
ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୨ ସ୍ଥିତ ଉତ୍କଳ ସାଂସ୍କୃତିକ ପରିଷଦ ତରଫରୁ ୩୨ତମ ବୋଇତବନ୍ଦାଣ ଉତ୍ସବ ୨୦୨୨ପାଇଁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଅଭୟ ମହାପାତ୍ରଙ୍କ ସଭାପତିତ୍ୱ ଓ ସାଧାରଣ ସଂପାଦକ ଶଙ୍କର ଜେନାଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟକ୍ଷ ସୁନିଲ୍ କୟାଲ, ଉପଦେଷ୍ଟା ଦେବେନ୍ଦ୍ର ନାଥ ସାମନ୍ତରାୟ, ନୀଳାମ୍ବର ପୁହାଣ, ରଶ୍ମିତ ସାହାଣୀ, ମୀନତି ଦେବତା, ବିଶ୍ୱରଂଜନ ବେହୁରିଆ, ବିଜୟ ପ୍ରଧାନ, ଦିଲ୍ଲୀପ କର, ସନ୍ତୋଷ ସ୍ୱାଇଁ, ଆଦିତ୍ୟ ବାରିକ, ବିରେନ୍ଦ୍ର ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଲେ ଯେ, ଚଳିତ ବର୍ଷ ଆସନ୍ତା ନଭେମ୍ବର ୬ ଓ ୭ ତାରିଖ ଦୁଇଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ୬ ତାରିଖ ଦିନ ଆରଏସପିର ଭାରପ୍ରାପ୍ତ ନିର୍ଦ୍ଦେଶକ ଅତନୁ ଭୌମିକ ଉଦ୍ଘାଟକ, ଢେଙ୍କନାଳ ବିଧାୟକ ସୁଧୀର ସାମଲ ମୁଖ୍ୟ ଅତିଥି, ରାଜ୍ୟ ଯୁବ କଲ୍ୟାଣ ପରିଷଦର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ କୁନ ବିହାରୀ ଦାସ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି, ଭୁବନେଶ୍ଵର (ଉତ୍ତର)ର ବିଧାୟକ ସୁଶାନ୍ତ ରାଉତ ଓ ଚ୍ୟାମ୍ବର ଅଫ୍ କମର୍ସର ସଭାପତି ସୁବ୍ରତ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଉଥିବା ବେଳେ ରଘୁନାଥପାଲି ବିଧାୟକ ସୁବ୍ରତ ତରାଇ ପୌରାହିତ୍ୟ କରିବେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ହ୍ୟୁମାନ ସାଗରଙ୍କ ଟିମ୍ ସାଗର ସଂଗମ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରିବେ । ସେହିପରି ୭ ତାରିଖ ଦିନ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ଉଦ୍ଘାଟକ, ଓଡିଶା ରାଜ୍ୟ ପର୍ଯ୍ୟଟନ ଓ ଉନ୍ନୟନ ନିଗମର ଅଧ୍ୟକ୍ଷ ଡ. ଲେଲିନ ମହାନ୍ତି ମୁଖ୍ୟ ଅତିଥି, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଡ. ଶୁଭଙ୍କର ମହାପାତ୍ର ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି, ରାଉରକେଲା ପୁର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଇଂ ମନୋଜ ମହାନନ୍ଦ ସମ୍ମାନିତ ଅତିଥି ଓ ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ଗୌତମବୁଦ୍ଧ ଦାଶ ମୁଖ୍ୟବକ୍ତା ଭାବେ ଯୋଗ ଦେଉଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅସୀମା ପଣ୍ଡାଙ୍କ ସାଇ ସଂଗମ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରିବେ । ଏହି ଅବସରରେ ବିଭିନ୍ନ କର୍ମ କ୍ଷେତ୍ରରେ ପ୍ରତିବଦ୍ଧତା ଥିବା କିଛି ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯିବ । ଏହି କାର୍ଯ୍ୟକ୍ରମରେ ପରିଷଦର ସମସ୍ତ ସଭ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ସଂପାଦକ ଶ୍ରୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।