ପୋଖରୀରେ ଭାସୁଛନ୍ତି କ୍ଵିଣ୍ଟାଲ କ୍ଵିଣ୍ଟାଲ ମଲା ମାଛ : ଚିନ୍ତାରେ ମାଛ ଚାଷୀ

ଯାଜପୁର ରୋଡ୍ : ଯାଜପୁର ଜିଲ୍ଲା କୋରାଇ ଥାନା ନୟାହାଟପାଟଣା ଗ୍ରାମରେ ପୋଖରୀରେ ଭାସୁଛନ୍ତି କ୍ଵିଣ୍ଟାଲ କ୍ଵିଣ୍ଟାଲ ମଲା ମାଛ । କେହି ଦୁର୍ବୃତ୍ତ ପୋଖରୀରେ ବିଷ ପକାଇ ମାଛ ମାରିଥିବା ଅଭିଯୋଗ ହୋଇଛି ।ସୂଚନା ଅନୁସାରେ ନୟାହାଟପାଟଣା ଗ୍ରାମର ବେଲମାଳିଆ ପୋଖରୀକୁ ଗ୍ରାମର ଅଜୟ କାହାଳି ତିନି ବର୍ଷ ପାଇଁ ଲିଜ୍ ନେଇଥିଲେ । ଅଜୟ ଏହି ପୋଖରୀରେ ମାଛ ଚାଷ କରି ନିଜ ଗୁଜୁରାଣ ମେଣ୍ଟାନ୍ତି । ସେ ବ୍ୟାଙ୍କ ଏବଂ ହାତ ଉଧାରୀ ଋଣ କରି ଏହି ପୋଖରୀରେ ମାଛ ଚାଷ କରିଥିଲେ । ହେଲେ ଆଜି ସକାଳୁ ପୋଖରୀରେ ବହୁ ପରିମାଣର ମଲା ମାଛ ଭାସୁଥିବାର ସେ ଦେଖିବାକୁ ପାଇଥିଲେ । ଗତ ରାତିରେ କେହି ଦୁର୍ବୃତ୍ତ ଏହି ପୋଖରୀରେ ବିଷ ପକାଇ ମାଛ ମାରିଥିବା ସେ ସନ୍ଦେହ କରିଥିଲେ । ଏ ସମ୍ପର୍କରେ ଅଜୟ ଗ୍ରାମବାସୀଙ୍କୁ ଜଣାଇବା ପରେ କୋରାଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତେବେ ଅଜୟ ଜଣେ ଗରିବ ପରିବାରର ହୋଇଥିବାରୁ ତାଙ୍କୁ ଉପଯୁକ୍ତ କ୍ଷତିପୂରଣ ଓ ଦୋଷୀକୁ ଦଣ୍ଡ ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।

Leave A Reply

Your email address will not be published.