ଦିବଂଗତ ଏସ୍‌ପିଙ୍କୁ ଶ୍ରଦ୍ଧାଞ୍ଜଳି

ରାଉରକେଲା, (ସସ୍ମିତା ପ୍ରଧାନ) : ଅବସରପ୍ରାପ୍ତ ପୋଲିସ ଅଫିସର୍ସ କଲ୍ୟାଣ ଆସୋସିଏସନ୍‌ ତରଫରୁ ଗତବର୍ଷ କରୋନା କାଳରେ ପ୍ରାଣ ହରାଇଥିବା ଏସ୍‌ପି ପ୍ରସନ୍ନ କୁମାର ମହାନ୍ତି, ଆଇପିଏସ୍‌ଙ୍କୁ ତାଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ତାଙ୍କର କାର୍ଯ୍ୟକାଳ ଭିତରେ ଦକ୍ଷତାର ସହ ଅନେକ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟ କରିବା ସହ ପୋଲିସ ବିଭାଗରେ ବେଶ ସୁନାମ ଅର୍ଜନ କରିଥିଲେ । ପୋଲିସ ଏସ୍‌ଆଇ ହିସାବରେ ବିଭାଗରେ ଯୋଗଦାନ କରି ତାଙ୍କର କର୍ତ୍ତବ୍ୟନିଷ୍ଠା ପାଇଁ ସେ ଆଇପିଏସ୍‌ ପାଇବା ସହ ବିଭିନ୍ନ ଜିଲ୍ଲାରେ ଏସ୍‌ପି ହିସାବରେ କାର୍ଯ୍ୟ କରି ସାଧାରଣ ଜନତା ତଥା ବିଭାଗରେ ବେଶ ପ୍ରିୟଭାଜନ ହୋଇ ପାରିଥିଲେ । ଅବସର ପରେ ରାଉରକେଲା ଛେଣ୍ଡ କଲୋନୀରେ ପରିବାର ସହ ରହିବା ସହିତ ବହୁତ ଜଣକଲ୍ୟାଣ କାର୍ଯ୍ୟର ମାର୍ଗ ଦର୍ଶନ କରୁଥିଲେ । ଗତବର୍ଷ କରୋନା କାଳରେ ଚିକିତ୍ସିତ ହେଉଥିଲା ବେଳେ ଆଜିର ତାରିଖରେ ସେ ଇହଲୀଳା ସମ୍ବରଣ କରିଥିଲେ । ତାଙ୍କର ଅବର୍ତମାନ ଏଇ ସମାଜ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଆଜିର ଶ୍ରଦ୍ଧାଞ୍ଜଳି ସଭାରେ ଆସୋସିଏସନ୍‌ର ସାଧାରଣ ସମ୍ପାଦକ ଡ଼କ୍ଟର ସୁମନ ଦତ୍ତ ପ୍ରକାଶ କରିଥିଲେ । ଆସୋସିଏସନ୍‌ର ଉପସଭାପତି ଯଦୁମଣି ପ୍ରଧାନ, ସୁରେଶ ଚନ୍ଦ୍ର ପାଠୀ, କୀର୍ତନ ସାମଲ, ଅଭୟ କୁମାର ଦାସ, ଅଜୟ ମହାନ୍ତି, ବେଣୁଧର ମଲ୍ଲ ଓ ଅନ୍ୟମାନେ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ବିଜେପିର ବରିଷ୍ଠ ନେତା ଓ ଜାତୀୟ ପ୍ରବକ୍ତା ଧିରେନ ସେନାପତି, ପୂର୍ବତନ ବିଧାୟକ ଶ୍ରୀ ମହାପାତ୍ର, ପୂର୍ବତନ ଅଧ୍ୟକ୍ଷ ଜିତେନ୍ ପଟ୍ଟନାୟକ ସ୍ୱର୍ଗତ ମହାନ୍ତିଙ୍କର ବିଭିନ୍ନ ଗୁଣାବଳୀ ବର୍ଣ୍ଣନା କରିଥିଲେ । ଶ୍ରଦ୍ଧାଞ୍ଜଳି ସଭାରେ ତାଙ୍କର ପୁତ୍ର ଆଶୀଷ, ରାଜେଶ, ଝିଅ ସ୍ମିତା, ସିପ୍ରା, ସ୍ନିଗ୍ଧା, ଜ୍ୱାଇଁ ଶଶାଙ୍କ, ସୁଶୀଲ, ସତୀଶ, ପୁତ୍ରବଧୂ ସ୍ନିଗ୍ଧା, ରେଖା, ନାତି ସିଦ୍ଧାର୍ଥ, ଶୁଭଙ୍କର, ଆୟୁଷ, ଶ୍ରେୟସ, ନାତୁଣୀ ଆଦ୍ୟାଶା, ଶ୍ରେୟା, ଆକାଂକ୍ଷା ଆଦି ଉପସ୍ଥିତ ଥିଲେ ।

Leave A Reply

Your email address will not be published.