ସାଇମରା ଗାଁରେ ଗୋଷ୍ଠୀ ସଂଘର୍ଷ : ଉଭୟ ଗୋଷ୍ଠୀର ୩ ଗୁରୁତର, ପୋଲିସର ତଦନ୍ତ ଆରମ୍ଭ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଟିକ୍ରାପଡା ଫାଣ୍ତି ଅଧିନସ୍ଥ ସାଇମରା ଗାଁରେ ଦୋକାନ ଗୃହ ଭଙ୍ଗାରୁଜା କରିବା ସହ ସାମଗ୍ରୀ ଫୋପାଡ଼ିବାକୁ ନେଇ ଉଭୟଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଛି । ଏନେଇ ସାଇମରା ଗାଁର ଅର୍ଜୁନ ଧରୁଆ ସଇଁତଲା ଥାନାରେ ଲିଖିତ ଏତଲା ଦେବା ପରେ ପୋଲିସ ଅଭିଯୋଗକୁ ଭିତ୍ତି କରି ଥାନା କେସ ନଂ୨୮୭ /୨୨ରେ ଦଫା ୧୪୭/ ୧୪୮/ ୪୫୦/ ୨୯୪/ ୩୦୭/ ୪୨୭/ ୩୭୯/ ୧୪୯ ଆଇପିସିରେ ମାମଲା ରୁଜୁ କରିଛି । ଏନେଇ ସଇଁତଲା ଆଇଆଇସି ଅବନୀ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ଥାନା ଏସ୍‌ଆଇ ପ୍ରସନ୍ନ ନାୟକ ଘଟଣାର ତଦନ୍ତ ଚଲାଇଛନ୍ତି । ଘଟଣାରୁ ପ୍ରକାଶ ଯେ, ସାଇମାର ଗ୍ରାମର ଅର୍ଜୁନ ଧରୁଆ ନିଜ ଘରେ ଏକ କିରାନା ଦୋକାନ କରିଥିବା ବେଳେ ହଠାତ୍‌ ଗତ ୧୨ ତାରିଖ ଦିନ ଅପରାହ୍ନ ସମୟରେ କେଓମାଲ ଗାଁର ରାକେଶ ଭୋଇ, ଜୁରାବନ୍ଧ ଗାଁର ପ୍ରଦୀପ ଧରୁଆ ଓ ପ୍ରକାଶ ଧରୁଆଙ୍କ ସହ ତାଙ୍କର ୫ରୁ ୭ ଜଣ ସହଯୋଗୀ ଯୁବକ ଯାଇ ଦୋକାନ ଗୃହ କବାଟକୁ ଭଙ୍ଗାରୁଜା କରିବା ସହ ସାମଗ୍ରୀ ଫୋପାଡ଼ି ଦେଇଥିଲେ । ଏହି ସମୟରେ ଖର୍ସେଲବାଞ୍ଜି ଗାଁର ଯଶୋବନ୍ତ ଧରୁଆ ବ୍ୟକ୍ତି ଜଣକ ଅର୍ଜୁନଙ୍କ ଘରକୁ କୁଣିଆ ଆସିଥିଲେ । ଏହି ଘଟଣାକୁ ସେ ବାରଣ କରିବାରୁ ତାଙ୍କୁ ଆକ୍ରମଣ ହୋଇଛି । ଏହାପରେ ଅର୍ଜୁନଙ୍କ ଘରକୁ ଆସିଥିବା ଯଶୋବନ୍ତ ଧରୁଆ ଓ ଅର୍ଜୁନଙ୍କ ବଡଭାଇ ବୀରଙ୍କୁ କବାଟ ଭାଙ୍ଗୁଥିବା ଯୁବକମାନେ ହଠାତ୍ ଖଣ୍ତା ଯୋଗେ ଆକ୍ରମଣ କରିଥିଲେ ।ଯାହା ଫଳରେ ଅର୍ଜୁନଙ୍କ ବଡଭାଇ ବୀର ଓ ଯଶୋବନ୍ତ ଗୁରୁତର ହେବା ପରେ ସଙ୍ଗେସଙ୍ଗେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ସଇଁତଲା ଡାକ୍ତରଖାନା ଆଣି ପ୍ରାଥମିକ ଚିକିତ୍ସା କରି ବଲାଙ୍ଗିର ଭୀମଭୋଇ ମେଡିକାଲକୁ ପଠାଯାଇଥିଲା । ଏଥିରେ ଯଶୋବନ୍ତଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବଲାଙ୍ଗିରରୁ ବୁର୍ଲା ବୀର ସୁରେନ୍ଦ୍ର ସାଏ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଅପରପକ୍ଷେ ଆକ୍ରମଣକାରୀ ଗୋଷ୍ଠୀର ରାକେଶ ଭୋଇଙ୍କୁ ସାଇମରା ଗାଁ ଲୋକେ ଧରି ନିସ୍ତୁକ ମାଡ ମାରିଥିବା ଜଣାପଡିଛି । ଏଥିରେ ରାକେଶର ସହଯୋଗୀ ମାନେ ଘଟଣାସ୍ଥଳରୁ ଫେରାର ମାରିଥିଲେ । ଖବର ପାଇ ଟିକ୍ରାପଡା ଫାଣ୍ତି ଅଧିକାରୀ ଗୋପାଳଚନ୍ଦ୍ର ମିଶ୍ର ସାଇମରା ଗାଁରେ ପହଞ୍ଚି ରାକେଶଙ୍କୁ ସଇଁତଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ଅବସ୍ଥା ଗୁରୁତର ଥିବାରୁ ରାକେଶଙ୍କୁ ସଇଁତଲାରୁ ବଲାଙ୍ଗିର ଭୀମଭୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଏହି ଘଟଣାକୁ ପୋଲିସ କଡା ନଜର ରଖି ତଦନ୍ତ ଆରମ୍ଭ ଚଳାଇଛି । ଖୁବ ଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ ଶ୍ରୀ ସାହୁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.