om academy

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି : ବର୍ଷ ବର୍ଷର ଜମିଜମା ସମସ୍ୟାର ତୁରନ୍ତ ସମାଧାନ

jsm
  • ୫-ଟି ସଚିବ ଶ୍ରୀ ପାଣ୍ଡିଆନଙ୍କ ଜିଲ୍ଲାଗସ୍ତ ପରେ ଲୋକଙ୍କ ଜମି ସମସ୍ୟାର ସମାଧାନ ପାଇଁ ଫିଟିଲା ରାସ୍ତା
  • ସିକିମ୍‌ ରୟତ ମାନଙ୍କ ଜମି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ନୀତିଗତ ନିଷ୍ପତ୍ତି; ଉପକୃତ ହେବେ କଟକ, ପୁରୀ ଓ ବାଲେଶ୍ବରର ୨ ଲକ୍ଷ ଚାଷୀ
  • ରେଙ୍ଗାଲୀ ତହସିଲର ହୀରାକୁଦ ବାସଚ୍ୟୁତ ଲୋକମାନଙ୍କ ଜମି ସମସ୍ୟାର ହେବ ସମାଧାନ – ହାଇଟେକ୍‌ ସର୍ଭେ ପାଇଁ ନିର୍ଦ୍ଦେଶ
  • ପୂର୍ବରୁ ଝାରସୁଗୁଡାର ହୀରାକୁଦ ବନ୍ଧ ବିସ୍ଥାପିତ, ଗଞ୍ଜାମ ସୋରଡା ବ୍ଲକ୍‌, ପୁରୀ ପୌରପାଳିକାରେ ଜମିଜମା ସମସ୍ୟାର ସମାଧାନ ପାଇଁ ହୋଇଥିଲା ନୀତିଗତ ନିଷ୍ପତ୍ତି

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଐତିହାସକ ନିଷ୍ପତ୍ତି ନେଇ ବିଭିନ୍ନ ସ୍ଥାନରେ ଜମି ସମସ୍ୟାର ସମାଧାନ କରାଯାଇ ଲୋକଙ୍କୁ ପଟ୍ଟା ଦେବା ପାଇଁ ନୀତିଗତ ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ଝାରସୁଗୁଡାର ହୀରାକୁଦ ବନ୍ଧ ବିସ୍ଥାପିତ, ଗଞ୍ଜାମ ସୋରଡା ବ୍ଲକ୍‌, ପୁରୀ ପୌରପାଳିକାରେ ଜମିଜମା ସମସ୍ୟାର ସମାଧାନ ପାଇଁ ନୀତିଗତ ନିଷ୍ପତ୍ତି ହୋଇଥିଲା । ଆଜି ସିକିମ ରୟତ ମାନଙ୍କ ଜମି ସମସ୍ୟା ଓ ସମ୍ବଲପୁର ଜିଲ୍ଲାର ରେଙ୍ଗାଲୀ ତହସିଲର ହୀରାକୁଦ ବାସଚ୍ୟୁତ ମାନଙ୍କ ଜମି ସମସ୍ୟାର ସମାଧାନ ପାଇଁ ନିଷ୍ପତ୍ତି ନିଆଯାଇଛି ।

ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ. ପାଣ୍ଡିଆନ ତାଙ୍କର ଜିଲ୍ଲାଗସ୍ତ ସମୟରେ ଜମିଜମା ସଂପର୍କିତ ଅନେକ ଅଭିଯୋଗ ଲୋକଙ୍କ ଠାରୁ ପାଇଥିଲେ । ହୀରାକୁଦ ବନ୍ଧ ବିସ୍ଥାପିତମାନଙ୍କର ଦୀର୍ଘ ବର୍ଷର ସମସ୍ୟା, ଅନ୍ୟ ସ୍ଥାନରେ ସରକାରୀ ଜମିରେ ବହୁ ଦିନ ଧରି ରହୁଥିବା ଲୋକଙ୍କର ଜମି ଅଧିକାର ସମସ୍ୟା, ରୟତ ସମସ୍ୟା – ଏହିପରି ଅନେକ ସମସ୍ୟା ସଂପର୍କରେ ଲୋକମାନେ ୫-ଟି ସଚିବଙ୍କୁ ଜଣାଇଥିଲେ । ଏ ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବା ପରେ ଲୋକଙ୍କ ବହୁ ବର୍ଷର ଜମି ସମସ୍ୟାର ସମାଧାନ ପାଇଁ ବାଟ ଫିଟିଛି ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଏ ସଂପର୍କରେ ସେପ୍ଟେମ୍ବର ମାସର ପ୍ରଥମ ଓ ଦ୍ବିତୀୟ ସପ୍ତାହରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସହ ତିନି ଥର ବୈଠକ ଅନୁଷ୍ଠିତ ହୋଇଥିଲା । ସେହି ସମୀକ୍ଷା ବୈଠକରେ ନିଆଯାଇଥିବା ନିଷ୍ପତ୍ତିର ଅଗ୍ରଗତି ସଂପର୍କରେ ଆଜି ଆଉ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇ ବହୁ ଐତିହାସିକ ନିଷ୍ପତ୍ତି ନିଆଯାଇଛି । ବୈଠକରେ ୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କ ସହିତ ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ରାଜସ୍ବ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଆଇନ ସଚିବ ମାନସ ରଂଜନ ବାରିକ, ଗଞ୍ଜାମ, ସମ୍ବଲପୁର, ପୁରୀ, ଖୋର୍ଦ୍ଧା ଓ ଝାରସୁଗୁଡା ଜିଲ୍ଲାର ଜିଲ୍ଲାପାଳ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ବୈଠକରେ ଜମିଜମା ସମସ୍ୟାର ସ୍ଥାୟୀ ସମାଧାନ କରାଯାଇ ଲୋକଙ୍କୁ ଜମି ଯୋଗାଇ ଦେବାକୁ ନିଷ୍ପତ୍ତି କରାଯାଇଛି ।

ହୀରାକୁଦ ପ୍ରକଳ୍ପ ଯୋଗୁ ବାସଚ୍ୟୁତ ହୋଇଥିବା ସମ୍ବଲପୁର ଜିଲ୍ଲାର ରେଙ୍ଗାଲୀ ତହସିଲ ଅନ୍ତର୍ଗତ କୁର୍ଲା, ଥୁଣ୍ଟିକତରବଗା, ଯୋଗୀପାଲ୍ଲୀ, ସପନେ ଗ୍ରାମରେ ହାଇଟେକ୍‌ ସର୍ଭେ ମାଧ୍ୟମରେ ପୁରୁଣା ଜମିଜମା ସମସ୍ୟାର ସମାଧାନ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି । ସର୍ଭେ କାର୍ଯ୍ୟକୁ ଯେତେଶୀଘ୍ର ସମ୍ଭବ ସଂପୂର୍ଣ୍ଣ କରି ଜମି ସମସ୍ୟାର ସମାଧାନ କରିବାକୁ ପରାମର୍ଶ ଦିଆଯାଇଛି ।

ସେହିପରି ସିକିମ ରୟତ ମାନଙ୍କର ଜମି ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ନୀତିଗତ ନିଷ୍ପତ୍ତି ନିଆଯାଇଛି । ଏହାଦ୍ବାରା କଟକ, ପୁରୀ ଓ ବାଲେଶ୍ବର ଜିଲ୍ଲାର ପ୍ରାୟ ୨ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଉପକୃତ ହେବେ ।

ସୂଚନାଯୋଗ୍ୟ ଯେ ପୂର୍ବରୁ ପୂର୍ବରୁ ଝାରସୁଗୁଡାର ହୀରାକୁଦ ବନ୍ଧ ବିସ୍ଥାପିତ, ଗଞ୍ଜାମ ସୋରଡା ବ୍ଲକ୍‌, ପୁରୀ ପୌରପାଳିକାରେ ଜମିଜମା ସମସ୍ୟାର ସମାଧାନ ପାଇଁ ନୀତିଗତ ନିଷ୍ପତ୍ତି ହୋଇଥିଲା ।

ଝାରସୁଗୁଡା ଜିଲ୍ଲାରେ ହୀରାକୁଦ ବନ୍ଧ ବିସ୍ଥାପିତ ମାନଙ୍କର ସମସ୍ୟା ୫୦ ବର୍ଷରୁ ଅଧିକ ସମୟର। ଲଖନପୁର ତହସିଲର ୧୮ଟି ଗାଁ ଓ ଝାରସୁଗୁଡା ତହସିଲର ଗୋଟିଏ ଗାଁ, ଏହିପରି ୧୯ଟି ଗାଁର ଜମି ସମସ୍ୟାର ସମାଧାନ ପାଇଁ ନିଷ୍ପତ୍ତି ହୋଇଥିଲା । ପ୍ରଥମ ପର୍ଯ୍ୟାୟ ପଟ୍ଟା ଲିମେଇତିକ୍ରା ଗ୍ରାମରୁ ବଣ୍ଟନ କରାଯିବ। ଗଞ୍ଜାମ ଜିଲ୍ଲା ସୋରଡାର ୨୨ଟି ଗାଁରେ ବହୁ ପୁରାତନ ଜମି ସମସ୍ୟାର ସମାଧାନ କରାଯାଇ ଉଭୟ ଘରବାଡି ଓ ଚାଷଜମି ପଟ୍ଟା ବଣ୍ଟନ କରାଯିବା ପାଇଁ ମଧ୍ୟ ନିଷ୍ପତ୍ତି ହୋଇଛି । ସେହିପରି ଜଟଣୀ ଖାସମାହାଲ ଜମି ସମସ୍ୟାର ସମାଧାନ କରାଯାଇ ଖୁବଶୀଘ୍ର ପ୍ରଥମ ପର୍ଯ୍ୟାୟ ପଟ୍ଟା ବଣ୍ଟନ କରାଯିବ।

ସେହିପରି ପୁରୀ ପୌରପାଳିକା ବହୁ ବର୍ଷ ଧରି ବିଭିନ୍ନ ଅନୁଷ୍ଠାନ ଓ ଲୋକମାନଙ୍କୁ ଲିଜ ସୂତ୍ରରେ ପ୍ରାୟ ୫୦୪ ଏକର ଜମି ଦେଇଛି । ଏହି ଉଚ୍ଚସ୍ତରୀୟ ବୈଠକରେ ଉପଯୁକ୍ତ ଲିଜ୍ ସର୍ତ୍ତାବଳୀ ଓ ପୌରପାଳିକା ନିୟମ ଅନୁସାରେ ଆବଣ୍ଟିତ ଲିଜ୍୍ ନିୟମିତ କରିବା ପାଇଁ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ମାନଙ୍କ ଉପରେ ଉପଯୁକ୍ତ ଦେୟ ଧାର୍ଯ୍ୟ କରିବାକୁ ନିଷ୍ପତ୍ତି ହୋଇଥିଲା । ଲିଜ୍‌କୁ ନିୟମିତ କରିବାପାଇଁ ନିୟମାବଳୀ ଅନୁମୋଦନ ପରେ OGLS ନିୟମରେ ଆବଶ୍ୟକ ପରିବର୍ତ୍ତନ ପାଇଁ ଆଜିର ବୈଠକରେ ନିଷ୍ପତ୍ତି ନିଆଯାଇଛି ।

Leave A Reply

Your email address will not be published.