ଭ୍ରାମ୍ୟମାଣ ପାଠାଗାର କାର୍ଯ୍ୟକ୍ରମ ଅନୁଷ୍ଠିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ପୁସ୍ତକ ଅଧ୍ୟୟନ ଛାତ୍ର ଛାତ୍ରୀମାନଙ୍କୁ ପ୍ରଜ୍ଞାବାନ, ବୁଦ୍ଧିମାନ ଓ ବିବେକବାନ କରି ଗଢି ତୋଳିଥାଏ । ତେଣୁ ଛାତ୍ରଛାତ୍ରୀମାନେ ପାଠ୍ୟପୁସ୍ତକ ମଧ୍ୟରେ ସୀମିତ ନରହି ବିଭିନ୍ନ ପତ୍ରପତ୍ରିକା ସହ ପୁସ୍ତକ ଅଧ୍ୟୟନ କରି ଚରିତ୍ର ଗଠନ କରିବାକୁ ଶିଶୁ ଶ୍ରୀ ଭ୍ରାମ୍ୟମାଣ ପାଠାଗାର ତରଫରୁ ଆୟୋଜିତ ପିଲାଙ୍କ ପାଖରେ ପାଠାଗାର କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଛି । ସ୍ଥାନୀୟ ବିରମାଲ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ସଭାପତି ମନୋରଂଜନ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ପଣ୍ଡିତ ଗୋପବନ୍ଧୁ ପୁରୋହିତ ପୁସ୍ତକ ଅଧ୍ୟୟନ ବ୍ୟକ୍ତିତ୍ଵକୁ ଶାଣିତ କରିବା ସହ ବ୍ୟକ୍ତିକୁ ଜ୍ଞାନବାନ ଓ ବିବେକବାନ କରି ଗଢି ତୋଳିଥାଏ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିରମାଲର ସରପଞ୍ଚ ସୁଷମା ଆଚାର୍ଯ୍ୟ ପିଲାମାନେ ମୋବାଇଲ ଛାଡ଼ି ପୁସ୍ତକ ସହ ବନ୍ଧୁତା କରିବାକୁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିତ୍ୟାନନ୍ଦ ଦାଶ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଚନ୍ଦ୍ର ଶେଖର ସାହୁ, ସପ୍ସସ୍କୃତ ଶିକ୍ଷକ ନନ୍ଦଲାଲ ସାହୁ ପୁସ୍ତକ ପଠନର ଉପାଦେୟତା ଓ ଗୁରୁତ୍ୱ ବିଷୟରେ ଉଦାହରଣ ମାଧ୍ୟମରେ ବୁଝାଇଥିଲେ । ଏହି ଅବସରରେ ଅନୁଷ୍ଠିତ ପଠନ କାର୍ଯ୍ୟକ୍ରମରେ ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ମାନିନୀ ରଣା, ଗଜାନନ ସାହୁ ଓ ତୃପ୍ତି ମେହେରଙ୍କୁ ପୁରସ୍କୃତ କରାଯାଇଥିଲା ଶିଶୁଶ୍ରୀର ଆବାହକ ଶିଶୁ ସାହିତ୍ୟିକ ଡକ୍ଟର ରବିନାରାୟଣ ସାହୁ ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ଶିକ୍ଷକ ସୂର୍ଯ୍ୟ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.