ଟିଙ୍ଗୋପଖାନ ଗ୍ରାମରେ ଆକ୍ରାନ୍ତଙ୍କ ସଂଖ୍ୟା ୨୭ରେ ସ୍ଥିର : ଡାକ୍ତରଖାନାରେ ଆକ୍ରାନ୍ତଙ୍କୁ ଭେଟିଲେ ଜିଲ୍ଲାପାଳ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ ଟିଙ୍ଗପଖାନ ଗ୍ରାମରେ ୨୭ ଜଣ ଝାଡ଼ାବାନ୍ତିରେ ସଂକ୍ରମିତ ହେବା ଘଟଣା ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ଆଦିବାସୀ ବହୁଳ ଏହି ଗାଁ ବିକାଶରୁ ବହୁଦୂରରେ ରହିଥିବା ବେଳେ ସଂକ୍ରମଣ ହେତୁ ଅନେକ ପ୍ରଶାସନିକ ଅଧିକାରୀଙ୍କ ସହ ସ୍ଵାସ୍ଥ୍ୟ ଅଧିକାରୀ ଗାଁର ବାସ୍ତବତା ବିଷୟରେ ଅବଗତ ହୋଇ ପାରିଛନ୍ତି । ଝାଡ଼ାବାନ୍ତି ବ୍ୟାପିବା ପରେ ଗାଁରେ ଅସ୍ଥାୟୀ ଚିକିତ୍ସା ଶିବିର ଖୋଲାଯାଇ ଲୋକଙ୍କୁ ସଚେତନ କରାଯିବା ସହିତ ଗୁରୁତର ୨୭ ଜଣଙ୍କୁ ଜୟପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ଏବେ ଅନେକ ଆକ୍ରାନ୍ତ ଆରୋଗ୍ୟ ହୋଇ ଗାଁକୁ ଫେରୁଥିବା ବେଳେ ମାତ୍ର ୭ ଜଣ ସଂକ୍ରମିତ ଜୟପାଟଣା ଡାକ୍ତରଖାନାରେ ରହିଥିବା ସୂଚନା ମିଳିଛି । ଆଜି କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ଡାକ୍ତରଖାନା ଯାଇ ସଂକ୍ରମିତଙ୍କ ଅବସ୍ଥା ବୁଝି ଥିବା ସୂଚନା ମିଳିଛି । ପରବର୍ତ୍ତୀ ସମୟରେ କଳାହାଣ୍ଡି ସିଡିଏମ୍‌ଓ ଡାକ୍ତର ସୁଚେତା ପାଣି, ଏଡିଏମ୍‌ଓ ଡାକ୍ତର ରାକେଶ ରଞ୍ଜନ ସାହୁ, ସଂକ୍ରମଣ ବିଶେଷଜ୍ଞ ନିହାର ଠାକୁର, ଜୟପାଟଣା ସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର ସୁଭ୍ରଜିତ ବିଶ୍ଵାଳ ପ୍ରମୁଖ ପ୍ରଭାବିତ ଗାଁରେ ପହଞ୍ଚି ପରିମଳ, ପାନୀୟ ଜଳ ଓ ପ୍ରାରମ୍ଭିକ ଚିକିତ୍ସା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇଥିଲେ । ସ୍ଥାନୀୟ ପ୍ରଶାସନର ଉଦ୍ୟମରେ ଜୟପାଟଣାରୁ ଟ୍ୟାଙ୍କର ଯୋଗେ ପିଇବା ପାଣି ନିଆଯାଇ ଲୋକଙ୍କୁ ବଣ୍ଟନ କରାଯାଉଥିବାର ଦେଖିବାକୁ ମିଳିଛି । ଜୟପାଟଣା ବ୍ଲକ ଅଂଚଳରେ ଅନେକ ଅପହଞ୍ଚ ଇଲାକା ରହିଥିବା ବେଳେ ଏଠାରେ ପିଇବା ପାଣି ପାଇଁ ବର୍ଷ ବର୍ଷ ଧରି ଲୋକେ ସଂଘର୍ଷ କରିଆସୁଛନ୍ତି । ସେମାନଙ୍କ ସ୍ଵାସ୍ଥ୍ୟ ପ୍ରତି ମଧ୍ୟ ପ୍ରଶାସନ ସଜାଗ ରହିବା ପାଇଁ ଦାବୀ ହେଉଛି ।

Leave A Reply

Your email address will not be published.