ଶିକ୍ଷା ସଚେତନତା ରଥର ଶୁଭାରମ୍ଭ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ସରକାରୀ ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟଠାରେ ଜିଲ୍ଲା ସମଗ୍ର ଶିକ୍ଷା ତରଫରୁ ‘ଆସ ଆମେ ସ୍କୁଲ ଯିବା’ ଶିକ୍ଷା ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ସୁଶାନ୍ତ ସିଂ ଯୋଗ ଦେଇ ସବୁଜ ପତାକା ଦେଖାଇ ସଚେତନତା ରଥର ଶୁଭାରମ୍ଭ କରିଥିଲେ । ଏହି ରଥ ବଲାଙ୍ଗିର ପୌରାଞ୍ଚଳ, ବଲାଙ୍ଗିର ସଦର ବ୍ଲକ ଓ ପୁଇଁନ୍ତଳା ବ୍ଲକର ବିଭିନ୍ନ ଗ୍ରାମକୁ ଯାଇ ବିଦ୍ୟାଳୟରୁ ଅଧା ପାଠ ଛାଡୁଥିବା ଛାତ୍ର ଛାତ୍ରୀଙ୍କୁ ପୁଣି ବିଦ୍ୟାଳୟ ଆସିବାକୁ ପରାମର୍ଶ ଦିଆଯିବା ସହ ସରକାରୀ ବିଦ୍ୟାଳୟରେ ଯେପରି ଶତ ପ୍ରତିଶତ ନାମ ଲେଖାଇବେ ସେ ଉପରେ ସଚେତନ କରାଇବ । ସୂଚନା ଯୋଗ୍ୟ ଯେ, କରୋନା ଯୋଗୁଁ ବନ୍ଦ ଥିବା ବିଦ୍ୟାଳୟ ଗୁଡିକ ଦୀର୍ଘ ଦୁଇ ବର୍ଷ ପରେ ଖୋଲିଛି । ତେଣୁ ବିଦ୍ୟାଳୟକୁ ପିଲାମାନେ ପାଠ ପଢିଯିବା ପାଇଁ ଆଗ୍ରହ ସୃଷ୍ଟି କରିବା, ଶିକ୍ଷା ବିଭାଗ ତରଫରୁ ମିଳୁଥିବା ବିଭିନ୍ନ ସୁବିଧା ସୁଯୋଗ ବିଷୟରେ ଜନ ସାଧାରଣଙ୍କୁ ଅବଗତ କରାଇବା ଲକ୍ଷ୍ୟରେ ଏହି ରଥ ସଚେତନତା ସୃଷ୍ଟି କରିବ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ଧୃବ ଚରଣ ବେହେରା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ କେଶବ ଚରଣ ମେହେର, ବଲାଙ୍ଗିର ବ୍ଲକ ଶିକ୍ଷା ଅଧିକାରୀ ରାଘବ ପାଣିଗ୍ରାହୀ, ପୁଇଁନ୍ତଳା ବ୍ଲକ ଶିକ୍ଷା ଅଧିକାରୀ ଲୋକନାଥ ସୁନା, ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷିନୀ ସେଠୀଙ୍କ ସମେତ ସମଗ୍ର ଶିକ୍ଷାର କର୍ମଚାରୀ, ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.