ତୁଷୁରା, (କେପିଏନ୍ଏସ୍) : ଗୁଡଭେଲା ବ୍ଲକ ଅନ୍ତର୍ଗତ ତୁଷୁରା କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଶୁକ୍ରବାର ତୁଷୁରା ବାଳିକା ନୋଡାଲ ହାଇସ୍କୁଲ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଉଦ୍ଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ସଇଁନ୍ତଳା ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ଗୁଡଭେଲାର ଭାରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ଭୋଇ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଉପସ୍ଥିତ ଶିଶୁ ଓ ଶିକ୍ଷକମାନଙ୍କ ଉଦ୍ଦେଶ୍ୟରେ ସାରଗର୍ଭକ ଭାଷଣ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ଗୁଡଭେଲା ବ୍ଲକ ଏବିଇଓ ରମେଶ ସାମର୍ଥ ଯୋଗ ଦେଇଥିଲେ । ତୁଷୁରା ବାଳିକା ନୋଡାଲ୍ ହାଇସ୍କୁଲର ପ୍ରଧାନ ଶିକ୍ଷକ ଭକ୍ତ ଚରଣ ଦାଶଙ୍କ ସଭାପତିତ୍ୱରେ ସଭା ଅନୁଷ୍ଠିତ ହୋଇଥିବା ବେଳେ ଆଞ୍ଚଳିକ ସାଧନ ସଂଯୋଜକ ଜଗମୋହନ ତ୍ରିପାଠୀ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ତୁଷୁରା ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହେମନ୍ତ କୁମାର ଦାଶ ମଞ୍ଚ ସଂଚାଳନ କରିଥିଲେ । ଉଦ୍ଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଡାକ୍ତରଖାନାର ଡାକ୍ତର ଲଲାଟେନ୍ଦୁ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତି ଶିଶୁମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ଏଥିରେ ମୋଟ୍ ୧୦୮ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିବା ବେଳେ ତନ୍ମଧ୍ୟରୁ ୫୧ ଜଣ ପୁରସ୍କୃତ ହୋଇଥିଲେ ଏବଂ ପ୍ରଥମ ସ୍ଥାନ ଗ୍ରହଣ କରିଥିବା ୧୭ ଜଣ ବ୍ଲକସ୍ତରୀୟ ସୁରଭି ପାଇଁ ମନୋନୀତ ହୋଇଥିଲେ । ରଚନା, ତର୍କ, କୁଇଜ୍, ଚିତ୍ରାଙ୍କନ, ଏଲୋକେଶନ, ସଂଗୀତ, ନୃତ୍ୟ ପ୍ରଭୃତି ୧୭ଟି ବିଭାଗରେ ୪ର୍ଥରୁ ୭ମ କନିଷ୍ଠ ବିଭାଗ ଓ ୮ମରୁ ୧୦ମ ଶ୍ରେଣୀ ବରିଷ୍ଠ ବିଭାଗରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ବିଦ୍ୟାଳୟରୁ ଗାଇଡ୍ ଟିଚର୍ ଭାବେ ଆସିଥିବା ଶିକ୍ଷକ, ଶିକ୍ଷୟିତ୍ରୀମାନେ ବିଚାରକ ଭାବେ ସହଯୋଗ କରିଥିଲେ । ପରିଶେଷରେ ପ୍ରଧାନ ଶିକ୍ଷକ ହେମନ୍ତ ଦାଶ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
Next Post