ଆର୍‌ଟିଆଇ ତଥ୍ୟ ଶୂନ୍ୟ : ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ ପାଇଁ ନିବେଦନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଚାଷୀଙ୍କଠାରୁ ଅଣ୍ଡରରେ ଧାନ କିଣି ବ୍ୟବସାୟୀ ମାଲେ ମାଲ୍‌ ହେଉଛନ୍ତି । ଏହି ଧାନରେ ପ୍ରସ୍ତୁତ ବିଭିନ୍ନ ଭେରାଇଟି ଚାଉଳ ଓ ତା’ର କାରବାର ସଂପର୍କରେ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟର ପ୍ରଥମ ଆପିଲେଟ୍‌ ଅଥୋରିଟିଙ୍କ ଠାରେ ଚାଷୀ ନେତା ରମେଶ ମହାପାତ୍ର ଆର୍‌ଟିଆଇ ଜରିଆରେ ତଥ୍ୟ ମାଗିଥିଲେ । ତେବେ ଭେରାଇଟି ଚାଉଳ ବିକ୍ରି ଏବଂ ପ୍ରସ୍ତୁତି ସଂକ୍ରାନ୍ତରେ ଅଫିସରେ କୌଣସି ସୂଚନା ନଥିବା ଅଫିସ ପକ୍ଷରୁ ଜଣାଇ ଦିଆଯାଇଥିଲା । ପରେ ଆଜି ଏହାର ତଦନ୍ତ ପାଇଁ ଏକ ନିବେଦନ ପତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦେଶ୍ୟରେ ବରଗଡ଼ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋଙ୍କୁ ପ୍ରଦାନ କରିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଜିଲ୍ଲାର ଚାଷୀ ଧାନ ବିକ୍ରି ପାଇଁ ହନ୍ତସନ୍ତ ହେଉଛନ୍ତି । ଏ ହଇରାଣରୁ ମୁକ୍ତି ପାଇଁ ଚାଷୀ ଅଣ୍ଡର ରେଟରେ ୧୧/୧୨ ଶହ ଟଙ୍କାରେ (କ୍ଵିଣ୍ଟାଲ) ଖୋଲା ବଜାରରେ ବିକ୍ରି କରିବାକୁ ବାଧ୍ୟ ହେଉଛି । ଖୋଲା ବଜାରରେ ବ୍ୟବସାୟୀମାନେ କମ୍‌ ଦରରେ ଧାନ କିଣି ସେଥିରୁ ଉଷୁନା, ଅରୁଆ ଚାଉଳ, ମୁଢ଼ି ଚାଉଳ, ଚୁଡ଼ା, ଗୋ ଖାଦ୍ୟ ତିଆରି କରି ଖୋଲା ବଜାରରେ ବେ ଧଡକ ବିକ୍ରି କରୁଛନ୍ତି । ଏ ସବୁ ପ୍ରସଙ୍ଗକୁ ଲୋକଲୋଚନକୁ ଆଣିବା ପାଇଁ ସୂଚନା ଅଧିକାର ଆଇନ ବଳରେ ଜିଲ୍ଲା ଯୋଗାଣ ବିଭାଗରେ ସେ ତଥ୍ୟ ମାଗିଥିଲେ । ତେବେ ଅଫିସରେ ଏପରି କୌଣସି ତଥ୍ୟ ନଥିବା ଅଧିକାରୀ ସୂଚନା ଦେଇଥିଲେ । ଏହା ଏକ ଗମ୍ଭୀର ପ୍ରସଙ୍ଗ ହୋଇଥିବାରୁ ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇଁ ଚାଷୀ ନେତା ରମେଶ ମହାପାତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ପତ୍ର ବରଗଡ଼ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋଙ୍କୁ ଆଜି ପ୍ରଦାନ କରିଥିଲେ ।

Leave A Reply

Your email address will not be published.

error: Content is protected !!