ବାଲିପଟା ଓ କଲଙ୍ଗାପାଲିରେ ପାଗଳ କୁକୁର ଆତଙ୍କ : କୁକୁର କାମୁଡ଼ାରେ ଶିଶୁକନ୍ୟା ମୃତ, ୩ ଗୁରୁତର ଓ ୯ ଆହତ

ପାଟାଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ଥାନା ବାଲିପଟା ଓ କଲଙ୍ଗାପାଲିରେ ପାଗଳ କୁକୁର ଆତଙ୍କ ଖେଳିଯାଇଛି । ପ୍ରଥମେ କଲଙ୍ଗାପାଲି ଗାଁରେ ଜଣେ ମହିଳାକୁ କାମୁଡି ଲହୁଲୁହାଣ କରିବା ପରେ ପରେ ବାଲିପଟା ଗାଁରେ ପାଗଳ କୁକୁର କାମୁଡ଼ାରେ ଜଣେ ତିନି ବର୍ଷର ଶିଶୁକନ୍ୟା ଦୀପା ମୁଣ୍ଡାଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଅଛନ୍ତି । ଗୁରୁତରମାନେ ହେଲେ ଝିଲି ସାହୁ(୯), ପୂର୍ଣ୍ଣବାସୀ ସାହୁ(୫୦) ଓ ଚକା ବଢେଇ(୪୦) ବୋଲି ଜଣାପଡିଛି । ସୂଚନ ଅନୁସାରେ, ଗୁରୁବାର ଭୋର ସକାଳୁ କଲଙ୍ଗାପାଲି ଗାଁ ପଟୁ ଏକ ପାଗଳ କୁକୁର ବାଲିପଟା ଗାଁ ଭିତରକୁ ପଶିଆସିଥିଲା । ଗାଁ ଦାଣ୍ଡରେ ପାଗଳ କୁକୁରଟି ଲୋକଙ୍କୁ ଗୋଡାଇ ଗୋଡ଼ାଇ କାମୁଡ଼ିଥିଲା ।ବାଲିପଟା ଗାଁର ତିନି ବର୍ଷର ଶିଶୁକନ୍ୟା ଦୀପା ମୁଣ୍ଡା, ଚକା ବଢେଇ, ଝିଲି ସାହୁ, ପୂର୍ଣ୍ଣବାସୀ ସାହୁ, ସଂକୀର୍ତ୍ତନ ମାଝୀ, ଖର୍ସେଲ ମାଝୀ ସମେତ ୧୩ ଜଣଙ୍କୁ କାମୁଡି ଦେଇଥିଲା । ଜଣେ ପରେ ଜଣେ ୧୩ ଜଣ ଆହତ ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ଚିକିତ୍ସାଧିନ ଅବସ୍ଥାରେ ଗୁଦାମ ମୁଣ୍ଡାଙ୍କ ତିନି ବର୍ଷର ଝିଅ ଦୀପାଙ୍କ ମୃତ ଘଟିଥିଲା । ଚକା, ଝିଲି ଓ ପୂର୍ଣ୍ଣବାସୀ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ତାଙ୍କ ଅବସ୍ଥାରେ ସାମାନ୍ୟ ସୁଧାର ହେବାରୁ ଡାକ୍ତର ତାକୁ ଘରକୁ ଯିବାକୁ ପରାମର୍ଶ ଦେଇଥିଲେ । ଅନ୍ୟମାନେ ପ୍ରାଥମିକ ଚିକିତ୍ସାପରେ ଘରକୁ ଫେରିଯାଇଥିବା ଭାରପ୍ରାପ୍ତ ଉପଖଣ୍ଡ ଚିକିତ୍ସାଧିକାରୀ ଡ. ପିତବାସ ସାଙ୍କ ଠାରୁ ଜଣାପଡିଛି । ଏହାପରେ ଗ୍ରାମବାସୀମାନେ ପାଗଳ କୁକୁରଟିକୁ ମାରିଦେଇଥିବା ଜଣାପଡିଛି । ପାଗଳ କୁକୁର ଦିନକୁ ଦିନ ନିଜର କାୟା ବିସ୍ତାର କରୁଥିବାରୁ ବାଲିପଟା ଓ କଲଙ୍ଗାପାଲି ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

Leave A Reply

Your email address will not be published.