ବିଦ୍ୟାଳୟ ପାଚେରୀ ଭଙ୍ଗାକୁ ନେଇ ଉତ୍ତେଜନା : ୫୯ ନଂ ଜାତୀୟ ରାଜପଥ ଅବରୋଧ କଲେ ସ୍ଥାନୀୟ ବାସିନ୍ଦା

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ବିଦ୍ୟାଳୟ ପାଚେରୀ ଭଙ୍ଗାକୁ ନେଇ ଉତ୍ତେଜନା । ନ୍ୟାୟ ଦାବୀରେ ୫୯ ନଂ ଜାତୀୟ ରାଜପଥ ଅବରୋଧ କଲେ ଶତାଧିକ ସ୍ଥାନୀୟ ବାସିନ୍ଦା । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନୂଆସାହିଠାରେ ଥିବା ବହୁ ପୁରାତନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (କେ.ଜି.ବି.ଭି) କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ଘଟିଛି ଏଭଳି ଘଟଣା । ସୂଚନା ପ୍ରକାରେ ଦୀର୍ଘ ବର୍ଷ ଧରି ବାଲିଗୁଡ଼ା ବାସିନ୍ଦା ଗୁଣ୍ଡିଚା ଦାସଙ୍କ ବିଦ୍ୟାଳୟ ସହ ଜମି ବିବାଦ ଲାଗି ରହିଥିଲା ଏବଂ ମାମଲା ଉଚ୍ଚ ନ୍ୟାୟାଳୟରେ ଥିଲା । ବର୍ତ୍ତମାନ ସମୟରେ ଗୁଣ୍ଡିଚା ଦାସ ଉକ୍ତ ମାମଲାରେ ଡିଗ୍ରୀ ହାସଲ କରିଥିବା ଦର୍ଶାଇ କାହାକୁ ନଜଣାଇ ବିଦ୍ୟାଳୟର ପାଚେରୀ ଭାଙ୍ଗିଦେଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଅନ୍ୟପଟେ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଆଶ୍ରମରେ ୧୦୦ରୁ ଅଧିକ ଛାତ୍ରୀ ରହୁଥିବା ବେଳେ ବିଦ୍ୟାଳୟ ପାଚେରୀ ଭାଙ୍ଗିବା ପରେ ସେମାନଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଦୀର୍ଘ ବର୍ଷ ଧରି ବିବାଦ ଲାଗିଥିବା ବେଳେ ଏହି ଘଟଣାରେ ସ୍ଥାନୀୟ ତହସିଲଦାର ଓ ରେଭିନ୍ୟୁ ବିଭାଗର ଅଜାଣତରେ କିଭଳି ବିଦ୍ୟାଳୟର ପାଚେରୀ ଭଙ୍ଗାଗଲା ଏହାର ତଦନ୍ତ କରିବା ସହ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିବା ସହ ବର୍ତ୍ତମାନ ଆଶ୍ରମରେ ରହୁଥିବା ଛାତ୍ରୀଙ୍କୁ ସୁରକ୍ଷା ଯୋଗାଇଦେବାକୁ ଦାବୀ କରି ସକାଳ ୮ ଘଣ୍ଟା ଠାରୁ ଅପରାହ୍ନ ୫ ଘଣ୍ଟା ପର୍ଯ୍ୟନ୍ତ ବସଷ୍ଟାଣ୍ଡ ନିକଟ ବୁଡାଗୁଡ଼ା ଛକ ୫୯ ନଂ ଜାତୀୟ ରାଜପଥ ଅବରୋଧ କରି ବସିଛନ୍ତି । ଯାହା ଫଳରେ ରାସ୍ତାର ଦୁଇ ପାର୍ଶ୍ଵରେ ଯାନବାହାନ ଗୁଡିକ ଅଟକି ରହିଛି । ସେପଟେ ଯେ ପର୍ଯ୍ୟନ୍ତ ପ୍ରଶାସନ ଏହାର ସୁବିଚାର ନକରିଛି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.