oom

ଓଡ଼ିଶାରେ ଓଡ଼ିଆ ଭଦ୍ରଲୋକ ଡାକଘରେ ହଟହଟା

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା ବିକାଶ ମଞ୍ଚର ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ର ୧୮ ତାରିଖ ଦୁଇଟା ପଇଁଚାଳିଶ ମିନିଟ୍ ସମୟରେ ଏକ ରେଜିଷ୍ଟ୍ରି ଚିଠି ପାଇଁ ଚାରି ନମ୍ବର ଡାକଘରର ବିଭାଗୀୟ କର୍ମଚାରୀଙ୍କୁ ପ୍ରଦାନ କରିଥିଲେ । ଦାୟିତ୍ଵରେ ଥିବା କର୍ମଚାରୀ ହିନ୍ଦୀରେ ଠିକଣା ନଲେଖିଲେ ରେଜିଷ୍ଟ୍ରି ଭୁକ୍ତ ହୋଇ ପାରିବ ନାହିଁ ବୋଲି କହିଥିଲେ । ହିନ୍ଦୀ ଦେଶର ରାଷ୍ଟ୍ର ଭାଷା ଏବଂ ହିନ୍ଦୀରେ ଲେଖା ହୋଇନାହିଁ କହି ଫେରାଇ ଦେଇଥିଲେ । କୌଣସି ଯୁକ୍ତିତର୍କ କାମକୁ ଆସିନଥିଲା ଏବଂ ବାଧ୍ୟ ହୋଇ ଫେରୁଥିବା ସମୟରେ ବୋଧହୁଏ କାହାରି ପରାମର୍ଶରେ ପଛରୁ ଡାକି ଇଂରାଜୀରେ ବନାନ ଗୁଡିକ ଡାକିବା ପାଇଁ କହିଥିଲେ ଏବଂ ଚିଠିଟି ରେଜିଷ୍ଟ୍ରି ଭୁକ୍ତ ହେଲା । ବେଶ୍ କିଛି ସମୟ ହଟହଟା ହେବାର ଏ ଦୃଶ୍ୟ ସେବା ପାଇବା ପାଇଁ ଠିଆ ହୋଇଥିବା ଲୋକ ମାନଙ୍କୁ ବିଚଳିତ କରି ଦେଇଥିଲା । ଭାଷା ଆନ୍ଦୋଳନର ଜଣେ ପ୍ରମୁଖ ନେତୃତ୍ବଙ୍କର ଯଦି ଏହି ଦଶା, ତାହେଲେ ସାଧାରଣ ନାଗରିକ ମାନଙ୍କର ଅବସ୍ଥା କ’ଣ ହେଉନଥିବ ? କଥା ହେଲା ଓଡ଼ିଆ ଜାଣି ନଥିବା କର୍ମଚାରୀଟି ପାଇଁ ଏସବୁ ଘଟଣା ଘଟିଲା । ଓଡ଼ିଶାରେ ସରକାରୀ ଚାକିରି ପାଇଁ ଅନ୍ତତଃ ପକ୍ଷେ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟକ୍ରମ ଉପରେ ପରୀକ୍ଷା ଦେବା ପାଇଁ ବୋର୍ଡ଼ ଅଫ ସେକେଣ୍ଡାରୀ ଏଡୁକେଶନରେ ଅତିରିକ୍ତ ପରିକ୍ଷାର ବ୍ୟବସ୍ଥା ରହିଥିବା ବେଳେ ଏହି ବ୍ୟବସ୍ଥାକୁ ଅଣଦେଖା କରି ଏ ପ୍ରକାର ନିଯୁକ୍ତି ସାଧାରଣ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି । ତେଣୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଓଡ଼ିଆ ଭାଷା ଅନଭିଜ୍ଞ ବ୍ୟକ୍ତିଙ୍କୁ ଓଡ଼ିଶାରେ ନିଯୁକ୍ତି ଦେବା ପୁର୍ବରୁ ବିଦ୍ୟାଳୟ ସ୍ତରରେ ମେଟ୍ରିକ୍ ପରୀକ୍ଷା ପର୍ଯ୍ୟନ୍ତ ଯେଉଁମାନେ ମାତୃଭାଷାରେ ଅଧ୍ୟୟନ କରିନଥିବେ, ସେମାନଙ୍କ ପାଇଁ ଓଡିଆରେ ଅନ୍ତତଃ ସପ୍ତମ ଶ୍ରେଣୀ ଷ୍ଟାଣ୍ଡାର୍ଡର ଏକକ ମାତୃଭାଷା ପରୀକ୍ଷା ଦେବା ପାଇଁ ବିଭାଗୀୟ ବ୍ୟବସ୍ଥା ଗ୍ରହଣ କରାଯାଉ କିମ୍ବା ନିଯୁକ୍ତି ସମୟରେ ମେଟ୍ରିକ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ପରୀକ୍ଷାର୍ଥୀ, ଯିଏ ସପ୍ତମ ଶ୍ରେଣୀ ଷ୍ଟାଣ୍ଡାର୍ଡର ବୋର୍ଡର ଏକକ ଅତିରିକ୍ତ ପରୀକ୍ଷା ନ ଦେଇଛନ୍ତି, ସେମାନଙ୍କୁ ଓଡ଼ିଶା ଭଳି ଏକ ରାଜ୍ୟରେ ନିଯୁକ୍ତି ନଦେବା ପାଇଁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବେ ବୋଲି ଏକ ମିଳିତ ବିବୃତିରେ ଓଡ଼ିଆ ଭାଷା ବିକାଶ ମଞ୍ଚର ସଭାପତି ପ୍ରଶାନ୍ତ କୁମାର ପତିଙ୍କ ସମେତ ବିଭିନ୍ନ ସାହିତ୍ୟ ଓ ସାଂସ୍କୃତିକ ସଂଗଠନର ନେତୃତ୍ବ ସର୍ବଶ୍ରୀ ବଳରାମ ରାଉଳ, କେଦାର ପ୍ରଧାନ, ଚନ୍ଦ୍ରଶେଖର ପାଇକରାୟ, ଅଶୋକ ରାଉତ, ପ୍ରଫୁଲ୍ଲ କୁମାର ସାମଲ ଏବଂ ବହୁ ବୁଦ୍ଧିଜୀବୀ ସରକାରଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି ।

jittmm
Leave A Reply

Your email address will not be published.