ପାଟଣାଗଡ଼ ବ୍ଲକସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ ସ୍ଥାନୀୟ ରମାଇଁ ହାଇସ୍କୁଲ ପରିସରରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ପାଟଣାଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶଙ୍କର ପ୍ରସାଦ ମାଝିଙ୍କ ଦ୍ୱାରା ଅନୁଷ୍ଠିତ ଏହି ମେଳାରେ ମୋଟ ୧୩୩ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ତନ୍ନ ମଧ୍ୟରୁ ଶ୍ରେଷ୍ଠ ୬ଟି ପ୍ରକଳ୍ପ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ପାଇଁ ଚୟନ କରାଯାଇଥିଲା । ଖପ୍ରାଖୋଲ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଓମ୍‌ ପ୍ରକାଶ ମେହେର ଓ ଧଣ୍ଡାମୁଣ୍ଡା ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଅଜୟ କୁମାର ଭୋଇ ବିଚାରକ ଭାବେ କାର୍ଯ୍ୟନିର୍ବାହ କରିଥିଲେ । ଶିବପ୍ରସାଦ ମେହେର ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଥିଲେ । ସନ୍ଧ୍ୟାରେ ଅନୁଷ୍ଠିତ ଉଦ୍‌ଯାପନୀ ଉତ୍ସବରେ ସ୍ଥାନୀୟ ବିଧାୟକ ସରୋଜ କୁମାର ମେହେର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଶୁ ବଜ୍ଞାନୀମାନଙ୍କୁ ଉଦ୍‌ବୁଦ୍ଧ କରିଥିଲେ । ମୁଖ୍ୟବକ୍ତା ଆନନ୍ଦ ଦାସ ବିଜ୍ଞାନ ମେଳାର ଗୁରୁତ୍ଵ ଉପରେ ସାର ଗର୍ଭକ ଭାଷଣ ପ୍ରଦାନ କରିଥିଲେ । ଏନ୍ଏସି ଅଧକ୍ଷା ମାନସୀ ବିଶ୍ଵାଳ, ପଞ୍ଚାୟତ ସମିତି ଅଧ୍ୟକ୍ଷ ନୀଳକାନ୍ତ ବାଗ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ । ସଭାପତିତ୍ୱ ଭାଷଣ ପ୍ରଦାନ କରିଥିଲେ ବିଇଓ ଶଙ୍କର ପ୍ରସାଦ ମାଝୀ । ଆବାହକ ତଥା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ୟାମସୁନ୍ଦର ବିଶ୍ଵାଳ ବିଜ୍ଞାନ ମେଳା ବିବରଣୀ ଉପସ୍ଥାପନ କରିଥିବା ବେଳେ ସଭା କାର୍ଯ୍ୟ ଓ ପୁରସ୍କାର ବିତରଣର ସଂଯୋଜନା କରିଥିଲେ । ବ୍ଳକ ସଂଯୋଜକ ଓଁକାର ରଞ୍ଜନ ମିଶ୍ର, ଏହି ଅବସରରେ ପିଲାଙ୍କ ନୃତ୍ୟ ଗୀତରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପାଟଣାଗଡ଼ ତଥା ଆଖପାଖ ଅଂଚଳର ବିଜ୍ଞାନ ପ୍ରେମୀ ଶତାଧିକ ଜନସାଧାରଣ ଆସି ପ୍ରକଳ୍ପ ପରିଦର୍ଶନ କରି ଛାତ୍ର ଛାତ୍ରୀମାନଙ୍କୁ ପ୍ରୋତ୍ସାହିତ କରିଥିଲେ । ଶିକ୍ଷକ ସୁରେନ୍ଦ୍ର ଚନ୍ଦ୍ର ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.