oom

‘ଦଣ୍ଡପାଣି ସ୍ମୃତି ସମ୍ମାନ’ ପାଇବେ କୈଳାସ ଚନ୍ଦ୍ର ନାଏକ

jsmm
  • ଶତବାର୍ଷିକୀ ସମାରୋହରେ ହେବେ ସମ୍ବର୍ଦ୍ଧିତ

ମ.ରାମପୁର, (ହେମନ୍ତ ସାହୁ) : ମ.ରାମପୁର ମାଟିରେ କାମନା ଦଣ୍ଡର ଅୟମାରମ୍ଭକୁ ଏକଶହ ବର୍ଷ ପୂର୍ତ୍ତି ହୋଇଥିବା ବେଳେ ଏହି ଗୌରବମୟ ଅଧ୍ୟାୟକୁ ଆହୁରି ଗୌରବାନ୍ୱିତ କରିବା ପାଇଁ ଆଂଚଳିକ କାମନା ଦଣ୍ଡ ସାଂସ୍କୃତିକ ପରିଷଦ ତରଫରୁ ଚଳିତ ମାସ ୧୬ ଓ ୧୭ ତାରିଖ ଦୁଇ ଦିନ ଧରି ମହାସମାରୋହରେ ପାଳିତ ହେବ ଶତବାର୍ଷିକୀ ମହୋତ୍ସବ । ଏହି ଅବସରରେ ପରିଷଦ ତରଫରୁ ଦିଆଯାଉଥିବା ଶୀର୍ଷ ସମ୍ମାନ ‘ଦଣ୍ଡପାଣି ସ୍ମୃତି ସମ୍ମାନ’ ପାଇବେ ନାଟ୍ୟକାର, ନିର୍ଦ୍ଦେଶକ, ଘୁମୁରା ଗୁରୁ କୈଳାସ ଚନ୍ଦ୍ର ନାଏକ । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ଅନ୍ତର୍ଗତ ଦ୍ୱାରଶୁନୀ ଗ୍ରାମ ପଂଚାୟତର ସରପଂଚ ଶ୍ରୀ ନାଏକ, ମ.ରାମପୁର କାମନା ଦଣ୍ଡ ସାଂସ୍କୃତିକ ପରିଷଦର ଶତବାର୍ଷିକୀ ମହୋତ୍ସବ ଅବସରରେ କଳାହାଣ୍ଡିର ଜଣେ ବିଶିଷ୍ଠ ଲୋକନାଟ୍ୟକାର ଭାବେ ଆସନ୍ତା ତା.୧୭.୦୨.୨୩ ରିଖ ଉଦ୍‌ଯାପନୀ ସମାରୋହରେ ଅତିଥିମାନଙ୍କ ଦ୍ୱାରା ମାନପତ୍ର, ଉପାୟନ, ସ୍ମୃତି ଫଳକ ସହିତ ଦଣ୍ଡପାଣି ସ୍ମୃତି ସମ୍ମାନରେ ସମ୍ବର୍ଦ୍ଧିତ ହେବେ । ଭବାନୀପାଟଣା, ଲାଂଜିଗଡ଼, ନର୍ଲା ତଥା କେସିଙ୍ଗା ଆଦି ବ୍ଲକ ପ୍ରାୟତଃ କୋଡ଼ିଏ ଖଣ୍ଡ ଗାଁରେ ତାଙ୍କ ରଚନା ଓ ନିର୍ଦ୍ଦେଶନାରେ ବହୁ ଉନ୍ନତ ମାନର ଲୀଳା ସୁଆଙ୍ଗ ଦୀର୍ଘ ୨୫ ବର୍ଷ ହେଲା ଅଭିନୀତ ହୋଇଆସୁଛି । ସେହିପରି ‘ଘୁମୁରା’ ନୃତ୍ୟର ଜଣେ ସୁନାମଧନ୍ୟ ଗୁରୁ ତଥା ଗୀତିକାର ଭାବେ ମଧ୍ୟ ତାଙ୍କର ସ୍ୱତନ୍ତ୍ର ପରିଚୟ ରହିଛି । ତାଙ୍କରି ରଚନା ମଧ୍ୟରେ ‘ଚନ୍ଦ୍ର-ପଦ୍ମିନୀ ବିବାହ’, ‘ମର୍କତ ମଂଜୁଳା ହରଣ’ ବିଚିତ୍ର କଳ୍ପନା ଓ ‘ପ୍ରେମଲତାର ପରିଣୟ’ ଆଦି ସୁଆଙ୍ଗ କଳାହାଣ୍ଡିର ଲୋକ ନାଟ୍ୟ ପରମ୍ପରାକୁ ଋଦ୍ଧିମନ୍ତ କରିଛି । କଳା ସଂସ୍କୃତି ପ୍ରତି ସେ ଜଣେ ଉତ୍ସର୍ଗୀକୃତ ବ୍ୟକ୍ତିତ୍ୱ । ଚଳିତ ବର୍ଷ ଏହି ସମ୍ମାନ ଶ୍ରୀ ନାଏକ ପାଇବେ ବୋଲି ପରିଷରର ସଭାପତି ରୁଦ୍ର ପ୍ରତାପ ସିଂହ ଓ ସଂପାଦକ ପ୍ରକାଶ ଚନ୍ଦ୍ର ସାହୁ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି ।

jittmm
Leave A Reply

Your email address will not be published.