pakka

ଗଞ୍ଜାମ ଜିଲ୍ଲାରେ ଆରମ୍ଭହେଲା ଜଳସମୃଦ୍ଧି ଯୋଜନା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଗ୍ରାମ ଓ ସହରାଞ୍ଚଳରେ ଥିବା ଜଳାଶୟ ଗୁଡିକର ପଙ୍କୋଦ୍ଧାର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଗଞ୍ଜାମ ଜିଲ୍ଲାରେ ପାଇଲଟ୍‌ ପ୍ରକଳ୍ପ ଭାବେ ଆରମ୍ଭ ହୋଇଥିବା ଏହି ଯୋଜନାକୁ “ଜଳ ସମୃଦ୍ଧି” ଯୋଜନା ଭାବେ ନାମକରଣ କରାଯାଇଛି । ଗଞ୍ଜାମ ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମରେ ବହୁବିଧ ଯୋଜନା କାର୍ଯ୍ୟକାରୀ କରାଯାଇଛି । ଅତି ନିକଟରେ ୩୮ଜଣ ପ୍ରବେସନାରୀ ଆଇଏଏସ୍‌ ଅଫିସର ଗଞ୍ଜାମର ବିଭିନ୍ନ ପାଇଲଟ୍‌ ପ୍ରକଳ୍ପ ବୁଲି ଦେଖିଥିଲେ ଏବଂ ଜିଲ୍ଲାପାଳଙ୍କ ଭୂୟସୀ ପ୍ରସଂଶା କରିଥିଲେ । ଠିକ୍‌ ସେହିପରି ବିଭିନ୍ନ ପାଇଲଟ୍‌ ପ୍ରକଳ୍ପ ବୁଧବାର ସକାଳ ୧୦ଟା ବେଳେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଛତ୍ରପୁର ଏନ୍‌.ଏ.ସି.ର ରିକାପଲ୍ଲୀ ଗେଟ ବନ୍ଧ ଠାରେ ଏହାର ପ୍ରାଥମିକ ଶୁଭାରମ୍ଭ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଏଥିପାଇଁ ଜିଲ୍ଲାରେ ୧୦୦ଟି ପୋଖରୀ ଚିହ୍ନଟ କରାଯାଇ ସେଥିରୁ ବାହାର ହେଉଥିବା କାଦୁଅ, ପଙ୍କ ଓ ପଟୁମାଟିକୁ ଚାଷ କ୍ଷେତରେ ବ୍ୟବହାର କରାଯିବ । ଏହି ମାଟି ଉର୍ବରତା ଥିବାରୁ ଏହାର ସଦ-ବ୍ୟବହାର କରାଯିବ ବୋଲି କୁହାଯାଇଛି । ଏହା ଦ୍ୱାରା ଜଳଧାରଣର କ୍ଷମତା ବଢିବା ସହିତ ଚାଷଜମିର ଉର୍ବରତା ବୃଦ୍ଧି ପାଇବ ବୋଲି ଜିଲ୍ଲାପାଳ କହିଛନ୍ତି । କାର୍ଯ୍ୟକ୍ରମରେ ଡିଆର୍‌ଡିଏ ପିଡି ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବ, ସହରାଞ୍ଚଳ ପିଡି ସଚ୍ଚିଦାନନ୍ଦ ନାୟକ, ଛତ୍ରପୁର ଉପଜିଲ୍ଲାପାଳ ନୀଳ ମାଧବ ଭୋଇ, ଛତ୍ରପୁର ତହସିଲଦାର ପ୍ରକାଶ କୁମାର ମିଶ୍ର, ବିଡିଓ ଶାରଦା ପ୍ରସନ୍ନ ପଣ୍ଡା, ଏନ୍‌ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଏନ୍. ଗଣେଶ ବାବୁ, ଏନ୍.ଏ.ସି.ଉପାଧ୍ୟକ୍ଷ ଜି. ପାପା ରାଓ, କାଉନସିଲର ବି. ନିଶ୍ଚଳା, ରିକାପଲ୍ଲୀ ଗ୍ରାମ୍ୟଉନ୍ନୟନ କମିଟିର ଉପସଭାପତି ରବି ସାହୁ, ପୂର୍ବତନ କାଉନସିଲର ରାଜେଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

nineteen − 3 =