ତରଙ୍ଗା ହିଲ-ଅମ୍ବାଜୀ-ଅବୁ ରୋଡ୍ ନୂଆ ରେଳ ଲାଇନକୁ କ୍ୟାବିନେଟ ମଞ୍ଜୁରି

• ରେଳ ସଂଯୋଗ ବଢ଼ିବା ସହିତ ଗମନାଗମନରେ ଆସିବ ସୁଧାର
• ଅମ୍ବାଜି ପର୍ଯ୍ୟନ୍ତ ରେଳ ଯାତ୍ରାର ସୁବିଧା ଦେବା ଲାଗି ବହୁଦିନରୁ ଦାବୀ କରି ଆସୁଥିଲେ ସ୍ଥାନୀୟ ଅଞ୍ଚଳବାସୀ
• ପ୍ରସ୍ତାବିତ ପ୍ରକଳ୍ପ ଅମ୍ବାଜୀ ପର୍ୟ୍ୟନ୍ତ ରେଳ ଯୋଗାଯୋଗ ପ୍ରଦାନ କରିବା ସହିତ ସ୍ଥାନୀୟ ଲୋକଙ୍କ ଗମନାଗମନରେ ସୁଧାର ଆଣିବ
• ଅହମ୍ମଦାବାଦ ଏବଂ ଆବୁ ରୋଡ ମଧ୍ୟରେ ଏହା ଏକ ବିକଳ୍ପ ମାର୍ଗ ମଧ୍ୟ ପ୍ରଦାନ କରିବ
• ପ୍ରକଳ୍ପ ନିର୍ମାଣ ଫଳରେ ପାଖାପାଖି ୪୦ ଲକ୍ଷ ମାନବ ଦିବସର ପ୍ରତ୍ୟକ୍ଷ ରୋଜଗାର ସୃଷ୍ଟି ହେବ
• ଏହି ପ୍ରକଳ୍ପର ଆନୁମାନିକ ବ୍ୟୟ ଅଟକଳ ୨୭୯୮.୧୬ କୋଟି ଟଙ୍କା ନିର୍ଦ୍ଧାରଣ କରାଯାଇଛି ଏବଂ ୨୦୨୬-୨୭ ସୁଦ୍ଧା ପ୍ରକଳ୍ପ କାମ ସମ୍ପୂର୍ଣ୍ଣ ହେବ

ନୂଆଦିିଲ୍ଲୀ, (ପିଆଇବି) : ୨୭୯୮.୧୫ କୋଟି ଟଙ୍କାର ଆନୁମାନିକ ବ୍ୟୟ ଅଟକଳ ସହିତ ରେଳ ମନ୍ତ୍ରଣାଳୟ ଦ୍ୱାରା ତରଙ୍ଗା ହିଲ-ଅମ୍ବାଜୀ-ଆବୁ ରୋଡ୍ ନୂଆ ରେଳ ଲାଇନ ନିର୍ମାଣ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି ଏହି ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି ।

ନୂଆ ରେଳ ଲାଇନର ଲମ୍ବ ମୋଟ ୧୧୬.୬୫ କିଲୋମିଟର ହେବ । ଏହି ପ୍ରକଳ୍ପ ୨୦୨୬-୨୭ ସୁଦ୍ଧା ସମ୍ପୂର୍ଣ୍ଣ ହେବ । ଏ ପ୍ରକଳ୍ପ ନିର୍ମାଣ ସମୟରେ ପାଖାପାଖି ୪୦ ଲକ୍ଷ ମାନବ ଦିବସ ଲାଗି ପ୍ରତ୍ୟକ୍ଷ ରୋଜଗାର ସୃଷ୍ଟି ହେବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୂତନ ଭାରତ ସଂକଳ୍ପ ଅନୁରୂପ, ଏ ପ୍ରକଳ୍ପ ରେଳ ଯୋଗାଯୋଗ ବଢ଼ାଇବା ଏବଂ ଗମନାଗମନରେ ସୁଧାର ଆଣିବାକୁ ଯାଉଛି । ଏହା ଦ୍ୱାରା ସ୍ଥାନୀୟ ଅଞ୍ଚଳରେ ସାମଗ୍ରିକ ସାମାଜିକ-ଆର୍ଥିକ ବିକାଶ ହେବ ।

ଅମ୍ବାଜୀ ଏକ ପ୍ରସିଦ୍ଧ ତୀର୍ଥସ୍ଥଳୀ ହୋଇଥିବା ବେଳେ ଏହା ଭାରତର ୫୧ଟି ଶକ୍ତିପୀଠ ମଧ୍ୟରୁ ଅନ୍ୟତମ । ପ୍ରତ୍ୟେକ ବର୍ଷ ଗୁଜୁରାଟ ସହିତ ଦେଶର ବିଭିନ୍ନ ଭାଗ ଏବଂ ବିଦେଶରୁ ଲକ୍ଷାଧିକ ଭକ୍ତ ଏଠାକୁ ଆସିଥାନ୍ତି । ଏଠାରେ ରେଳ ଲାଇନ ନିର୍ମାଣ ଫଳରେ ଲକ୍ଷାଧିକ ଯାତ୍ରୀଙ୍କୁ ସୁବିଧା ମିଳିପାରିବ । ଏହାବ୍ୟତୀତ, ତରଙ୍ଗା ହିଲରେ ଥିବା ଅଜୀତନାଥ ଜୈନ ମନ୍ଦିର (୨୪ଟି ପବିତ୍ର ଜୈନ ତୀର୍ଥଙ୍କର ମଧ୍ୟରୁ ଗୋଟିଏ) ଦର୍ଶନ କରିବାକୁ ଆସୁଥିବା ଭକ୍ତମାନଙ୍କୁ ମଧ୍ୟ ଏହି ରେଳ ସଂଯୋଗ ଦ୍ୱାରା ଅଧିକ ଲାଭ ମିଳିପାରିବ । ତରଙ୍ଗା ହିଲ-ଅମ୍ବାଜୀ-ଆବୁ ରୋଡ ମଧ୍ୟରେ ଏହି ନୂଆ ରେଳ ଲାଇନ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ସ୍ଥଳକୁ ରେଳବାଇର ମୁଖ୍ୟ ନେଟୱର୍କ ସହ ଯୋଡ଼ିବ ।

ଏହି ଲାଇନ କୃଷି ଏବଂ ସ୍ଥାନୀୟ ଉତ୍ପାଦକୁ ସହଜରେ ନେବା ଆଣିବା କରିବା ଲାଗି ସୁବିଧା ପ୍ରଦାନ କରିବ ଏବଂ ଗୁଜୁରାଟ ଓ ରାଜସ୍ଥାନ ମଧ୍ୟରେ ତଥା ଦେଶର ଅନ୍ୟ ଭାଗରେ ମଧ୍ୟ ଲୋକମାନଙ୍କୁ ଉନ୍ନତ ଗମନାଗମନ ସୁବିଧା ପ୍ରଦାନ କରିବ । ଏହି ପ୍ରକଳ୍ପ ବର୍ତ୍ତମାନର ଅହମ୍ମଦାବାଦ-ଆବୁ ରୋଡ ରେଳ ଲାଇନ ପାଇଁ ବିକଳ୍ପ ମାର୍ଗ ମଧ୍ୟ ପ୍ରଦାନ କରିବ ।

ପ୍ରସ୍ତାବିତ ଦୋହରୀକରଣ ସହ ଯୋଡ଼ି ହେବା ଫଳରେ ରାଜସ୍ଥାନର ସିରୋହୀ ଜିଲ୍ଲା ଏବଂ ଗୁଜୁରାଟର ବନାସକାଣ୍ଠା ଓ ମେହସାଣା ଜିଲ୍ଲା ଦେଇ ଅତିକ୍ରମ କରିବ । ନୂଆ ରେଳ ଲାଇନ ନିର୍ମାଣ ଫଳରେ ପୁଞ୍ଜି ନିବେଶ ଆକୃଷ୍ଟ ହେବା ସହିତ ସ୍ଥାନୀୟ ଅଞ୍ଚଳରେ ସାମଗ୍ରିକ ସାମାଜିକ-ଆର୍ଥିକ ବିକାଶ ହୋଇପାରିବ ।

Leave A Reply

Your email address will not be published.

2 × 5 =