରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜନମଙ୍ଗଳ ଏବଂ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରାଯାଇଥିଲା । କମିଟିର ଆବାହକ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ, ସୁବର୍ଣ୍ଣପୁର ନିହାର ରଞ୍ଜନ କଁହର ସମସ୍ତଙ୍କୁ ସ୍ଵାଗତ କରି ବୈଠକର ଆଭିମୁଖ୍ୟ ସମ୍ବନ୍ଧରେ ଅବଗତ କରାଇବା ସହ ଜିଲ୍ଲାର ସମସ୍ତ ବିକାଶମୂଳକ କାର୍ଯ୍ୟଗୁଡିକୁ ଧାର୍ଯ୍ୟ ସମୟ ମଧ୍ୟରେ ଅତିଶୀଘ୍ର ସମ୍ପନ୍ନ କରିବା ଉପରେ ଗୁରୁତ୍ଵ ଦେଇଥିଲେ । ବୈଠକରେ ମାନ୍ୟବର ମନ୍ତ୍ରୀ ଶ୍ରୀ ପୂଜାରୀ ବିଭିନ୍ନ ବିଭାଗରେ ଚାଲିଥିବା ଉନ୍ନୟନ କାର୍ଯ୍ୟର ସମୀକ୍ଷା କରି ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ଅନୁଦାନ ରାଶିର ଉପଯୋଗ କରି ସବୁ ପ୍ରକଳ୍ପ ଗୁଡିକୁ ସମାପ୍ତ କରିବା ପାଇଁ ଯତ୍ନଶୀଳ ହେବାକୁ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ସେ ବିଭାଗୀୟ ଅଧିକାରୀଙ୍କୁ ପ୍ରକଳ୍ପ କାର୍ଯ୍ୟ ସମୟରେ ପରିଦର୍ଶନ କରି କାର୍ଯ୍ୟର ଗୁଣାତ୍ମକମାନକୁ ନିଶ୍ଚିତ କରିବାକୁ ପରାମର୍ଶ ଦେଇଛନ୍ତି । ପ୍ରତ୍ୟେକ ଅଧିକାରୀ ବିଭାଗୀୟ ଜନକଲ୍ୟାଣ ପ୍ରକଳ୍ପଗୁଡିକୁ ନୂତନ ପୀଢ଼ିଙ୍କ ନିମନ୍ତେ ଉପଲବ୍ଧକୁ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ମାନ୍ୟବର ମନ୍ତ୍ରୀ ଏହି ସମୀକ୍ଷା ବୈଠକରେ ଜାତୀୟ ରାଜପଥ ଦ୍ୱାରା ନିର୍ମାଣାଧୀନ ରାସ୍ତା, ଆରଡିରାସ୍ତା, ପିଡବ୍ଲୁଡ଼ି ଦ୍ୱାରା ନିର୍ମାଣଧୀନ ରାସ୍ତା ତଥା ପ୍ରଧାନ ମନ୍ତ୍ରୀ ସଡ଼କ ଯୋଜନା ଅନ୍ତର୍ଗତ ରାସ୍ତା ଗୁଡିକର ଅଗ୍ରଗତିର ସମୀକ୍ଷା ସହ ନିଆଯିବାକୁ ଥିବା ପ୍ରକଳ୍ପ ଉପରେ ଉପସ୍ଥିତ ଯନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ସେହିପରି ମେଗା ଲିଫ୍ଟ ପ୍ରୋଜେକ୍ଟର କାର୍ଯ୍ୟକାରିତା ସହ ନୂତନ ମେଗା ଲିଫ୍ଟ ପ୍ରକଳ୍ପ ନିମନ୍ତେ ବିଭାଗ ତରଫରୁ ପ୍ରସ୍ତାବ ପଠାଇବାକୁ ପରାମର୍ଶ ଦେଇଛନ୍ତି । ଗ୍ରାମାଞ୍ଚଳ ଗୁଡିକରେ ପିଇବା ପାଣି ଯୋଗାଣ ନିମନ୍ତେ ଆରଡବ୍ଲୁଏସ୍‌ଏସ୍‌ ବିଭାଗ ତରଫରୁ ତୁରନ୍ତ ଆବଶ୍ୟକ ପଦକ୍ଷେପ ପାଇଁ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ନୂତନ ଉଠା ଜଳସେଚନ ପ୍ରକଳ୍ପ ଗୁଡିକର ଶୀଘ୍ର କାର୍ଯ୍ୟଶେଷ କରିବା ତଥା ଅଚଳ ପ୍ରକଳ୍ପ ଗୁଡିକ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟକ୍ଷମ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ । ବିଧାୟକ ପାଣ୍ଠିର ସୁଧ ଅର୍ଥ ରାଶିର ସୁବିନିଯୋଗ ନିମନ୍ତେ ଅଧିକାରୀଙ୍କ ସହ ଆଲୋଚନା କରିଥିବା ବେଳେ ଜିଲ୍ଲାରେ ଜମି ଅଧିଗ୍ରହଣ ହେତୁ ଅଟକି ରହିଥିବା ବିଭିନ୍ନ ପ୍ରକଳ୍ପ ତଥା ତତ୍‌ଜନିତ ଅସୁବିଧାକୁ ତୁରନ୍ତ ସମାଧାନ କରି ପ୍ରକଳ୍ପ କାର୍ଯ୍ୟକୁ ଆରମ୍ଭ କରିବାକୁ ସମୀକ୍ଷା ବୈଠକରେ ମାନ୍ୟବର ମନ୍ତ୍ରୀ ଜମି ଅଧିଗ୍ରହଣ ଅଧିକାରୀ ଓ ପ୍ରକଳ୍ପ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ସୁସମନ୍ୱୟ ପୂର୍ବକ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପୁନଶ୍ଚ ଓଏଲ୍‌ଆଇସି ଓ ଟିପିଡବ୍ଲୁଓଡିଏଲ୍‌ ମିଳିତ ଭାବେ ପାଣି ପାଞ୍ଚାୟତ ଓ ଡିପ ବୋର ୱେଲ ପ୍ରକଳ୍ପ ଗୁଡିକୁ ଯୁଦ୍ଧକାଳୀନ ଭିତ୍ତିରେ ସମସ୍ୟାର ସମାଧାନ ପୂର୍ବକ କାର୍ଯ୍ୟକ୍ଷମ କରି ଚାଷୀଙ୍କୁ ଉପଲବ୍ଧ କରାଇବାକୁ ଯତ୍ନବାନ ହେବାକୁ ପରାମର୍ଶ ଦେଇଛନ୍ତି । ପଶ୍ଚିମ ଓଡିଶା ବିକାଶ ପରିଷଦରୁ ମଞ୍ଜୁର ୪୭.୮୮ ଲକ୍ଷ ଟଙ୍କା ଅନୁଦାନରେ ସୁବର୍ଣ୍ଣପୁର ସହରରେ ଥିବା ନୂତନ ଟାଉନ ହଲ ରେ ଅତିଶୀଘ୍ର ସାମଗ୍ରିକ ଶୀତତାପ ନିୟନ୍ତ୍ରଣ ବ୍ୟବସ୍ଥା ମରିବା ସହ ଅନ୍ୟାନ୍ୟ ଆନୁସଙ୍ଗିକ ଭିତ୍ତି ଭୂମି ବ୍ୟବସ୍ଥାକୁ ସୁନିଶ୍ଚିତ କରିବାକୁ ପଦକ୍ଷେପ ନେବାକୁ କାର୍ଯ୍ୟ ନିର୍ବାହୀ ଅଧିକାରୀ ପୌରପରିଷଦଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାରେ ଜଙ୍ଗଲ ସୁରକ୍ଷା, ଜଙ୍ଗଲ ବୃଦ୍ଧି ସହ ବନ୍ୟ ପ୍ରାଣୀ ସୁରକ୍ଷା ନିମନ୍ତେ ବିଶେଷ ପଦକ୍ଷେପ ନେବାକୁ ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କୁ ନିର୍ଦେଶ ଦେବା ସହ ଜିଲ୍ଲାରେ ଉପଯୁକ୍ତ ସ୍ଥାନ ନିରୂପିତ କରି ଇକୋ ଟ୍ୟୁରିଜିମ ସ୍ଥାପନ କରିବାକୁ ପରାମର୍ଶ ଦେଇଛନ୍ତି । ସମୀକ୍ଷା ବୈଠକରେ ମନ୍ତ୍ରୀ ଶ୍ରୀ ପୂଜାରୀ ଜିଲ୍ଲା ତଥା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ଜଳସେଚନ ଓ ମେଘା ପାନୀୟ ଜଳ, ଶ୍ରମ ବିଭାଗ, ମାଇନର ଇରିଗେସନ ପ୍ରୋଜେକ୍ଟ ଗମନାଗମନ ଇତ୍ୟାଦି ବିଭାଗର କାର୍ଯ୍ୟାବଳି ତଥା ଅଗ୍ରଗତିର ସମୀକ୍ଷା କରିଥିଲେ । ଏହି ବୈଠକରେ ଉପନିର୍ଦ୍ଦେଶକ ଯୋଜନା ଓ ସମନ୍ୱୟ ଚତୁର୍ଭୁଜ ସାହୁ, ବିଭିନ୍ନ ବିଭାଗର ପଦାଧିକାରୀ, ବ୍ଲକ ଅଧ୍ୟକ୍ଷ, ଅଧ୍ୟକ୍ଷା, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.