csstore

ବାଇକ୍ ସହ ବନ୍ୟ ଜନ୍ତୁ ମାଂସ ଜବତ : ଅଭିଯୁକ୍ତ ଫେରାର

ମ.ରାମପୁର, (ହେମନ୍ତ ସାହୁ) : ଆଜି ସକାଳୁ କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ଅଧୀନସ୍ଥ ମ.ରାମପୁର ରେଞ୍ଜ ମୋଟଗଣ୍ଡା ଗାଁ ନିକଟରେ ଏକ ମୋଟର ସାଇକେଲରେ ଗୋଟିଏ ଅଖାରେ କିଛି ବନ୍ଧା ହେଇଥିବା ଦେଖିବାକୁ ମିଳିଥିଲା । ଖବର ପ୍ରଚାର ହେବା ପରେ ଲୋକେ ଭୟ ଓ ଆଶଙ୍କାରେ ମ.ରାମପୁର ପୁଲିସ୍‌କୁ ଖବର ଦେଇଥିଲେ । ମ.ରାମପୁର ଥାନା ଅଧିକାରୀ ସଚିନ୍ଦ୍ର ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚିବା ସହ ମ.ରାମପୁର ରେଞ୍ଜ ଅଧିକାରୀ ଅସିତ୍ କୁମାର୍ ଦାଶ, ମ.ରାମପୁର ଫରେଷ୍ଟର ରମେଶ ଚନ୍ଦ୍ର ବାଗ୍, ଫରେଷ୍ଟ ଗାର୍ଡ ବାଳ କୃଷ୍ଣ ଜାଲ ମଧ୍ୟ ପହଞ୍ଚି ଥିଲେ । ପରେ ଗାଡ଼ିରେ ଥିବା ଅଖା ଖୋଲିବାରୁ ପ୍ରାୟ ତିରିଶ କେଜି ବନ୍ୟ ଜନ୍ତୁ ମାଂସ ଥିବା ଜଣା ପଡିଥିଲା । ତେବେ ଚମଡା ନ ଥିବା କାରଣରୁ କୋଉ ଜନ୍ତୁର ମାଂସ ଜଣାପଡି ନାହିଁ । ଚିହ୍ନଟ ପାଇଁ ମାଂସ ପରୀକ୍ଷା କେନ୍ଦ୍ରକୁ ପଠାଯାଇ ବଳକା ମାଂସକୁ ପୋତି ଦିଆଯାଇଛି । ବ୍ୟବହୃତ ଗାଡ଼ିର ନମ୍ବର୍ ମଧ୍ୟ ଠିକ୍ ଭାବରେ ଜଣାପଡୁ ନଥିବା ବେଳେ ଦୁଇ ତିନି ଜଣଙ୍କ ଭିତରେ ଗାଡି କିଣା ବିକା ହୋଇଥିବା କୁହାଯାଉଛି । ଗାଡ଼ି ମାଲିକକୁ ଠାବ କରିବାକୁ ବନ ବିଭାଗ ଉଦ୍ୟମ ଆରମ୍ଭ କରିଥିବା ଜଣାପଡିଛି । ତେବେ ଗତକାଲି କେହି ଜଣେ ଏହି ମାଂସ ଧରି ଅନ୍ୟତ୍ର ଚାଲାଣ କରୁଥିବା ବେଳେ ପୁଲିସ୍ ଗାଡ଼ି ଦେଖି ମୋଟଗଣ୍ଡା ଦେଇ ଚନ୍ଦନ ପିଣ୍ଡା ରାସ୍ତାରେ ଯାଇ ଗାଡ଼ି ସହ ମାଂସ ଭର୍ତ୍ତି ଅଖା ବସ୍ତା ଛାଡ଼ି ଦେଇ ଫେରାର ମାରିଥିବା ଆଲୋଚନା ହେଉଛି ।

jayashree
Leave A Reply

Your email address will not be published.