ରାସ୍ତା, ଡ୍ରେନ ଓ ପିଇବା ପାଣି ସମସ୍ୟା ଥିବା ଅଞ୍ଚଳ ବୁଲିଲେ ନରସିଂହ : ସ୍ୱତନ୍ତ୍ର ପ୍ୟାକେଜ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କଲେ ଦାବୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ପୌରାଞ୍ଚଳର ରାସ୍ତା, ଡ୍ରେନ ଓ ପିଇବା ପାଣି ସମସ୍ୟା ଥିବା ଅଞ୍ଚଳକୁ ବଲାଙ୍ଗିରର ବିଧାୟକ ନରସିଂହ ମିଶ୍ର ପୌରାଧିକାରୀ ବିପିନ ବିହାରୀ ଦିପଙ୍କ ସହ ଯାଇ ସେ ଅଞ୍ଚଳର ଅଭାବ ଅସୁବିଧା ବୁଲି ଦେଖିଛନ୍ତି । ଅପରାହ୍ନରେ ସହରର ପୁରୁଣା ଅଂଚଳ ଜୁହ୍ନାଡିହି, ଗାନ୍ଧିନଗରପଡା, ଗୋକୁଲଧାମ, ସୁଦ୍‌ପଡା ଅଂଚଳର ନିଳାଦ୍ରୀ ବିହାର ଅଂଚଳକୁ ବିଧାୟକ ଶ୍ରୀ ମିଶ୍ର ପହଞ୍ଚି ସେଠାକାର ସ୍ଥାନୀୟ ବାସିନ୍ଦାଙ୍କ ଆପତ୍ତି ଅଭିଯୋଗ ଶୁଣିଥିଲେ । ଏ ସବୁ ଅଂଚଳ ଖାଲୁଆ ଅଂଚଳ ହୋଇଥିବାରୁ ବର୍ଷା ପାଣି ନିଷ୍କାସନ ହୋଇ ପାରୁନାହିଁ । ତେଣୁ ସେଠାକାର ଅଧିବାସୀମାନେ ନାହିଁ ନଥିବାର ଅସୁବିଧା ଭୋଗ କରୁଛନ୍ତି । ବ୍ୟବସ୍ଥିତ ହିସାବରେ ଡ୍ରେନ ଓ ରାସ୍ତା ନଥିବାରୁ ଅଧିକାଂଶ ସମୟ ପାଣି ନିଷ୍କାସନ ନ ହୋଇ ଜମି ରହୁଛି । ତେଣୁ ସେଠାରେ ମଶାର ପ୍ରାଦ୍ୟୁର୍ଭାବ ମଧ୍ୟ ବଢୁଥିବା ଦେଖାଦେଉଛି । କ୍ରମବଦ୍ଧିଷ୍ଣୁ ଜନସଂଖ୍ୟା ବୃଦ୍ଧି ଯୋଗୁଁ ସହର ଉପାନ୍ତରେ ଗୋକୁଲଧାମ, ନିଳାଦ୍ରୀ ବିହାର ଭଳି ସହରରେ ଅନେକ ନୂତନ ବସ୍ତି ସ୍ଥାପନ ହୋଇଛି । ଏ ସବୁ ଅଂଚଳକୁ ଭଲ ରାସ୍ତା, ଡ୍ରେନ ଓ ପିଇବା ପାଣି ସଂଯୋଗରେ ଅନେକ ଅବ୍ୟବସ୍ଥା ଦେଖାଦେଇଛି । ତେଣୁ ଏ ଅଂଚଳ ସମେତ ବଲାଙ୍ଗିର ପୌରାଞ୍ଚଳରେ ରାସ୍ତା, ଡ୍ରେନ ଓ ପିଇବା ପାଣି ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଆଜି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଚିଠି ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ବଲାଙ୍ଗିର ପୌରାଞ୍ଚଳ ପାଇଁ ଏକ ସ୍ୱତନ୍ତ୍ର ପ୍ୟାକେଜ ଦାବୀ କରିଛନ୍ତି । ସେ ଉଲ୍ଲେଖ କରିଛନ୍ତି ଯେ, ବଲାଙ୍ଗିର ସହର ପୁରାତନ କାଳରୁ ଚେସ ବୋର୍ଡ ଭଳିଆ ରାସ୍ତା ଏବଂ ସହର ମଧ୍ୟରେ ପ୍ରାକୃତିକ ନାଳ ଓ ବନ୍ଧକଟାର ସଂଯୋଗିକରଣ ଦ୍ୱାରା ଜଳ ନିଷ୍କାସନ ସୁନ୍ଦର ଭାବରେ ହେଉଥିଲା । କିନ୍ତୁ ଜନସଂଖ୍ୟା ହୁତହୁତ ହୋଇ ବଢୁଥିବାରୁ, ତା’ ସହ ଜିବିକା ଅନ୍ୱେଷଣରେ ଗାଁରୁ ଲୋକେ ସହର ମଧ୍ୟରେ ଆସି ବସତି ସ୍ଥାପନ କରିଥିବାରୁ ସହର ମଧ୍ୟରେ ନୂଆ ନୂଆ ବସ୍ତି ସବୁ ସ୍ଥାପନ ହୋଇଯାଇଛି । ତେଣୁ ସମଗ୍ର ପୌରାଞ୍ଚଳର ରାସ୍ତା, ଡ୍ରେନ ଗୁଡିକର ପୁନରୋଦ୍ଧାର ତଥା ବ୍ୟବସ୍ଥିତ ଢଙ୍ଗରେ ନିର୍ମାଣ କରିବା ଜରୁରି ହୋଇପଡିଛି । ତା ସହ ସହରର ସମଗ୍ର ଅଂଚଳକୁ ଏ ପର୍ଯ୍ୟନ୍ତ ପାଇପ ଯୋଗେ ପିଇବା ପାଣି ପହଞ୍ଚି ପାରି ନାହିଁ । ସେଥିପାଇଁ ରାସ୍ତା, ଡ୍ରେନ ଓ ପିଇବା ପାଣି ସମସ୍ୟାର ସ୍ଥାୟୀ ପ୍ରତିକାର ପାଇଁ ମୁଖ୍ୟମନ୍ତ୍ରୀ ବଲାଙ୍ଗିର ପୌରାଞ୍ଚଳ ପାଇଁ ଏକ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରନ୍ତୁ ବୋଲି ଶ୍ରୀ ମିଶ୍ର ଦାବୀ କରିଛନ୍ତି ।

ଆଜିର ପୌରାଞ୍ଚଳ ପରିଦର୍ଶନ ସମୟରେ ଗୋକୁଲଧାମରେ ରାସ୍ତା ଓ ଡ୍ରେନର ନିର୍ମାଣ, ନିଳାଦ୍ରୀ ବିହାରରେ ବିଜୁଳି ତଥା ପିଇବା ପାଣି ସଂଯୋଗିକରଣ ଏବଂ ଜୁହ୍ନାଡିହି ଅଂଚଳରେ ରାସ୍ତା, ଡ୍ରେନ ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ଉପସ୍ଥିତ ଥିବା ପୌର ଅଧିକାରୀ ବିପିନ ବିହାରୀ ଦିପଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଗସ୍ତ ସମୟରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସ ଉପସଭାପତି ଉମାକାନ୍ତ ସାହୁ, ନଗର ସଭାପତି ବୁଲୁ ଦାନି, କିଶାନ ସେଲ ସଭାପତି ସାନନ୍ଦ ମିଶ୍ର, ଡ. ପ୍ରଶାନ୍ତ ପ୍ରଧାନ, କୈଳାସ ମିଶ୍ର, ଶୁଭ୍ରାଂଶୁ ପଣ୍ଡା, ଜୁଲୁ ପଟ୍ଟନାୟକ, ଜୟନାରାୟଣ ବହିଦାର, ବିଟୁନ ସ୍ୱାଇଁଙ୍କ ସମେତ ପ୍ରଭାବିତ ଅଂଚଳର ଅନେକ ଜନସାଧାରଣ ଉପସ୍ଥିତ ଥିଲେ ।

Leave A Reply

Your email address will not be published.