ବରହାଗୋଡା ପଞ୍ଚାୟତ ରାସ୍ତାରୁ ଟୋଲପ୍ଲାଜା ଟୋଲଟେକ୍ସ ଆଦାୟକୁ ନେଇ ଅସନ୍ତୋଷ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ସହର ଉପକଣ୍ଠ ବରାହଗୋଡ଼ାସ୍ଥିତ ଅଶୋକ ବିଲକନ୍‌ର ଟୋଲପ୍ଲାଜାର ଟୋଲଟ୍ୟାକ୍ସ ଅସୁଲିକୁ ନେଇ ପୁଣି ଅସନ୍ତୋଷ ଦେଖାଯାଇଛି । ଟୋଲପ୍ଲାଜା କର୍ତ୍ତୃପକ୍ଷ ବେଆଇନ ଭାବେ ଟୋଲଟ୍ୟାକ୍ସ ଅସୁଲି କରୁଥିବା ଅଭିଯୋଗ ହୋଇଛି । ଏପରିକି ଗ୍ରାମ୍ୟ ଉନ୍ନୟନ(ଆର୍‌ଡି) ବରାହାଗୁଡା ପଞ୍ଚାୟତ ରାସ୍ତାରୁ ମଧ୍ୟ ବେଆଇନ ଭାବେ ଟୋଲଟ୍ୟାକ୍ସ ଅସୁଲି କରାଯାଉଛି । ଏଭଳି ଟୋଲଟ୍ୟାକ୍ସ ଆଦାୟକୁ ନେଇ ପୁଣି ବିରୋଧର ସ୍ୱର ଉଠିଥିବା ବେଳେ ଲୋକେ ଆନ୍ଦୋଳନ ପାଇଁ ସଜବାଜ ହେଉଥିବା ଜଣାପଡ଼ିଛି । ସମ୍ବଲପୁର-ଲୁହୁରାଚଟି ଫୋରଲେନ୍‌ ରାଜପଥ ସମ୍ପୂର୍ଣ୍ଣ ହୋଇ ନ ଥିବା ବେଳେ ଟୋଲପ୍ଲାଜା କର୍ତ୍ତୃପକ୍ଷ ବେଆଇନ ଟୋଲଟ୍ୟାକ୍ସ ଅସୁଲି କରୁଥିବା ଅଭିଯୋଗ ହୋଇଛି । ଏପରିକି ଗତ କିଛିଦିନ ହେଲା, ଆର୍‌ଡି ରାସ୍ତାରୁ ମଧ୍ୟ ଟୋଲପ୍ଲାଜା କର୍ତ୍ତୃପକ୍ଷ ଟୋଲଟ୍ୟାକ୍ସ ଅସୁଲି କରି ଲୋକଙ୍କୁ ଶୋଷଣ କରି ଚାଲିଥିବା ଅଭିଯୋଗ ହୋଇଛି । ଟୋଲପ୍ଲାଜା କର୍ତ୍ତୃପକ୍ଷଙ୍କ ଏଭଳି ବେଆଇନ କାରବାର ପ୍ରତିବାଦରେ ବରଗଡ଼ ଜିଲ୍ଲାବାସୀ ପୁଣି ସଂଗଠିତ ହେଉଥିବା ବେଳେ ଏକ ବଡ଼ ଆନ୍ଦୋଳନ ମୁଣ୍ଡ ଟେକିଛି । ଏହି କ୍ରମରେ ଆସନ୍ତା ୩୦ ତାରିଖରେ ବରଗଡ଼ର ହୋଟେଲ ମହାରାଜା ସମ୍ମିଳନୀ କକ୍ଷରେ ଏକ ଜରୁରୀ ବୈଠକ ରଖାଯାଇଛି । ବୈଠକରେ ବରଗଡ଼, ସୋହେଲା, ଅତାବିରା ସମେତ ଜିଲ୍ଲାର ବିଭିନ୍ନ ଯାନବାହନ ସଂସ୍ଥା, ବ୍ୟବସାୟିକ ସଂଗଠନ, ରାଜନୈତିକ ଦଳର ପ୍ରତିନିଧିମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ତେବେ ଆର୍‌ଡି ରାସ୍ତାରୁ ଟୋଲପ୍ଲାଜା କର୍ତ୍ତୃପକ୍ଷ ବେଆଇନ ଟୋଲଟ୍ୟାକ୍ସ ଅସୁଲି କରୁଥିବା ବେଳେ ସେଥିପ୍ରତି ସ୍ଥାନୀୟ ପୋଲିସ, ପ୍ରଶାସନ ଆଖିବୁଜି ଦେବା ସାଧାରଣରେ ଅସନ୍ତୋଷ ବୃଦ୍ଧି କରୁଛି ।

Leave A Reply

Your email address will not be published.