ରାଜ୍ୟର ବିଭିନ୍ନ ସ୍ଥାନରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଆୟୋଜିତ

ଭୁବନେଶ୍ୱର, (ପିଆଇବି) : ରାଜ୍ୟର ବିଭିନ୍ନ ଆଦିବାସୀ ବହୁଳ ଜିଲ୍ଲାର ଗ୍ରାମାଞ୍ଚଳ ଏବଂ ସହରାଞ୍ଚରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଜାରି ରହିଛି । ଆଜି ସୁନ୍ଦରଗଡ଼ ଜିଲ୍ଲାର ଚେଙ୍ଗିଝରଣ ଓ ବିରିଙ୍ଗଝର ଗ୍ରାମରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଆୟୋଜନ କରାଯାଇଥିଲା । ଗାଁରେ ସଚେତନତା ବାହନ ପହଞ୍ଚିବା ପରେ ସ୍ଥାନୀୟ ଲୋକେ ଏହାକୁ ପାରମ୍ପରିକ ଢଙ୍ଗରେ ସ୍ୱାଗତ କରିଥିଲେ । ସଂକଳ୍ପ ଯାତ୍ରା ବାହନରେ ଲାଗିଥିବା ଏଲ୍ଇଡି ସ୍କ୍ରିନରେ କେନ୍ଦ୍ର ସରକାରଙ୍କ ପ୍ରମୁଖ ଜନକଲ୍ୟାଣକାରୀ ଯୋଜନାର ବାର୍ତ୍ତା ପ୍ରସାରଣ କରାଯାଇଥିଲା । ଯାତ୍ରା ରହଣୀସ୍ଥଳରେ ହିତାଧିକାରୀମାନେ ସେମାନଙ୍କର ପଞ୍ଜୀକରଣ କରିବା ସହିତ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ସଂକଳ୍ପ ନେଇଥିଲେ । ଅନୁରୂପ ଭାବେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ପଞ୍ଚାୟତରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଆୟୋଜନ କରାଯାଇଥିଲା । ସ୍ଥାନୀୟ ଜନପ୍ରତିନିଧି ଏବଂ ସରକାରୀ ଯୋଜନାର ହିତାଧିକାରୀଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକରେ ମଧ୍ୟ ବିକଶିତ ଭାରତ ସଂକଳ୍ପ ଯାତ୍ରା ଆୟୋଜନ କରାଯାଇଥିଲା । ଯାତ୍ରାରେ ସ୍ଥାନୀୟ ଜନସମୁଦାୟ ବେଶ୍ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ । ସେହିପରି ମୟୂରଭଞ୍ଜ ଜିଲ୍ଲା କୁଲେଇଶିଳା ଓ ବଡ଼ମଉଦାରେ ମଧ୍ୟ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସବୁ ସ୍ଥାନରେ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ସଂକଳ୍ପ ଯାତ୍ରାର ସଚେତନତା ରଥ ପହଞ୍ଚିବା ପରେ ସ୍ଥାନୀୟ ମହିଳାମାନେ ପୂଜାର୍ଚ୍ଚନା କରି ଏହାକୁ ପାରମ୍ପରିକ ଢଙ୍ଗରେ ସ୍ୱାଗତ କରିଥିବା ଦେଖାଯାଇଛି । ଯାତ୍ରା କେନ୍ଦ୍ର ସରକାରଙ୍କ ପ୍ରମୁଖ ଜନକଲ୍ୟାଣକାରୀ ଯୋଜନାର ପ୍ରଚାରପ୍ରସାର କରାଯାଇଛି । ଏଥିରେ ବିଭିନ୍ନ ଯୋଜନାର ଯୋଗ୍ୟ ହିତାଧିକାରୀଙ୍କ ପଞ୍ଜୀକରଣ କରାଯାଇଥିବା ବେଳେ ପୁରୁଣା ହିତାଧିକାରୀମାନେ କେନ୍ଦ୍ରୀୟ ଯୋଜନାର ସୁଫଳକୁ ନେଇ ନିଜର ଅନୁଭୂତି ବଖାଣିଛନ୍ତି । ବିଶେଷ କରି ମାଗଣା ଗ୍ୟାସ ସଂଯୋଗ ପାଇଥିବା ଉଜ୍ଜ୍ୱଳା ଯୋଜନାର ମହିଳା ହିତାଧିକାରୀମାନେ ସେମାନଙ୍କ ଅନୁଭୂତି ପ୍ରକାଶ କରିବା ସହିତ ଏଥିପାଇଁ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ଜଣାଇଛନ୍ତି । କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ । ଯାତ୍ରା ରହଣୀ ସ୍ଥଳରେ ସ୍ୱାସ୍ଥ୍ୟ ଶିବିର ଏବଂ କେନ୍ଦ୍ରୀୟ ଯୋଜନାର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.

20 + three =